Odiapua.com

କମ୍ୟୁନିଷ୍ଟ ପାର୍ଟିର ୯୭ତମ ପ୍ରତିଷ୍ଠା ଦିବସ

କେନ୍ଦ୍ରାପଡ଼ା, ୨୬ା୧୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)ର ୯୭ତମ ପ୍ରତିଷ୍ଠା ଦିବସ କେନ୍ଦ୍ରାପଡା ଜୋନ କମିଟିର ତୁଣୁପୁର ଠାରେ ସାଥି ନିରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ପୂର୍ବରୁ ୧୯୨୫ ଆଜି ଦିନରେ ଗଠିତ ହୋଇଥିବା କମ୍ୟୁନିଷ୍ଟ ପାର୍ଟି ଦେଶ ସ୍ୱାଧୀନତାରେ ଅଂଶ ଗ୍ରହଣ କରି ଅନେକ ସଂଗ୍ରାମୀ ସାଥିଙ୍କର ଜୀବନଦାନ ପରେ ଦେଶକୁ ସ୍ୱାଧୀନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦେଶ ସ୍ୱାଧୀନ ପରେ ରାଜା- ଜମିଦାର ଦେଶ ସହିତ ମିଶ୍ରଣ ପାଇଁ ସ୍ୱତନ୍ତ୍ର ସଂଗ୍ରାମ ତେଲେଙ୍ଗାନା ଠାରୁ ପଣ୍ଡିଚେରୀ ପର୍ଯ୍ୟନ୍ତ କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱରେ ସଂଗଠିତ ହୋଇ ଥିଲା। ୮୦ଦଶକରେ ଲଙ୍ଗଳ ଯା’ର ଜମି ତା’ର ଡାକରାରେ ସମସ୍ତ ଚାଷୀଙ୍କୁ ସଂଗଠିତ କରି ଭୂମି ଦଖଲ କରିବାରେ ଅନେକ କମ୍ୟୁନିଷ୍ଟ କର୍ମୀ ଜୀବନ ଦାନ କରିଛନ୍ତି। ତଥାପି ସଂଗ୍ରାମ ସରିନାହିଁ। ବ୍ୟାଙ୍କ ଜାତୀୟ କରଣ ଠାରୁ ଆରମ୍ଭ କରି ରାଷ୍ଟ୍ରାୟତ ଉଦ୍ୟୋଗ ପ୍ରତିଷ୍ଠା କରିବା, ଶିକ୍ଷକମାନଙ୍କୁ ଡାଇରେକ୍ଟ ପେମେଣ୍ଟ ସବୁ କମ୍ୟୁନିଷ୍ଟ ପାର୍ଟିର ସଂଗ୍ରାମର ଫଳ। ଏକବିଂଶ ଶତାଦ୍ଦିର ପ୍ରଥମାର୍ଦ୍ଧରେ ସୂଚନା ଅଧିକାର ଆଇନ, ଶିକ୍ଷା ଅଧିକାର ଭଳି ଯୁଗାନ୍ତକାରୀ ଆଇନ ଆଣିବା ମନରେଗା(ଏମ.ଜି.ଏନ.ଆର.ଜି.ଏସ.)କୁ କାର୍ଯ୍ୟକାରୀ କରିବାରେ କମ୍ୟୁନିଷ୍ଟ ପାର୍ଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଜି ୯୭ବର୍ଷରେ ଆସିଛି ଲଢାଇ ଜୋରଦାର କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଶିକ୍ଷକନେତା ବସନ୍ତ କୁମାର ବାରିକ, ମନୋଜ କୁମାର ଓଝା, ଅମରେନ୍ଦ୍ର କୁମାର ଦାସ, ବୀଣାପାଣୀ ଓଝା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।