Odiapua.com

କରୋନାରେ ଡାଳଖାଇ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ ମହନ୍ତଙ୍କ ପରଲୋକ

ଭୁବନେଶ୍ୱର/ବାଲିଅନ୍ତା, ତା ୨୨ା୯ (ଓଡ଼ିଆ ପୁଅ) : ଭୁବନେଶ୍ୱର, ଲକ୍ଷ୍ମୀସାଗର ଡାଳଖାଇ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳର ସାଧାରଣ ସମ୍ପାଦକ (ମହନ୍ତ) ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘର କାର୍ଯ୍ୟକାରୀ କମିଟି ସଭ୍ୟ ବିଶିଷ୍ଟ ଓଡ଼ିଶୀ ସଂକୀର୍ତ୍ତନ କଳାକାର ପ୍ରଦୀପ କୁମାର ଜେନାଙ୍କର କରୋନା ସଂକ୍ରମଣରେ ଗତକାଲି ପରଲୋକ ହେବା ସହ ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମାପନ ହୋଇଯାଇଅଛି। ଲକ୍ଷ୍ମୀସାଗର ଗ୍ରାମ ନିବାସୀ ସ୍ୱର୍ଗତ ଜେନା ଚାଷବାସ ସହ ବ୍ୟବସାୟ କରି ପତ୍ନୀ ପ୍ରଭାତୀ, ପୁତ୍ର ପ୍ରିୟରଞ୍ଜନ ଓ ରଶ୍ମିରଞ୍ଜନଙ୍କ ସମେତ ତିନିଭାଇ ପ୍ରମୋଦ, ପ୍ରତାପ ଓ ପ୍ରକାଶଙ୍କ ସହିତ ସହରୀ ଜୀବନରେ ଏକାନ୍ନବର୍ତ୍ତୀ ପରିବାର ଚଳାଇବା ସଙ୍ଗେସଙ୍ଗେ ଓଡ଼ିଶାର ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା ଓଡ଼ିଶୀ ସଂକୀର୍ତ୍ତନ କଳାକାରଭାବେ ନିଜ ଗ୍ରାମ ଲକ୍ଷ୍ମୀସାଗର ଓଡ଼ିଶୀ ସଂକୀର୍ତ୍ତନ ଦଳକୁ ସଂଗଠିତ କରି ଓଡ଼ିଶୀ ସଂକୀର୍ତ୍ତନକୁ ବଞ୍ଚାଇ ରଖିବା ସହିତ ଅନ୍ୟମାନଙ୍କ ସହଯୋଗରେ ୫୧ଗୋଟି ସଂକୀର୍ତ୍ତନ ଦଳକୁ ନେଇ ଡାଳଖାଇ ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳୀ ଗଠନ କରି ତାହାର ମହନ୍ତ ଭାବେ ପ୍ରତିବର୍ଷ ଲକ୍ଷ୍ମୀସାଗର ଡାଳଖାଇ ପୀଠରେ ବାର୍ଷିକ ସଂକୀର୍ତ୍ତନ ମହୋତ୍ସବ ପାଳନରେ ସକ୍ରୀୟ ଭୂମିକା ଗ୍ରହଣ କରୁଥିଲେ। ରାଜଧାନୀ ଭୁବନେଶ୍ୱରର ସହରୀ ପ୍ରକ୍ରିୟାକରଣରେ ବିଭିନ୍ନ ଗ୍ରାମର ବିଲୁପ୍ତ ହେବାକୁ ବସିଥିବା ଲୋକକଳା ଓଡ଼ିଶୀ ସଂକୀର୍ତ୍ତନ ପୁନରୁଦ୍ଧାର ପାଇଁ ପ୍ରତ୍ୟେକ ଗ୍ରାମର ଓଡ଼ିଶୀ ସଂକୀର୍ତ୍ତନ ଦଳକୁ ସକ୍ରୀୟ କରିଥିଲେ। ପଡ଼ୋଶୀ ଲକ୍ଷେଶ୍ୱର, ନୀଳକଣ୍ଠେଶ୍ୱର, ବାରଙ୍ଗ, ଓଡ଼ିଶୀ ସଂକୀର୍ତ୍ତନ ମହାମଣ୍ଡଳର କର୍ମକର୍ତ୍ତାଙ୍କୁ ନେଇ ମଝିରେ ମଝିରେ ବନ୍ଧୁମିଳନ ଆୟୋଜନ କରିବା ସଙ୍ଗେସଙ୍ଗେ ଓଡ଼ିଶୀ ସଂକୀର୍ତ୍ତନର ପ୍ରଚାର ଓ ପ୍ରସାର ପାଇଁ ଅବିରତ ଉଦ୍ୟମ କରୁଥିଲେ। ପ୍ରତିବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାର ମହାପ୍ରଭୁଙ୍କ ସ୍ୱର୍ଣ୍ଣାଦିବିଜେରେ ବିଭିନ୍ନ ମଣ୍ଡଳୀକୁ ନେଇ ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରିବା ସହିତ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳର ବହୁ ସାମାଜିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂଗଠନ ଓ ମେଳା ମହୋତ୍ସବ ସହିତ ନିଜକୁ ଜଡ଼ିତ କରିଥିଲେ। ତାଙ୍କ ଅକାଳ ବିୟୋଗରେ ରାଜଧାନୀ ଭୁବନେଶ୍ୱରର ଓଡ଼ିଶୀ ସଂକୀର୍ତ୍ତନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତ ଦେଇ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ, ଅନନ୍ତ ନାରାୟଣ ଜେନା, ଡଃ ଅରବିନ୍ଦ ଢାଲି, ସୁଶାନ୍ତ କୁମାର ରାଉତ, ପୂର୍ବତନ ବିଧାୟକ ଭାଗିରଥି ବଡ଼ଜେନା, ପ୍ରିୟଦର୍ଶୀ ମିଶ୍ର, ଭାଜପା ନେତା ଜଗନ୍ନାଥ ପ୍ରଧାନ, ଗୋଲଖ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ସଂକୀର୍ତ୍ତନ ମହାସଂଘ ସଭାପତି ଜଗନ୍ନାଥ ବେହେରା, ଲକ୍ଷେଶ୍ୱର ମହନ୍ତ ନଳିନୀ କୁମାର ସ୍ୱାଇଁ, ଅଧିକାରୀ ଚୈତନ୍ୟ ସାହୁ, ବାରଙ୍ଗ ମହନ୍ତ ଡଃ କିଶୋର ଚନ୍ଦ୍ର ପାଣି, ଅଧିକାରୀ ଦିଲ୍ଲୀପ ସାମନ୍ତରାୟ, ନୀଳକଣ୍ଠେଶ୍ୱର ମହନ୍ତ ବିଚିତ୍ରାନନ୍ଦ ପାଇକରାୟ, ମୁଣ୍ଡଳୀ ଅଧିକାରୀ ଅମୀୟ କୁମାର ସାମନ୍ତରାୟ, ସଂକୀର୍ତ୍ତନ ସେବକ ଲକ୍ଷ୍ମୀଧର ବେହେରା, ଉପଦେଷ୍ଟା ଆଶୁତୋଷ ସାମନ୍ତରାୟ, ଜଗଦାନନ୍ଦ ରାଉତରାୟ, ପବିତ୍ରମୋହନ ସ୍ୱାଇଁ, ଅର୍ଜୁନ ପରିଡ଼ା, ବେଦବିଦ୍ୱାନ ସୁରେନ୍ଦ୍ରନାଥ ଛୋଟରାୟ ପ୍ରମୁଖ ଗଭୀର ଶୋକ ପ୍ରକଟ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।