Odiapua.com

କବାଟ ତାଢି ସୁନା ଅଳଙ୍କାର ଚୋରି ଅଭିଯୋଗ

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱ ନେଉଳିଆ ଗ୍ରାମର ପ୍ରଶାନ୍ତ କୁମାର ବଳଙ୍କ ବାସଗୃହରୁ ଗତ ବୁଧବାର ରାତ୍ରରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରେ ପୁରୁଷ ଲୋକ ନଥିବା ସୁଯୋଗ ନେଇ ରାତ୍ର ପ୍ରାୟ ୧୨ ଟା ସମୟରେ ଚୋରମାନେ ଘରର ସମ୍ମୁଖ ଦରଜା ତାଢି ଗୋଟିକ ପରେ ଗୋଟିଏ କୋଠରିରୁ ଚୋରି କରିଥିଲେ। କୌଣସି ଲୋକ ନଥିବା କୋଠରୀରେ ଥିବା ପୁରୁଣା ସିନ୍ଦୁକ ଚାବି ଭାଙ୍ଗି ସେଥିରେ ଥିବା ବାକ୍ସକୁ ନେଇଯାଇଥିଲେ। ଜଣେ ମାତ୍ର ମହିଳା ଶୋଇଥିବା ଅନ୍ୟ ଏକ କୋଠରୀରେ ଥିବା ଆଲମିରା ଭାଙ୍ଗୁଥିବା ବେଳେ ମହିଳା ଜଣକ ଚିତ୍କାର କରିଥିଲେ। ଚୋରମାନେ ତାଙ୍କ ମୁହଁରେ କଳା କପଡା ପକାଇ କାନଫୁଲ ଛିଡାଇ ନେଇ ପଳାଇଥିଲେ। ସୂଚନା ପାଇ ନେଉଳିଆ ଛକରେ ଦୋକାନରେ ଥିବା ପ୍ରଶାନ୍ତ ପୁଲିସକୁ ଖବର ଦେଇଥିଲେ। ପାଟ୍ରୋଲିଂ ପୁଲିସ ଓ ଗ୍ରାମ ଲୋକେ ଖୋଜାଖୋଜି କରିଥିଲେ। ମାତ୍ର ଗୁରୁବାର ସକାଳେ ପ୍ରାୟ ଏକ କିଲୋମିଟର ଦୂର ପର୍ବତୀ ମଦ ଦୋକାନ ନିକଟରେ ୩ଟି ଯାକ ବାକ୍ସ ଭଙ୍ଗା ଅବସ୍ଥାରେ ପଡିଥିବା ଦେଖିଥିଲେ। ଏ ସମ୍ପର୍କରେ ପ୍ରଶାନ୍ତ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ୨ଟି ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନା ହାର, କାନଫୁଲ ୩ ହଳ, ସୁନାମୁଦି ୩ଟା, ୩ଟି ସୁନା ଲକେଟ ଓ ୨ ହଳ ରୂପା ପାଉଁଜି ଚୋରି ହୋଇଛି। ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ଏ ସମ୍ପର୍କରେ ମାମଲା ଋଜୁ ହୋଇନଥିବା ଜଣାଯାଇଛି।