Odiapua.com

କନ୍ଧମାଳ ପୁଲିସ ହେପାଜତରେ ଥିବା ମହିଳା ମାଓବାଦୀଙ୍କ ଆତ୍ମହତ୍ୟା – ବର୍ଷେ ତଳେ କରିଥିଲେ ଆତ୍ମସମର୍ପଣ

କନ୍ଧମାଳ, ୨୫/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ମାଓବାଦୀଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ମହିଳା ମାଓବାଦୀ ସିଜୁ କହଁର। ବର୍ଷେ ହେଲା ସେ ପୁଲିସ ହେପାଜତରେ ଥିଲେ। କେଇସପ୍ତାହ ତଳେ ତାଙ୍କୁ ସରକାରଙ୍କ ଥଇଥାନ ପ୍ୟାକେଜ ଅନୁସାରେ କିଛି ଟଙ୍କା ମଧ୍ୟ ମିଳିଥିଲା। ହେଲେ ସୋମବାର ଦିନ ବେକରେ ଦଉଡ଼ି ଦେଇ ସେ ଆତ୍ମହତ୍ୟା କରିଛନ୍ତି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ଅନୁସନ୍ଧାନ ଚାଲିଛି ଏବଂ ଏହାପରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ ବୋଲି କହିଛନ୍ତି କନ୍ଧମାଳ ଏସପି ପ୍ରତୀକ ସିଂହ। ପ୍ରକାଶ ଯେ, ଗତବର୍ଷ ମାର୍ଚ ଶେଷ ସପ୍ତାହରେ ପୁଲିସ ନିକଟରେ ମାଓ କ୍ୟାଡର ସିଜୁ କହଁର ଆତ୍ମସମର୍ପଣ କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଆଉ ସେ ଗାଁକୁ ଫେରି ନ ଥିଲେ। କନ୍ଧମାଳ ପୁଲିସ ରିଜର୍ଭରେ ସେ ରହୁଥିଲେ। ହେଲେ ସୋମବାର ସକାଳେ ତାଙ୍କର ଝୁଲନ୍ତା ଶରୀର ଉଦ୍ଧାର କରାଯାଇଥିଲା। ବେକରେ ଦଉଡ଼ି ବାନ୍ଧି ସେ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି।ମୃତ ସିଜୁ କହଁରଙ୍କ ଘର ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗାର୍ଗୀସୋରୁ ଅଞ୍ଚଳରେ। ତେବେ କ’ଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଅୟୁତ ପ୍ରଶ୍ନ ସୃଷ୍ଟି କରିଛି। ମାଓ ସଙ୍ଗଠନରେ ପ୍ରତାଡ଼ିତ ହୋଇ ସେ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯେତେବେଳେ ବାହାରି ଆସିଥିଲେ ସେତେବେଳେ କେଉଁ ଚାପ ବା କେଉଁ ପରିସ୍ଥିତି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କଲା ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।