Odiapua.com

କମଳା, ଗୀତାଙ୍କ ପାଇଁ ଆବାସ ଘର ସାତସପନ, ଜରିପଲା ତଳେ ଗରିବଙ୍କ ବିତୁଛି ଜୀବନ, ପ୍ରଶାସନର ଦୃଷ୍ଟିପଡୁ , ଆମେ କଣ ଯୋଗ୍ୟ ନୁହଁକି

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହରାଂଚଳ ହେଉକି ଗ୍ରାମାଂଚଳ ସବୁ କଚ୍ଚାଘର ହେବ ପକ୍କା ଘର। ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବେ। ସରକାଙ୍କର ଏହି ଦମ୍ଭୋକ୍ତି ଲକ୍ଷ୍ମୀଦାସପୁର ପଂଚାୟତର କମଳା, ଗୀତା, ଯୁଦ୍ଧିଷ୍ଟିରଙ୍କ ଭଳି ବହୁ ଗରିବ ପରିବାରକୁ ଆଜିବି ଉପହାସ କରୁଛି। କିଏ ଜରିପଲା ତ’ ଆଉକିଏ ଚାଳ ଛପର ତଳେ ମୁଣ୍ଡ ଗୁଞ୍ଜିଥିଲେବି ଘରଖଣ୍ଡେ ମିଳୁନଥିବା ଅଭିଯୋଗ କରିଛନ୍ତି। ପ୍ରତିଥର ଥିଲାବାଲ, କୋଠାଘର, ବଡବଡିଆ ଘର ପାଉଛନ୍ତି। ଆମେ କ’ଣ ଆବାସ ଘର ପାଇବାକୁ ଯୋଗ୍ୟ ନୁହଁ ବୋଲି ପ୍ରଶାସନକୁ ବାରବାର ପ୍ରଶ୍ନ କରୁଛନ୍ତି ଏକାଧିକ ଆବାସ ଆଶାୟୀ ପରିବାର। ଯେଉଁମାନେ ବାଦ ପଡିଛନ୍ତି ସେମାନଙ୍କୁ ଦୁଇମାସ ଭିତରେ ଘର ମିଳିବ ବୋଲି ବିଡିଓ ସଞ୍ଜିବ କୁମାର ସାହୁ କହିଛନ୍ତି। ଏହି ପଂଚାୟତର ୧୨ ନମ୍ବର ୱାର୍ଡର କମଳା ସାମଲ। ସ୍ୱାମୀ କେଉଁଆଡେ ଚାଲିଯିବା ପରେ ଅସହାୟ ହୋଇପଡିଛନ୍ତି କମଳା। ୧୦/୧୨ ବର୍ଷର ଝିଅଟିକୁ ଧରି ଝାଟିମାଟି କୁଡିଆର ଜରିପାଲ ତଳେ ମୁଣ୍ଡଗୁଞ୍ଜି ରହୁଛନ୍ତି। ଘରର ଠାଏ ଠାଏ ଛପର ଉଡିଗଲାଣି, ଜରିପାଲ ବି ଫାଟି ଗଲାଣି। ଏହାରି ଭିତରେ ଝିଅକୁଧରି ଖରାବର୍ଷା, ଶୀତ କାକରକୁ ସାମନା କରୁଛନ୍ତି କମଳା। ଘର ଖଣ୍ଡେ ପାଇବାକୁ ୫ ଥର ଆବେଦନ କଲେଣି ଘର ମିଳୁନି ବୋଲି କହୁଛନ୍ତି। ସେହି ଗାଁର ଗୀତାରାଣୀ ଜେନା। ସ୍ୱାମୀ ସ୍ତ୍ରୀ ଦୀର୍ଘବର୍ଷଧରି ଜରିପାଲ ପଡିଥିବା ଚାଳ ଛପରକୁ ଭରସା କରିଛନ୍ତି। ବହୁବାର ଘରପାଇଁ ଆବେଦନ କରିଛନ୍ତି, ଘର ମିଳୁନି । ଆବାସ ଯୋଜନା କ’ଣ ଥିଲାବାଲାଙ୍କ ପାଇଁ ବୋଲି ଜେନା ଦମ୍ପତି ପ୍ରଶ୍ନ ପଚାରୁଛନ୍ତି। ଯୁଦ୍ଧିଷ୍ଟିର ଜେନାଙ୍କ ମଧ୍ୟ ସମଦଶା। ଜରାଜିର୍ଣ୍ଣ ହୋଇପଡିଥିବା ୨ ବଖରା ଘର ଭିତରେ ଗୋଟିଏ ପାଖରେ ଗାଈ ଆଉ ପାଖରେ ମଣିଷ ରହୁଛନ୍ତି। ଘରେ ଜାଗା ଅଭାବରୁ ରେଡକ୍ରସକୁ ଭରସା କରୁଛନ୍ତି। କେତେଥର ଘରପାଇଁ ଦରଖାସ୍ତ କରୁଥିଲେବି ଘର ମିଳୁନି। ଘର ମିଳିବ କହୁଛନ୍ତି କାହିଁ, ମୋର ୭୦ ବର୍ଷ ହୋଇଗଲା। ଆଉ କେବେ ଆମକୁ ଘର ମିଳିବ! ସେହି ଗାଁର ଶତ୍ରୁଘନ ପୁହାଣ, ବାସନ୍ତୀ ସେଠୀ, ସସ୍ମିତା ଜେନା, ଅନାଦି ଜେନା, ଦେବେନ୍ଦ୍ର ଜେନାଙ୍କ ପରି ବହୁ ପରିବାର ଚାଳ ଛପର ଘରେ ମୁଣ୍ଡଗୁଞ୍ଜିଛନ୍ତି। ପ୍ରତିଥର ଘରପାଇଁ ଆବେଦନ କରୁଥିଲେବି ଘର ମିଳୁନଥିବା କହିଛନ୍ତି। ତେଲିଆ ମୁଣ୍ଡରେ ତେଲପରି ଲୋକଙ୍କୁ ଘର ମିଳୁଛି। ଗରିବଙ୍କ କଥା ପଚାରେ କିଏ ବୋଲି ଆବାସ ଆଶାୟୀ କହୁଛନ୍ତି। ଏହି ୱାର୍ଡରେ ୧୦ ରୁ ଉର୍ଦ୍ଧ ପରିବାର ଘରପାଇବାକୁ ବାରମ୍ବାର ଆବେଦନ କରୁଥିଲେବି ଆବାସ ଯୋଜନା ଏମାନଙ୍କ ପାଇଁ ସାତସପନ ହୋଇଛି। ସରପଂଚ ଜାନକୀ ବାରିକ କହିଛନ୍ତି, କେତେକ ହିତାଧିକାରୀ ଏବେ କାର୍ଯ୍ୟାଦେଶ ପାଇଛନ୍ତି। ଯେଉଁମାନେ ବାଦ ପଡିଛନ୍ତି ନିଶ୍ଚିତ ସେମାନଙ୍କ ତାଲିକା ପ୍ରସ୍ତୁତ ହେବ ଆଉ ଘର ମିଳିବ ବୋଲି ଶ୍ରୀମତୀ ବାରିକ କହିଛନ୍ତି। ପୂର୍ବ ତାଲିକା ଅନୁସାରେ ତିନିଜଣିଆ କମିଟି ଯାଂଚ କରିଥିଲା। ଭେରିଫାଏ କରାଯିବା ପରେ ଯେଉଁମାନେ ଚୁଡାନ୍ତ ତାଲିକାରେ ଆସିଥିଲେ ସେମାନଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି ବୋଲି ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ବାରିକ କହିଛନ୍ତି।