Odiapua.com

କବିତାର ଅଙ୍ଗ ଓ ଆତ୍ମା ପ୍ରଭାବଶାଳୀ ହେବା ଉଚିତ୍‌, ଭଦ୍ରକ ପୁସ୍ତକମେଳାର ୬ଷ୍ଠ ଓ ୭ମ ସନ୍ଧ୍ୟା

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂପ୍ରତିକ କାଳର ଓଡ଼ିଆ ଲେଖକମାନଙ୍କ ମଧ୍ୟରେ ସର୍ବାଧିକ ଶ୍ରଦ୍ଧାଶୀଳ ଲେଖକ ମନୋଜ ଦାସ । ଓଡ଼ିଶା ବାହାରେ ଯେଉଁ ଅଳ୍ପ କେତେଜଣ ଓଡ଼ିଆ ସେମାନଙ୍କ ସାହିତ୍ୟ ସାଧନା ସକାଶେ ସୁପରିଚିତ, ସେମାନଙ୍କ ମଧ୍ୟରେ ସେ ଅଗ୍ରଗଣ୍ୟ । ଓଡ଼ିଆମାନଙ୍କ ନିକଟରେ ଯେପରି ଓନିଆ ପ୍ରାଣ ସର୍ବଭାରତୀୟ ସ୍ତରରେ ସେହିପରି ଭାରତୀୟ ପରମ୍ପରାର ପ୍ରବକ୍ତା ଓ ଅନ୍ତର୍ଜାତୀୟ ସ୍ତରରେ ଜଣେ ବରି୍େ‌ଠ ଚିନ୍ତାନାୟକ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସାହିତ୍ୟ ରଚନା କରିବାରେ ତାଙ୍କର ଅସାଧାରଣ ଦକ୍ଷତା ରହିଥିଲା ବୋଲି ସନସାଇନ୍ ମିଶନ ସ୍କୁଲ ନିକଟସ୍ଥ ମନମୋହନ ସଂଗୀତ ପରିଷଦ ପଡିଆରେ ଅନୁଷ୍ଠିତ ଭଦ୍ରକ ପୁସ୍ତକ ମେଳାର ୬ଷ୍ଠ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । “ମନୋଜ ସାହିତ୍ୟ : ଅନ୍ତରଙ୍ଗ ଅନୁଭୂତି” ଶୀର୍ଷକ ଆଲୋଚନା ଚକ୍ରରେ ଡ. ରାଧାବିନୋଦ ନାୟକ ପୌରୋହିତ୍ୟ କରିଥିଲେ । ମୁଖ୍ୟବକ୍ତା ଡ. ଅଭୟ ଦାସ ମନୋଜ ଦାସ ତାଙ୍କ ଗଳ୍ପରେ ଏମିତି ଆତ୍ମୀୟତାପୂର୍ଣ୍ଣ ରୀତିରେ ଚରିତ୍ର ମାନଙ୍କ ବ୍ୟଙ୍ଗ କରନ୍ତି, ଯାହା ଅତ୍ୟନ୍ତ ସ୍ୱାଭାବିକ ଓ ଅନ୍ତରସ୍ପର୍ଶୀ ବୋଲି କହିଥିଲେ । ସମ୍ମାନିତ ବକ୍ତା ପବିତ୍ର ପାଣିଗ୍ରାହୀ ମନୋଜ ଦାସଙ୍କ ଗଳ୍ପଗୁଡିକ ଅଧିକାଂଶରେ କବିତ୍ୱପୂର୍ଣ୍ଣ । ତାଙ୍କର କବିତ୍ୱପୂର୍ଣ୍ଣ ଭାଷା, ଚିତ୍ରଗଳ୍ପ, ଉପମା ପାଠକକୁ ଆମୋଦିତ କରେ ବୋଲି କହିଥିଲେ । ବରେଣ୍ୟ ଅତିଥି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଶୈଳେନ୍ଦ୍ର ମହାପାତ୍ର ମନୋଜ ଦାସ ତାଙ୍କ ଗଳ୍ପମାନଙ୍କରେ ଅନେକ ଗୁଡିକ ସ୍ୱତଃ ସଂଯୋଜନା କରି ପାଠକର ଶ୍ରଦ୍ଧାଭାଜନ ହୋଇଛନ୍ତି ବୋଲି କହିଥିଲେ ।

