Odiapua.com

କରୋନାବେଳେ ଜେଲ୍‌ରେ ଭିଡ : କଏଦୀଙ୍କୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ମହାମାରୀବେଳେ ଜେଲ୍‌ରେ ବୃଦ୍ଧି ପାଉଥିବା କଏଦୀଙ୍କୁ ନେଇ ଜେଲ୍ କର୍ତ୍ତୃପକ୍ଷ ଚିନ୍ତାରେ ପଡିଯାଇଛନ୍ତି । ଭଦ୍ରକ ସବ୍‌ଜେଲ୍‌ରେ ମାତ୍ର ୧୬୬ ଜଣ କଏଦୀ ରହିବାର କ୍ଷମତା ଥିବାବେଳେ ଏବେ ୪୩୬ ଜଣ କଏଦୀ ଅଛନ୍ତି । ସେଥିରେ ୪୦୭ ଜଣ ପୁରୁଷ ରହିଥିବାବେଳେ ୨୯ ଜଣ ମହିଳା କଏଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ ବର୍ଷ ଅଥବା ତା ଠୁ କମ୍ ସଜା କାଟୁଥିବା କଏଦୀଙ୍କ ସହିତ ବହୁ ଆଜୀବନ ସଜା କାଟୁଥିବା କଏଦୀ ରହିଛନ୍ତି । ତେବେ କରୋନା ମହାମାରୀ ବେଳେ ଗୋଟିଏ ଛାତ ତଳେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଜେଲ୍ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି ବୋଲି ଅଧୀକ୍ଷକ ଋଷି ନାୟକଙ୍କ କହିବା ଅନୁଯାୟୀ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଜେଲ୍‌ରେ ମୁଲାକାତକୁ ବନ୍ଦ କରିଦିଆଯାଇ ଟେଲିଫୋନ୍ ଏବଂ ଇ-ମୁଲାକାତ ବ୍ୟବସ୍ଥା କରାଯାଇଛି । ସେହିଭଳି ଜେଲ୍‌ରେ ସରକାରଙ୍କ ଦ୍ୱାରା ଘୋଷିତ କୋଭିଡ୍‌ର ସମସ୍ତ ଗାଇଡ୍‌ଲାଇନ୍ ପାଳନ କରାଯାଉଛି । ଜେଲ୍‌କୁ ନିୟମିତ ସାନିଟାଇଜ୍ କରାଯିବା ସହିତ ଅନ୍ତେବାସୀଙ୍କ ମଧ୍ୟରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ଏବଂ ସାନିଟାଇଜ୍ କରିବାକୁ କୁହାଯାଇଛି । ତେବେ ଏହା ସତ୍ୱେ ମଧ୍ୟ ବର୍ଦ୍ଧିତ ସଂକ୍ରମଣକୁ ଆଖିରେ ରଖି ଜେଲ୍‌ରୁ କଏଦୀଙ୍କ ସଂଖ୍ୟା ହ୍ରାସ କରିବାକୁ ଉଭୟ ମାନ୍ୟବର କୋର୍ଟ ଏବଂ ଜେଲ୍ କର୍ତ୍ତୃପକ୍ଷଙ୍କୁ ଅନୁମୋଦନ ଲୋଡାଯାଇଛି ।

ଗତବର୍ଷ ଏହି ଜେଲ୍‌ରୁ ପାରୋଲରେ ଯାଇଥିବା ୯ ଜଣ କଏଦୀଙ୍କ ମଧ୍ୟରୁ ଚଳିତ ଥର ୮ ଜଣଙ୍କୁ ପାରୋଲରେ ଛାଡିବାକୁ ଜେଲ୍ ଆଇଜିଙ୍କୁ ଚିଠି କରାଯାଇଛି । ସେହିଭଳି ଏହି ଜେଲ୍‌ରୁ ଅନ୍ୟୁନ ଶହେ କଏଦୀଙ୍କୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର କରିବାକୁ କୋର୍ଟଙ୍କ ଅନୁମତି ଲୋଡାଯାଇଥିବାବେଳେ ଇତିମଧ୍ୟରେ କୋର୍ଟ ୩୦ ଜଣ କଏଦୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ମଂଜୁରୀ ଦେଇସାରିଛନ୍ତି । ତେବେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଏବେ ରାଜ୍ୟର ଅଧିକାଂଶଡ ଜେଲ୍‌ରେ କ୍ଷମତା ଠାରୁ ଯଥେଷ୍ଟ ଅଧିକ ସଂଖ୍ୟାରେ କଏଦୀ ରହୁଥିବା ହେତୁ କଏଦୀଙ୍କ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନେଇ ଜଟିଳ ପରିସ୍ଥିତି ଉପୁଜିଛି । ତେଣୁ ୭ ବର୍ଷ ଅଥବା ତା ଠୁ କମ୍ ସଜାରେ ଜେଲ୍ ଭୋଗୁଥିବା କଏଦୀଙ୍କୁ ଜାମିନରେ ହେଉ ଅଥବା ପାରୋଲରେ ହେଉ ଛଡାଯିବାର ଆବଶ୍ୟକତା ଦେଖାଦେଇଥିବା ସେ କହିଛନ୍ତି । ତେବେ ଏହି ପ୍ରସଙ୍ଗ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦେଶ ସ୍ୱାଧୀନତା ପୂର୍ବରୁ ୧୯୧୫ ମସିହାରେ ମାତ୍ର କେଇଜଣ କଏଦୀଙ୍କୁ ନେଇ ପ୍ରତିଷ୍ଠା କରାଯାଇଥିବା ଏହି ଜେଲ୍‌ରେ କଳେବର ବୃଦ୍ଧି କରାଯାଇ ଏବେ ଏହାକୁ ସର୍ବାଧିକ ୧୭୦ ଜଣ କଏଦୀ ରହିପାରିବା ଭଳି ବନ୍ଦୋବସ୍ତ କରାଯାଇଛି । ତେବେ କରୋନା ସଂକଟ ବେଳେ ଏହା ପର୍ଯ୍ୟାପ୍ତ ହୋଇପାରିନାହିଁ । ତେବେ ଏହି ପ୍ରସଙ୍ଗରେ ଏବେ ଦେଶର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଜାରି କରିଥିବା ନିର୍ଦ୍ଦେଶାବଳୀ ଜେଲ୍ କର୍ତ୍ତୃପକ୍ଷଙ୍କୁ ଅନେକାଂଶରେ ଆଶ୍ୱସ୍ତି ଆଣିଦେଇଛି ।