Odiapua.com

କରୋନାଠାରୁ ଭୟଙ୍କର ଭାଇରସ୍: ରୁହନ୍ତୁ ସତର୍କ

ଭୁବନେଶ୍ୱର: କରୋନା ଭାଇରସ୍ ଆତଙ୍କରେ ସାରା ବିଶ୍ଵ ଆତଙ୍କିତ। ଭାରତ ମଧ୍ୟ ଆତଙ୍କିତ। କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ବିଭିନ୍ନ ଦେଶ ବିଭିନ୍ନ ପଦକ୍ଷେପ ନେଉଛନ୍ତି। କରୋନା ଭୁତାଣୁକୁ ବ୍ୟାପିବାରେ ରୋକିବା ପାଇଁ, ତା’ର ଚେନ୍ ଭାଙ୍ଗିବା ପାଇଁ ଲୋକମାନଙ୍କ ମଧ୍ୟରେ ପରସ୍ପର ଭିତରେ ସାମାଜିକ ଦୂରତା ରଖିବା ପାଇଁ ଲକ୍ ଡାଉନ୍ ପରି କଠୋର ପଦକ୍ଷେପ ନିଆଯାଉଛି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟିଏ ଦିନ ପାଇଁ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ। ଏହାପରେ ଏବେ ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଲକ୍ ଡାଉନ୍ କରୁଛନ୍ତି। ଏହାର ଆବଶ୍ୟକତା ମଧ୍ୟ ରହିଛି। ଏହାସହ ମୋଦୀ ୨୨ ତାରିଖରେ ଜନତା କର୍ଫ୍ୟୁ ସହ ସନ୍ଧ୍ୟା ୫ଟାରେ ଘଣ୍ଟ, ତାଳି, ଥାଳି ବଜାଇ କରୋନା ବିରୋଧରେ ଲଢେ଼ଇରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସମ୍ମାନ ଏବଂ ଉତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ। ମୋଦୀଙ୍କ ଏହି ଆହ୍ୱାନ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସମ୍ମାନ ଏବଂ ଉତ୍ସାହିତ କରିବା ସହ ନିଜକୁ ମାନସିକ ଚାପରୁ ମୁକ୍ତ ରଖିବା ପାଇଁ ଉଦିଷ୍ଟ ଥିଲା ବୋଲି କୁହାଯାଉଛି। ଏହାସହ ଘଣ୍ଟ, ତାଳି ବଜାଇବା ଦ୍ୱାରା ଉତ୍ପନ ଶବ୍ଦ କରୋନା ଭୁତାଣୁକୁ ଦୂରେଇ ରଖିବ ବୋଲି କୁହାଯାଉଛି। ଯାହାକୁ ସାଉଣ୍ଡ ଥିଓରୋପି ବା ସାଉଣ୍ଡ ମେଡିସିନ୍ ମଧ୍ୟ କୁହାଯାଏ। ବୈଜ୍ଞାନିକ ମାନେ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଶବ୍ଦର ବିଶେଷ କମ୍ପନ ମନ ଏବଂ ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଯାହା ଶରୀରର କୋଷଗୁଡ଼ିକୁ ସକ୍ରିୟ କରିଥାଏ ଏବଂ ରୋଗରୁ ରକ୍ଷା କରିଥାଏ। ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ଏହା ପ୍ରମାଣିତ ହୋଇଛି ଯେ ଟ୍ୟୁନିଂ କରିବା ଦ୍ୱାରା ଗ୍ରହର ନିଜସ୍ୱ ଚୁମ୍ବକୀୟ ଫ୍ରିକ୍ୱେନ୍ସି ଯୋଗୁଁ ଲୋକମାନେ ବର୍ଦ୍ଧିତ ଶିକ୍ଷା, ସ୍ମୃତି, ଶରୀରର ନବୀକରଣ, ସନ୍ତୁଳନ, ଚାପ ସହନଶୀଳତା, ନକରାତ୍ମକ ମନ ନିୟନ୍ତ୍ରଣ ଭଳି ଲାଭ ଅନୁଭବ କରନ୍ତି। ଦୁନିଆ ଏହାକୁ ଗ୍ରହଣ କରୁଛି। ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) କରୋନା ଭାଇରସ୍ ବ୍ୟାପିବାରେ ଅଙ୍କୁଶ ଲଗାଇବା ଉପରେ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି। ବାସ୍ତବରେ ଏ’ସବୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥେଷ୍ଟ ପୂର୍ବରୁ ପଦକ୍ଷେପ ନେଇ ସାରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ, ନାଗରିକ ଉନ୍ନୟନ ମନ୍ତ୍ରୀ ଆଦିଙ୍କୁ ନେଇ କରୋନା ପ୍ରତିକାର ପାଇଁ ଯଥେଷ୍ଟ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଟିମ୍ ଗଠନ କରି ଯୋଜନା ପ୍ରସ୍ତୁତ କରି ତଦ୍ଅନୁଯାୟୀ କାର୍ଯ୍ୟ କରୁଛନ୍ତି।

