Odiapua.com

କମ୍ରେଡ ରବି ମହାନ୍ତିଙ୍କ ୩ୟ ମୃତ୍ୟୁ ବାର୍ଷିକ ପାଳିତ

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭଦ୍ରକ ଜିଲା କମିଟିର ପୂର୍ବତନ ସଭ୍ୟ, ବିଶିଷ୍ଟ ଚାଷୀ ଭାଗଚାଷୀ ମାନଙ୍କ ନେତା କମ୍ରେଡ ରବି ମହାନ୍ତିଙ୍କ ୩ୟ ମୃତ୍ୟୁ ବାର୍ଷିକ ରବି ମହାନ୍ତି ସ୍ମୃତି ସଂସଦ ପକ୍ଷରୁ ତାଙ୍କ ପୈତୃକ ଗ୍ରାମ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ସାହାସପୁର ଠାରେ ସ୍ମୃତି ସଂସଦର ସଭାପତି ସୁବାଷ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। କମ୍ରେଡ୍ ରବି ମହାନ୍ତିଙ୍କ ଉଦ୍ୟମରେ ନିଜ ଅଂଚଳରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା, ଦୋଳସାହି ଦଶମୌଜା କେନାଲ ଖନନ, ଦଶମୌଜା କେନାଲରେ ବିଭିନ୍ନ ଗାଁକୁ ସଂଯୋଗୀକରଣ ପାଇଁ ପ୍ରାୟ ୪୦ଟି ସେତୁ ନିର୍ମାଣ, ଦୋଳସାହି ଅଂଚଳର ତତ୍‌କାଳୀନ ଜମିଦାର ରାମ ପତି ଓ ଲକ୍ଷ୍ମଣ ପତିଙ୍କ ବିରୁଦ୍ଧରେ ଲଢେଇ କରି ପ୍ରାୟ ୫ ଶହ ଏକର ବଂଧକ ଜମିକୁ ଭୂମିହୀନ ଓ ସାଧାରଣ ଭାଗଚାଷୀ ଲୋକଙ୍କ ଭିତରେ ବଣ୍ଟନ କରାଯାଇଥିଲା। ସଂଖ୍ୟାଲଘୁ ଲୋକଙ୍କ ସୁରକ୍ଷା ପାଇଁ କମ୍ରେଡ୍ ରବି ମହାନ୍ତି ଲଗାତର ଭାବେ ଲଢେଇ କରୁଥିଲେ। ଚାଷୀ ଓ ଭାଗଚାଷୀ ମାନଙ୍କ ନ୍ୟାର୍ଯ୍ୟ ଦାବି ହାସଲ ପାଇଁ ସେ ସଦାସର୍ବଦା ବିଭିନ୍ନ ପ୍ରଶାସନିକ ଦପ୍ତରରେ ଲଢୁଥିଲେ। ଜାତିହୀନ ସମାଜ ଗଠନ ପାଇଁ ସେ ସର୍ବଦା ତାଙ୍କ ଘରେ କାମ କରୁଥିବା ଦଳିତ ମୂଲିଆ ମାନଙ୍କ ସହ ସର୍ବସାଧାରଣରେ ବସି ଖାଉଥିଲେ। ପ୍ରକୃତରେ ସେ ଜଣେ ସାଧାରଣ ଲୋକଙ୍କ ନେତା ଥିଲେ ବୋଲି ବକ୍ତାମାନେ ଆଲୋଚନା କରିଥିଲେ। ବର୍ତ୍ତମାନର ଯୁବ ସମାଜ କମ୍ରେଡ୍ ରବି ମହାନ୍ତିଙ୍କ ଆଦର୍ଶରେ ଆଦର୍ଶିତ ହୋଇ ଆମ ଦେଶର ଧର୍ମ ନିରପେକ୍ଷତା, ଏକତା, ଭାଇଚାରା, ଅଖଣ୍ଡତା ଜାତୀୟ ସଂପତ୍ତିର ସୁରକ୍ଷା ପାଇଁ ଲଢେଇ କରିବାକୁ ବକ୍ତାମାନେ ଆହ୍ୱାନ ଜଣାଇଥିଲେ। ଏହି ସଭାରେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ହବିବ, ସିପିଆଇ(ଏମ) ଭଦ୍ରକ ଜିଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଭଦ୍ରକର ଅନ୍ୟତମ ବିପ୍ଳବୀ ସୟେଦ ଅବଦୁଲ କାଦରଙ୍କ ଝିଅ ଅଧ୍ୟାପିକା ତେହେରା ଖାତୁନ, ଶିକ୍ଷାବିତ୍ ରବି ନାରାୟଣ ପାଣିଗ୍ରାହୀ, ପୂର୍ବତନ ପାରିଷଦ ଆୟୁବ ଖାନ, ସ୍ମୃତି ସଂସଦ ସଂପାଦକ ଭରତ ସାହୁ, ରବି ମହାନ୍ତିଙ୍କ ପୁତ୍ର ବିପ୍ଳବ ମହାନ୍ତି ପ୍ରମୁଖ ରବି ମହାନ୍ତିଙ୍କ ସ୍ମୃତିଚାରଣ କରିବା ସହ ଆଗାମୀ ଦିନରେ ଲଢେଇ ପାଇଁ ପ୍ରସ୍ତୁତ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏହି ସ୍ମୃତିସଭାରେ ଶତାଧିକ ସାଧାରଣ ଜନତା, ଛାତ୍ର, ଛାତ୍ରୀ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।