Odiapua.com

କରଞ୍ଜମାଳ ପଂଚାୟତରେ ୧୦୦ହେକ୍ଟର ବନୀଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଲକୁ ଉଜାଡି ଦେଲା ସୂର୍ଯ୍ୟ ଫୁଡସ ଏଣ୍ଡ ଇଣ୍ଡଷ୍ଟ୍ରିଜ,ସରକାରୀ ପଦକ୍ଷେପ ଅବିଳମ୍ବେ ଦାବୀ

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ଏହି ଜିଲାର ଚାନ୍ଦବାଲି ତହସିଲ ଅଧିନସ୍ଥ କରଞ୍ଜମାଳ ରାଜସ୍ୱ ନିରୀକ୍ଷକ ଏବଂ ଭଦ୍ରକ ଡିଏଫଓ ଙ୍କ ଅଧିନରେ ଥିବା ଜଙ୍ଗଲ ଜମିକୁ ଦିନ ଦ୍ୱିପ୍ରହରରେ ରାଜ୍ୟ ସରକାର ଏବଂ ବନବିଭାଗ ର ଅଧିକାରୀଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଶହ ଶହ ହେକ୍ଟର ଜମିକୁ ହାତେଇ ନେଇଛି ସୂର୍ଯ୍ୟ ଫୁଡସ ଏଣ୍ଡ ଇଣ୍ଡଷ୍ଟ୍ରିଜ। ପ୍ରାପ୍ତ ଖବରରୁ ଜଣାଯାଇଛି ୧୯୯୫ ମସିହାରେ ସଂପୃକ୍ତ କମ୍ପାନୀ ସ୍ଥାନୀୟ ଲୋକଙ୍କ ନିକଟରୁ କିଛି ଜମି କିଣି ସେହି ଅଂଚଳରେ ଚିଙ୍ଗୁଡି ଚାଷ ଆରମ୍ଭ କରିଥିଲା। ସେହି ଜମିକୁ ଲାଗି ଶହ ଶହ ହେକ୍ଟର ଜମି ପୂର୍ବରୁ ଜଙ୍ଗଲ ପରିବେଶ, ଜୀବଜନ୍ତୁ ଓ ଜଳସମ୍ପଦ ପାଇଁ ଏକ ମହତ୍ୱପୂର୍ଣ ସ୍ରୋତ ଥିଲା। କିନ୍ତୁ ସଂପୃକ୍ତ କମ୍ପାନୀ ଏହି ଜମିକୁ ନେଇ ଚିଙ୍ଗୁଡି ଫାର୍ମରେ ପରିଣତ କରିଛି। ଶିଳ୍ପପତିଙ୍କ ଆର୍ଥିକ ପ୍ରଭାବ ଓ ପ୍ରଶାସନର ଅଣଦେଖା ଯୋଗୁ ଏହି ଅବୈଧ କାରବାର ଅବ୍ୟାହତ ରହିଛି। ପରିବେଶ ବିତଙ୍କ ମତରେ ଏହି ଅନିୟନ୍ତ୍ରିତ ଚିଙ୍ଗୁଡି ଚାଷ ଯୋଗୁ ଅଂଚଳର ଜଙ୍ଗଲ ଆଚ୍ଛାଦିତ ଭୂତଳ ଜଳସ୍ତରଏବଂ ସ୍ଥାନୀୟ ଜୈବ ବିବିଦ୍ଧତା ଉପରେ ଏହାର କୁପ୍ରଭାବ ପଡୁଛି। ସଂପୃକ୍ତ କମ୍ପାନୀ ସରକାରଙ୍କୁ ଗୋଟିଏ ଟଙ୍କା ରାଜସ୍ୱ ଦେଉନଥିବା ବେଳେ ଏହି ଜମିକୁ ହାତେଇବା ପାଇଁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଛି ବୋଲି ଜଣାଯାଇଥିବା ବେଳେ ଉଚ୍ଚ ନ୍ୟାୟାଳୟ ଏହି ଗ୍ରାମ୍ୟ ଜଙ୍ଗଲ ଏବଂ ଜଙ୍ଗଲ ଜମି କୌଣସି ପରିସ୍ଥିତିରେ କୌଣସି ଶିଳ୍ପପତିଙ୍କ ହସ୍ତାନ୍ତରିତ କରାଯାଇ ପାରିବ ନାହିଁ ବୋଲି ରୋକ ଠୋକ ଶୁଣାଇ ଦେଇଛନ୍ତି ବୋଲି ଜଣାଯାଇଛି। ମାତ୍ରସଂପୃକ୍ତକମ୍ପାନୀକର୍ତୁପକ୍ଷ୧୬୧/୩୮୪,୩୮୫,୩୮.୩୯୦,୩୯.୪୧୫,୪୧.