ଭାରତ ସରକାରଙ୍କ ପଦକ୍ଷେପକୁ ବିଶ୍ଵ ପ୍ରଶଂସା କରୁଥିବା ବେଳେ ଏବଂ ଅନ୍ୟାନ୍ୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ତାହା ଗ୍ରହଣ କରୁଥିବା ବେଳେ କିନ୍ତୁ, ଆମ ଦେଶରେ କିଛି କଂଗ୍ରେସୀ ଆଉ ବାମପନ୍ଥୀ ମାନେ ସମାଲୋଚନା କରୁଛନ୍ତି। କୌଣସି ସମାଧାନ କିମ୍ବା ସଜେସନ୍ (ପ୍ରସ୍ତାବ) ଏମାନଙ୍କ ପାଖରେ ନାହିଁ। କେବଳ ସମାଲୋଚନା ଜାଣିଛନ୍ତି। ତାହା ପୁଣି କେତେବେଳେ ଅଶାଳୀନ ଶବ୍ଦ ବ୍ୟବହାର କରି କିମ୍ବା ତାତ୍ସଲ୍ୟ, ପରିହାସ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏମାନେ ହେଲେ ସେହି ଭୟଙ୍କର ଭାଇରସ୍। କରୋନାଠାରୁ ଭୟଙ୍କର ଭାଇରସ୍। ଏମାନେ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରାଉଛନ୍ତି। ମୋଦିଙ୍କୁ ବିରୋଧ କରିବାକୁ ଯାଇ ଏମାନେ ଲୋକଙ୍କର କ୍ଷତି କରାଉଛନ୍ତି। ଏମାନେ ମୋଦିଙ୍କୁ ଏପରି ବିରୋଧ କରନ୍ତି ଯେ ମୋଦୀ କହିଲେ ଶୌଚ ପରେ ସାବୁନରେ ହାତ ଧୋଇବ, ଏମାନେ ହୁଏତ କହିବେ ନାଁ, ଆମେ ହାତ ଚାଟିବୁ! ନ’ହେଲେ ଜଣେ କଂଗ୍ରେସ ନେତା କହିନଥାନ୍ତେ ଯେ କରୋନା ଭାଇରସ୍ ବୋଲି ସେମିତି କିଛି ନାହିଁ। ମୁଁ କରୋନା ରୋଗୀଙ୍କୁ କୋଳେଇବି। ଜନତା କର୍ଫ୍ୟୁ ଦିନ ହିଁ ମମତା ବାନାର୍ଜୀ ବୁଲିବୁଲି ରାସନ ବାଣ୍ଟି ନଥାନ୍ତେ। ତେଣୁ ଏ’ସବୁକୁ ଉପଲବ୍ଧି କରି ଲୋକେ କରୋନା ଭାଇରସ୍ ସମେତ ତା’ଠାରୁ ଆହୁରି ଭୟଙ୍କର ଏହି ଭାଇରସ୍ ମାନଙ୍କ ଠାରୁ ସତର୍କ ରହିବା ଉଚିତ୍। ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଚଳିବାର ଅଛି। ତେବେ ଯାଇ ଆମେ ଏହି ମହାମାରୀକୁ ହରାଇ ପାରିବା। /-ଦେବଦତ୍ତ ରଥ