Odiapua.com

କବି ନିରଞ୍ଜନ ବେହୁରିଆଙ୍କୁ ଜାତୀୟକବି ବାଞ୍ଛାନିଧି ସ୍ମାରକୀ ସମ୍ମାନ

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବି ନିରଞ୍ଜନ ବେହୁରିଆ ପାଇବେ ଚଳିତ ବର୍ଷର ‘ଜାତୀୟକବି ବାଞ୍ଛାନିଧି ସ୍ମାରକୀ ସମ୍ମାନ’ । ପ୍ରତି ବର୍ଷ ରାଜ୍ୟର ଜଣେ ପରିଚିତ ପ୍ରଗତିଶୀଳ କାବ୍ୟସ୍ରଷ୍ଟାଙ୍କୁ ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । କବି ନିରଞ୍ଜନ ବେହୁରିଆଙ୍କ କବିତାଗ୍ରନ୍ଥ ‘ମୁହୁର୍ତ’, ‘କେଉଁଠି ଥାପିବୁ ପାଦ’, ‘ଅନ୍ତରଙ୍ଗ ନିରବତା’, ‘ନୀଳନିର୍ଜନତା’ ଓ ଅନ୍ୟାନ୍ୟ ପୁସ୍ତକ ଯଥା ‘ଚେତନାର ଚିତ୍ରନଦୀ’, ‘ଗାଁର ସ୍ମୃତି’ ପ୍ରଭୁତି ଓଡିଶା ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି । ଜାତୀୟକବି ବାଞ୍ଛାନିଧି ମହାନ୍ତିଙ୍କ ୧୨୯ତମ ଜୟନ୍ତୀ ଆସନ୍ତା ଏପ୍ରିଲ ୨୦ ତାରିଖ, ଓଡିଶା ସାହିତ୍ୟ ଏକାଡେମୀ ଓ ବାଞ୍ଛାନିଧି ସ୍ମୃତି ପରିଷଦ ମିଳିତ ସହଯୋଗରେ ଭଦ୍ରକ ସଂସ୍କୃତି ଭବନ ଠାରେ ଏହି ସମ୍ମାନ ପ୍ରଦାନ କରାଯିବା ବୋଲି ଅନୁଷ୍ଠାନର ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି । ଏହି ନିଷ୍ପତି ସ୍ମୃତି ପରିଷଦର ପ୍ରସ୍ତୁତି ବୈଠକରେ ସଭାପତି ଡ଼ା ଦୁର୍ଯ୍ୟୋଧନ ଦାସ, ଉପ-ସଭାପତି ଡ଼ ଶଶଧର ଦାସ, ସମ୍ପାଦକ ରତିକାନ୍ତ ବେହେରା, ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ସଦସ୍ୟ ରମେଶ ରାୟ ଓ ଜିତେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତରେ ଗ୍ରହଣ କରାଯାଇଛି ।ଭଦ୍ରକ ସଂଗୀତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବାଞ୍ଛାନିଧିଙ୍କ ରଚିତ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ଉତ୍ସବକୁ ସାଫଲ୍ୟ କରିବା ପାଇଁ ନିବେଦନ କରାଯାଇଛି ।