୪୨୦,୪୨୧,୪୨୪ ଏବଂ ୪୫୭ ପ୍ଲଟରେ ଥିବା ୯୩ ଏକର ଜମି ଗ୍ରାମ୍ୟ ଜଙ୍ଗଲ ଏବଂ ଶତାଧିକ ହେକ୍ଟର ଜଙ୍ଗଲ ଜମିକୁ ହାତେଇ ନେଇ ଚିଙ୍ଗୁଡି ଶିଳ୍ପ ଆରମ୍ଭ କରି ଅନ୍ୟ ମାନଙ୍କୁ ଲିଜ ଭାବେ ଦେଇଚାଲିଛି। ଏହି ଶିଳ୍ପରୁ କୋଟି କୋଟି ଟଙ୍କା ମୁନାଫା କମାଉଥିବା ଜଣାଯାଇଛି। ସବୁଠାରୁ ରୋଚକର ବିଷୟ କରଞ୍ଜମାଳ ପଂଚାୟତରେ ଚାନ୍ଦବାଲି ତହସିଲଦାରଙ୍କ ଅଧିନରେ ଥିବା ରାଜସ୍ୱ ନିରୀକ୍ଷକଙ୍କ ଅଫିସ ଏବଂ ଭଦ୍ରକ ଡିଏଫଓ ତଥା ଚାନ୍ଦବାଲି ରେଞ୍ଜରଙ୍କ ଅଧିନରେ ଏକ ବନପାଳ ଅଫିସ ମଧ୍ୟ ଅଛି। ଏହି ଦୁଇଟି ଅଫିସ ମୁହାଁମୁହିଁ ହୋଇଥିବା ବେଳେ ଏହି ଦୁଇଟି ଅଫିସ ଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଜଙ୍ଗଲ ଏବଂ ଗ୍ରାମ୍ୟ ଜଙ୍ଗଲ ଜମିରେ ଶହ ଶହ ବନୀ ଜଙ୍ଗଲକୁ କାଟି ସଫା କରାଯାଉଥିବା ବେଳେ ବିଭାଗୀୟ କର୍ତୁପକ୍ଷ ସବୁ ଜାଣି ମ଼ଧ୍ୟ ନୀରବ ଦ୍ରଷ୍ଟା ସାଜିଛନ୍ତି। ଏହି ସମସ୍ତ କାର୍ଯ୍ୟ ଅଫିସ ଖୋଲା ଥିବା ସମୟରେ ହେଉଛି। କରଞ୍ଜମାଳ ବନପାଳ ଏବଂ କରଞ୍ଜମାଳ ରାଜସ୍ୱ ନିରୀକ୍ଷକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଚାଲିଥିବା ବେଳେ ସଂପୃକ୍ତ ଅଧିକାରୀ ସଂପୃକ୍ତ ଶିଳ୍ପପତିଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଏହି କାର୍ଯ୍ୟ କରିବାକୁ କହୁଛନ୍ତି ବୋଲି ଅଭିଯୋଗ ହୋଇଛି। ରାଜ୍ୟ ସରକାରଙ୍କ ବନ ବିଭାଗ କରଞ୍ଜମାଳ ଅଂଚଳରେ କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ବନୀ ଗଛ ରୋପଣ କରୁଥିବା ବେଳେ ଏବଂ ରାଜସ୍ୱ ବିଭାଗର ଜମିରୁ ବହୁ ପ୍ରଜାତିର ଗଛ ଏବଂ ଜୈବ ବିବିଧତାକୁ ନଷ୍ଟ କରି ସଂପୃକ୍ତ କମ୍ପାନୀ ଏହି ସମସ୍ତ ଜମିରୁ ବନୀ ଏବଂ ଅନ୍ୟ ପ୍ରଜାତିର ଗଛକୁ କାଟି ଚିଙ୍ଗୁଡି ଘେରି ଖୋଳୁଛନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି କରଞ୍ଜମାଳ ପଂଚାୟତବାସୀ ନିଜର ଦାବୀ ଜଣାଇଛନ୍ତି। ଭଦ୍ରକ ଜିଲ୍ଲାପାଳ ଏବଂ ଭୂବନେଶ୍ୱର ଠାରେ ଥିବା ଏସିସିଏଫ ଏ ବିଷୟରେ ତଦନ୍ତ କରି ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।