Odiapua.com

କରୋନାଭାଇରସ୍ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ : ଗୃହମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଉପସ୍ଥିତ

ନୂଆ ଦିଲ୍ଲୀ ୯-୧ (ଓଡ଼ିଆ ପୁଅ) ଦେଶରେ ଦ୍ରୁତ ଗତିରେ ବଢ଼ୁଛି କରୋନା ମାମଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାରଦିନ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରୁଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେଉଛି। ଏହି ସମୀକ୍ଷା ବୈଠକରେ PMO ର ଅଧିକାରୀଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ, କ୍ୟାବିନେଟ ସଚିବ ରାଜୀବ ଗୁଆୱା, ଗୃହ ସଚିବ ଅଜୟ ଭାଲା, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମଆର ଡିଜି ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି।

ସୂଚନାଯୋଗ୍ୟଯେ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ୪୦ ହଜାର ୮୬୩ ଲୋକ ଆରୋଗ୍ୟ ଲାଭ କରିଥିବାବେଳେ ଏପର୍ଯ୍ୟନ୍ତ ୩ କୋଟି ୪୪ ଲକ୍ଷ ୫୩ ହଜାର ୬୦୩ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି। ବଡ ଚିନ୍ତାର ବିଷୟ ଏହାଯେ, ଦେଶରେ ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ୫ ଲକ୍ଷ ୯୦ ହଜାର ୬୧୧ କୁ ବୃଦ୍ଧି ପାଇଛି।

ଅପର ପକ୍ଷରେ ଦେଶରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ବହୁ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଏହି ପ୍ରକାରର ୩୬୨୩ ଟି ଓମିକ୍ରନ ମାମଲା ରେକର୍ଡ଼ ହୋଇଛି। ଏଥିସହିତ, ଏପର୍ଯ୍ୟନ୍ତ ୧୪୦୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ଓମିକ୍ରୋନରୁ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଛି।