Odiapua.com

କରୋନାକୁ ବେଖାତିର : ପ୍ରହସନରେ ପରିଣତ ସରକାରୀ କଟକଣା : ରହୁନି ସାମାଜିକ ଦୂରତ୍ୱ, ପିନ୍ଧୁନାହାଁନ୍ତି ମାସ୍କ

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବା ସହ ସଟଡାଉନ୍‌କୁ କୋହଳ କରିଛନ୍ତି, କିନ୍ତୁ କରୋନାକୁ ମୁକାବିଲା କରିବା ପାଇଁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ କଡାକଡି ଭାବେ ବ୍ୟବହାର କରିବା ପାଇଁ ଘୋଷଣା ମଧ୍ୟ କରିଛନ୍ତି । ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଉପରେ ସରକାର କଡା ଆଭିମୁଖ୍ୟ ପ୍ରଦର୍ଶନ କରିଥିଲେ ସୁଦ୍ଧା ଏହି ଜିଲାର ବନ୍ତ ବ୍ଲକ୍ ଆଗରପଡା ଓ ତା ଆଖପାଖ ପଂଚାୟତର ବିଭିନ୍ନ ଅଂଚଳରେ ଲୋକେ କରୋନାକୁ ବେଖାତିର କରୁଥିବାର ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ ସାରା ଦେଶରେ ଅନଲକ-୨ ଗତ ବୁଧୁବାର ଠାରୁ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ରାଜ୍ୟ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାକୁ ଜୋନ୍‌-୨ ରେ ଅନ୍ତର୍ଭୁକ୍ତ କରିଛନ୍ତି । କିନ୍ତୁ ଜିଲା ପ୍ରଶାସନ ବିଭିନ୍ନ ପରି୍‌ଥିତିକୁ ଆକଳନକୁ ନେଇ ଜୁଲାଇ ମାସରେ ଜିଲାରେ ପ୍ରତି ଶନିବାର ଓ ରବିବାରକୁ ସଟଡାଉନ୍ ଘୋଷଣା କରିବା ସହ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ ଟାରୁ ଭୋର ୫ଟା ଯାଏ ରଖିଛନ୍ତି । ସଂକ୍ରମଣ ଉପରେ ରୋକ ପାଇଁ ମାର୍ଚ୍ଚ ମାସରୁ ସରକାର, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ପ୍ରଶାସନ ପକ୍ଷରୁ କୋଭିଡ୍‌-୧୯ ସଂପର୍କିତ ଯେଉଁସବୁ ସଚେତନତା ସୃଷ୍ଟି କରାଯାଇଛି, ତାହାକୁ ଅଂଚଳବାସୀ ମାନୁନଥିବା ଜଣାପଡିଛି । ଦୀର୍ଘ ଚାରିମାସରୁ ଉର୍ଦ୍ଧ୍ୱ ସମୟ ଧରି ଏହି ପ୍ରକ୍ରିୟା ଜାରି ରହିଥିଲେ ସୁଦ୍ଧା ଅଂଚଳବାସୀଙ୍କ ଉପରେ ଅଦ୍ୟାବଧି ଏହାର କୌଣସି ପ୍ରଭାବ ପଡିଥିବା ପରିଲକ୍ଷିତ ହେଉନାହିଁ ।

 

 

ସାମାଜିକ ଦୂରତ୍ୱକୁ ଗୁରୁତର ସହ ନେଇ ପ୍ରଶାସନ ହାଟର ସ୍ଥାନ ପରିବର୍ତ୍ତନ କରିବା ସହ ଅଯଥା ବାଇକ୍‌ରେ ହାଟକୁ ନଆସି ଚାଲି ଚାଲି ଆସିବାହ ଓ ମାସ୍କ ପିନ୍ଧିବା ପାଇଁ ବାରମ୍ବାର କହୁଛନ୍ତି । ତତ୍‌ସହିତ ଅତି ଜରୁରୀ ନଥିଲେ ଘରେ ରହିବା ପାଇଁ ନିବେଦନ କରୁଛନ୍ତି । କିନ୍ତୁ ଲକଡାଉନ୍ ଆରମ୍ଭ ହେବା ପରଠାରୁ ଅନଲକ-୨ ପର୍ଯ୍ୟନ୍ତ ପ୍ରଶାସନ ଯେଉଁ ନିର୍ଦ୍ଧାରିତ ସମୟରେ ନିତ୍ୟାବଶ୍ୟକୀୟ ଜିନିଷପତ୍ର ନେବା ପାଇଁ ଧାର୍ଯ୍ୟ କରିଛନ୍ତି, ସେହି ସମୟରେ ସାମାଜିକ ଦୂରତ୍ୱକୁ କେହିବି ଗୁରୁତ୍ୱ ଦେଉନାହାଁନ୍ତି । ତେଜରାତି ଦୋକାନ, ଫଳ ଦୋକାନ, ପରିବା ଦୋକାନ, ବ୍ୟାଙ୍କ, ଏଟିଏମ୍ ଆଦି ସ୍ଥାନରେ ଲୋକେ ସାମାଜିକ ଦୂରତ୍ୱକୁ ପାଳନ କରୁନାହାଁନ୍ତି କି ମାସ୍କ ମଧ୍ୟ ପିନ୍ଧୁନାହାଁନ୍ତି । ରାସ୍ତାଘାଟରେ ମଧ୍ୟ ସଂଘବଦ୍ଧ ହୋଇ ଠିଆ ହେଉଛନ୍ତି । ମିଛ ବାହାନା ବନାଇ ବାଇକ୍ ବାଟେ ବଜାରକୁ ଆସୁଛନ୍ତି । ସନ୍ଧ୍ୟା ୭ ଟା ପରେ ନିତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ଦୋକାନ ପତ୍ର ବନ୍ଦ କରିବାର ନିର୍ଦ୍ଦେଶ ଥିବା ସ୍ଥଳେ ଏଠାରେ ଏହି ନିୟମର ଖୋଲା ଉଲ୍ଲଂଘନ ହେଉଥିବାର ଦେଖାଯାଉଛି । ତେଣୁ କହିବାକୁ ଗଲେ ଆଗରପଡା ଓ ତା ଆଖପାଖ ଅଂଚଳରେ କରୋନାକୁ ମୁକାବିଲା କରିବା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତ ହୋଇଥିବା ନିୟମ ପ୍ରହସନରେ ପରିଣତ ହୋଇଛି । ତେଣୁ ସରକାର ଘୋଷଣା କରିଥିବା ଆଇନ୍‌କୁ ସ୍ଥାନୀୟ ପ୍ରଶାସନ କଡାକଡି ପାଳନ କରି ଅଂଚଳକୁ ଏକ ସୁନିଶ୍ଚିତ ବିପଦରୁ ମୁକ୍ତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।