ପୁସ୍ତକମେଳା କମିଟି ସଦସ୍ୟ ଡ. ରାଧାରାଣୀ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟତମ ସଦସ୍ୟ ଶରତ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଉତ୍ସବ ନୃତ୍ୟାନୁଷ୍ଠାନର ନିର୍ଦ୍ଦେଶିକା ରିଚିସ୍ମିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଜୟ କୁମାର ବହଳି, ଅଜିତ୍ କୁମାର, କଳାକାର ଶତପଥୀ, ମନ୍ଦିର ବେହେରା, ରତିକାନ୍ତ ବେହେରା, ରମାକାନ୍ତ ପାଲ, ଶୋଭନ ମହାନ୍ତି, ରମେଶ ଦାସ, ଶାନ୍ତନୁ ରାଉତ, ରାଜକିଶୋର ସାହୁ, ଅରୂପାନନ୍ଦ ନାୟକ, ନିହାର ରଂଜନ କର, ରମାକାନ୍ତ ନାୟକ, ବିଚିତ୍ରାନନ୍ଦ ଜେନା, ନିର୍ମଳ ରାଉତ, ସୁଧାକର ରାଉତ, ବାବାଜୀ ଚରଣ ମହାନ୍ତି, ଇନ୍ଦ୍ରମଣି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଭଦ୍ରକ ପୁସ୍ତକମେଳାର ୭ମ ସନ୍ଧ୍ୟାର କବିତା ଆସରରେ କବି ଜଣେ ସାଧାରଣ ମଣିଷ । ମାତ୍ର ଅସାଧାରଣ ତାର କଳାଶକ୍ତି । କବି ତା ଆଖପାଖ ପୃଥିବୀର ପ୍ରତିଟି ଜିନିଷକୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ । କବି ମନର ଅଭିବ୍ୟକ୍ତି ଶବ୍ଦର ରୂପ ନେଇ ସୃଷ୍ଟିହୁଏ କବିତା ଓ ଏହା ଝରିବାଣ ପରି କବିର ହୃଦୟ ମଂଚଳରେ ଫୁଟିଉଠେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଓ କବି ସାରଥୀ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଖ୍ୟାତନାମା ପ୍ରାବନ୍ଧିକ ତଥା ପାଳିଆବିନ୍ଧା ବିଏନଏମ୍‌ଏ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ବିଶ୍ୱରଂଜନ ଦାସ ଯୋଗଦେଇ କବିତାର ଆଙ୍ଗିକ ଶୈଳୀକୁ କବି ପ୍ରଭାବଶାଳୀ ଢଙ୍ଗରେ ଗଢିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ କବି ଅଧ୍ୟାପକ କିଶୋର ପାଣିଗ୍ରାହୀ ଯୋଗଦେଇ କବିତାର କମନୀୟତା ଓ ଭାବସିଦ୍ଧତା ଉପରେ ଆଲୋଚନା କରିଥିଲେ । ବରେଣ୍ୟ ଅତିଥି ଭାବେ ବିଶିଷ୍ଟ କବି ଡ. ଅବନୀ ପ୍ରଧାନ ଓ କବି ରତିକାନ୍ତ ବେହେରା ଯୋଗଦେଇଥିଲେ । ନାଟ୍ୟଶିଳ୍ପୀ କାଳନ୍ଦୀ ମଲ୍ଲିକ ମଂଚ ଆହ୍ୱାନ କରିଥିଲେ । କବି ତଥା ସଂପାଦକ ମାନସ ପଣ୍ଡା ଓ କବି ଋତୁରାଜ ଅକ୍ଷୟଙ୍କ ସଂଯୋଜନାରେ କବି ହରିଶ ଦାସ, କେବୌଲ୍ୟ ନାୟକ, ରାଖାଲଚନ୍ଦ୍ର ସ୍ୱାଇଁ, ହେମନ୍ତ କୁମାର ନାୟକ, ଶ୍ରୀକାନ୍ତ ପଣ୍ଡା, ଦେବେନ୍ଦ୍ର ନାଥ ମହାଳିକ, ଲିପ୍ସା ସାହୁ, ସସ୍ମିତା ସାହୁ, ମନୋରମା ରାୟ, ପ୍ରଦୀପ୍ତ କୁମାର ମହାନ୍ତି, ବିଚିତ୍ରାନନ୍ଦ ଜେନା, ରାଜଶ୍ୱରୀ ବିଶ୍ୱାଳ, ମନସ୍ମିତା ସାହୁ, କୈଳାସ ବେହେରା, ମୁସ୍ତାକ ଗହ୍ୱର, ରମେଶ ଦାସ, ଅରୂପାନନ୍ଦ ନାୟକ, ଅବଦୁଲ ଦୟାନ ପ୍ରମୁଖ କବିତାପାଠ କରିଥିଲେ । ସମାଜସେବୀ ବିଦ୍ୟୁତଲତା ନାୟକ, ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ, ସୁଧାକର ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଗାଳ୍ପିକ କୈଳାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।