Odiapua.com

କବି ଡ. ଶଶଧର ଦାସଙ୍କ କବିତା ପୁସ୍ତକ ଉନ୍ମୋଚିତ

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗ୍ରଣୀ ସାହିତ୍ୟ ପତ୍ରିକା ‘କାହାଣୀ’ ଆନୁକୂଲ୍ୟରେ ବିଶିଷ୍ଟ କବି ପ୍ରଫେସର ଡ. ଶଶଧର ଦାସଙ୍କ କବିତା ପୁସ୍ତକ ‘ଝରକା ବାହାରେ ଭାରତ’ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ଉତ୍ସବରେ ପ୍ରଥିତଯଶା କବି ରମାକାନ୍ତ ରଥ ଏହି ପୁୁସ୍ତକଟିକୁ ଉନ୍ମୋଚନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ ଓ ‘କାହାଣୀ’ର ସଂପାଦକ ବିଜୟ ନାୟକ ଏବଂ ମୁଖ୍ୟବକ୍ତା ଭାବେ କଥାକାର ଅଧ୍ୟାପକ ବିଶ୍ୱରଂଜନ ଯୋଗଦେଇଥିଲେ। ଏହି ଉନ୍ମୋଚନ ସଭାରେ ସଭାପତିତ୍ୱ କରିଥିଲେ କବି ଡ. ରବିନାରାୟଣ ସେନାପତି ଏବଂ ପୁସ୍ତକକୁ ସମୀକ୍ଷା କରିଥିଲେ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର। କବି ଶଶଧର ଦାସଙ୍କ କବିତା ମାନବବାଦର ସ୍ୱର ବହନ କରିଛି। ସାମ୍ପ୍ରତିକ କାଳଖଣ୍ଡର ବହୁ ଚିତ୍ର ଓ ଚରିତ୍ର ତାଙ୍କ କବିତାଙ୍କୁ ରୁଦ୍ଧିମନ୍ତ କରିଛି ବୋଲି ମୁଖ୍ୟଅତିଥି ଶ୍ରୀ ରଥ ତାଙ୍କ ଭାଷଣରେ କହିଥିଲେ। ସେହିପରି ଉକ୍ତ ପୁସ୍ତକକୁ ସମୀକ୍ଷା କରି ବିଶିଷ୍ଟ ସମାଲୋଚକ ଡ. ପ୍ରେମାନନ୍ଦ ମହାପାତ୍ର ପୁସ୍ତକରେ ସ୍ଥାନିତ କବିତା ଗୁଡିକର ସମୀକ୍ଷା କରିଥିଲେ। ସେ କହିଲେ ଯେ, କବିଙ୍କ ଦୃଷ୍ଟିରେ ଭାରତ ଓ ଭାରତୀୟ ଗାଁର ସାମ୍ପ୍ରତିକ ମାନଚିତ୍ର ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ଗାଁର ଉଜୁଡା ଚିତ୍ର ଓ ଭାରତର ବିକୃତ ଚିତ୍ର କବି ପ୍ରାଣକୁ ବ୍ୟଥିତ କରିଛି। ଏହି ଅବସରରେ କବି ଡ. ଶଶଧର ଦାସ ନିଜ କବିତା ପୁସ୍ତକ ସଂପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଶେଷରେ ବ୍ଲକ୍ ଇଗଲ୍ ବୁକସ୍ ତରଫରୁ ଅଶୋକ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ସାହିତ୍ୟିକ ଦେବାଶିଷ ମହାପାତ୍ର ମଂଚ ପରିଚାଳନା ଓ ଯୁବ ସାହିତ୍ୟିକ ଅମିତାଭ ଖିଲାର ସଭା ସଂଚାଳନ କରିଥିଲେ।