Odiapua.com

କରଗୋଳା ରାସ୍ତାର କଲଭଟ ଅଧାପନ୍ତରିଆ, ହିନସ୍ଥା ହେଉଛନ୍ତି ବିଲୁଆ ସାହି ଲୋକେ

ହାଟଡିହି- ୨ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଆମ୍ବୋ ପଞ୍ଚାୟତ କରଗୋଳା ଗ୍ରାମର ଆର.ଡି ରୋଡ ଠାରୁ ବିଲୁଆ ସାହିକୁ ଯାଇଥିବା ରାସ୍ତାରେ ଏକ କଲଭଟ ନିର୍ମାଣ କରାଯାଉଥିବାବେଳେ ବ୍ଲକର କନିଷ୍ଠଯନ୍ତ୍ରୀ ଏହାକୁ ଅଧାପନ୍ତରିଆ କରି ପକାଇ ଦେଇଥିବାରୁ ଗାଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାହି ଲୋକଙ୍କ ଅଭିଯୋଗ ଅନୁଯାଇ ଆର.ଡି ରୋଡ ଠାରୁ ବିଲୁଆ ସାହିକୁ ସଂଯୋଗ କରୁଥିବା ରାସ୍ତାରେ ଏକ କଲଭଟ ନିର୍ମାଣ ପାଇଁ ବ୍ଲକ ଅନୁଦାନ ଯେ।।ଗଇ ଦିଆଯାଇଥିଲା । ସେହି ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ବାହାରିଥିବାବେଳେ ଗାଁର କିଛି କୁଜିନେତା ଏହି କାମ କରୁଛନ୍ତି । ଫେବୃୟାରୀ ମାସରୁ ଏହି କଲଭଟ କାମ ଆରମ୍ଭ ହୋଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାହା ସମ୍ପୁର୍ଣ୍ଣ ହୋଇପାରି ନାହିଁ । କଲଭଟ ନିର୍ମାଣ ସମୟରେ ଦୁଇପଟକୁ ଦୁଇଟି ଗାର୍ଡୱାଲ ନିର୍ମାଣକରିବାକୁ ଗାଁ ଲୋକେ କହିବାରୁ କାମ କରୁଥିବା ଲୋକମାନେ କାମ ନକରି ଅଧା ପନ୍ତରିଆ ଛାଡିଦେଇଛନ୍ତି । ଏହାଦ୍ୱାରା ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ଏହି ସାହିକୁ ଅନ୍ୟ କୌଣସି ବିକଳ୍ପ ରାସ୍ତା ନଥିବାରୁ କୌଣସି ବିପଦ ଆପଦ ବେଳେ ଏପରିକି ମେଡିକାଲକୁ ରୋଗୀଟିଏ ନେଇ ଯିବାକୁ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯେଉଁମାନେ କାମ କରୁଥିଲେ ସେମାନଙ୍କୁ କାମ ସମ୍ପୁର୍ଣ୍ଣ କରିବାକୁ କହିବାରୁ ତୁମେ ୨୦ହଜାର କରି ଦିଅ କାମ କରାଯିବ ବୋଲି କହୁଥିବା ନେଇ ଗ୍ରାମର ଅଶୋକ ଯେନା, ପହଲା ଯେନା, କହ୍ନେଇ ଯେନା, ବଳରାମ ଯେନା, ଧନେଶ୍ୱର ଯେନା, ତ୍ରୀନାଥ ଯେନା, ମଥୁରା ଯେନା, କଲ୍ୟାଣୀ ଯେନା, ପ୍ରମିଳା ଯେନା, ଶତୃଘ୍ନ ଯେନା, ଝରଣା ଯେନା, ରତିକାନ୍ତ ଯେନା, ସୁଦର୍ଶନ ଯେନାଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଆଜି ବିଡିଓଙ୍କୁ ଏକ ଦାବିପତ୍ର ଦେବାସହ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ମନୋଜ ବେହେରାଙ୍କୁ ପଚାରିବାରେ ଗାର୍ଡ ୱାଲ ଏଷ୍ଟିମେଟରେ ଅଛି ଆମେ କରିବୁ, କିନ୍ତୁ ସେହି ସାହିର ଲୋକମାନେ କିଛି ନବୁଝି ନସୁଝି କାମ ବନ୍ଦ କରିଦେଲେ, ତଥାପି ଆମେ ଚେଷ୍ଟା କରୁଛୁ ଅତିଶୀଘ୍ର କାମ ସାରିବୁ ବୋଲି କହିଛନ୍ତି ।