Odiapua.com

କନ୍ଧମାଳ ଜିଲ୍ଲାରେ ଆମ୍ବ ଚାରା ରୋପଣରେ ଦୁର୍ନୀତି ଅଭିଯୋଗ:ଗଛ ନାହିଁ କିନ୍ତୁ ଫଳକ ଅଛି :ତଦନ୍ତ ଦାବି

କନ୍ଧମାଳ, ୧୩/୦୩.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଏମ୍‌ଏନ୍‌ଆର୍‌ଇଜିଏସ୍‌ରେ ଫୁଲବାଣୀ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ‌ମୋଟ ୨୫୦ ଏକର ଜମିରେ ୨୫, ୦୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା। ଏଥିପାଇଁ ମୋଟ ୮୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ସେହିଭଳି ୨୦୧୯-୨୦ ଆର୍ଥିକ ବର୍ଷରେ ‌ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୨୧୦ ଏକର ଜମିରେ ୩୦, ୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା ଓ ଏଥିପାଇଁ ମୋଟ ୮୭.୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ୩୫୦ ଏକର ଜମିରେ ୪୦, ୬୦୦ ଆମ୍ବ ଚାରା ରୋପଣ କରା ଯାଇଥିଲା, ଯେଉଁ ବାବଦରେ ମୋଟ ୧ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆମ୍ବ ଚାରା ରୋପଣ କରା ଯାଉଥିବା ବେଳେ ଗୋଟିଏ ମଧ୍ୟ ଗଛ ବଞ୍ଚିଥିବା ଦେଖିବାକୁ ମିଳିନାହିଁ। ଏଭଳିକି ଚାରା ରୋପଣ ହୋଇଥିବା ନେଇ ମଧ୍ୟ ସନ୍ଦେହ ରହିଛି। ଏହା ପଛରେ ବିରାଟ ବଡ଼ ଦୁର୍ନୀତି ହୋଇଥିବା ଜଳ ଜଳ ‌ଦିଶୁଥିବା ବେଳେ ସରକାରୀ ଅର୍ଥ କେବଳ ପାଣିରେ ପଡ଼ିବା ସାର ହେଉଛି। ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଜିଲ୍ଲାବାସୀ ଦାବି କରିଛନ୍ତି। ଅପରପକ୍ଷେ, ଆମ୍ବ ଚାରା ରୋପଣ ଦୁର୍ନୀତି ନେଇ ଫୁଲବାଣୀ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମନୋଜ ଦାସଙ୍କ ସହ ଯୋଗାଯୋଗ କରାଯାଇଥିଲା। ତେବେ ଉଦ୍ୟାନ ବିଭାଗ ଏମ୍‌ଏନ୍‌ଆର୍‌ଇଜିଏର ସମସ୍ତ ଗାଇଡ୍‌ଲାଇନ୍‌ ପାଳନ କରି ଆମ୍ବ ଚାରା ରୋପଣ କରୁଛି ଏବଂ ଚାରାର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଘେରାଯାଉଛି। ତେବେ ଏ ସବୁ ସତ୍ତ୍ବେ କାହିଁକି ଚାରା ବଞ୍ଚୁନାହିଁ ତାହାର ତଦନ୍ତ କରାଯିବ ବୋଲି ଉପ ନିର୍ଦ୍ଦେଶକ ଶ୍ରୀ ଦାସ କହିଛନ୍ତି। ତଥ୍ୟ ସଂଗ୍ରହରୁ ଜଣାଯାଇଛି, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ କାସିନିପଦର ପଞ୍ଚାୟତ ଅଧୀନ ମାଝୀପଡ଼ା ଗ୍ରାମର ଦୁଇ ହିତାଧିକାରୀ ଗାନ୍ଧୀରାମ ପାତ୍ର ଓ ସୁରସେନ ମଲିକଙ୍କ ବାଡ଼ିରେ ଫୁଲବାଣୀ ଉଦ୍ୟାନ ବିଭାଗ ୨୦୧୯-୨୦ ଆର୍ଥିକ ବର୍ଷରେ ଏମ୍‌ଏନ୍‌ଆରଇଜିଏ ଯୋଜନାରେ ୨୦୦ ଲେଖାଏ ମୋଟ ୪୦୦ ଆମ୍ବ ଚାରା ରୋପଣ କରିଥିଲା। ଏ ବାବଦରେ ମୋଟ ୩.୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ମାତ୍ର ଆଜି ଏଠି ମୋଟ ୪୦୦ ଆମ୍ବ ଗଛରୁ ଗୋଟିଏ ବି ଗଛ ଜୀବିତ ନାହିଁ। ଏମ୍‌ଏନ୍‌ଆର୍‌ଇଜିଏ ଯୋଜନା ଅନୁସାରେ, ଦୁଇ କିସମର ଆମ୍ବଚାରା ରୋପଣ କରାଯାଇଥାଏ। ଗୋଟିଏ ହେଉଛି ସାଧାରଣ ଆମ୍ବ ଚାରା ରୋପଣ (ଏକର ପ୍ରତି ୪୦ ଆମ୍ବ ଚା‌ରା ରୋପଣ କରାଯାଏ) ଏବଂ ଅନ୍ୟଟି ସଘନ ଆମ୍ବ ଚାରା ରୋପଣ (ଏକର ପ୍ରତି ୧୬୦ ଗଛ ରୋପଣ ହୋଇଥାଏ)। ତେ‌ବେ ମାଝୀପଡ଼ାର ଏହି ଦୁଇ ହିତାଧିକାରୀଙ୍କ ବାଡ଼ିରେ ସଘନ ପ୍ରଣାଳୀରେ ଆମ୍ବ ଚ‌ା‌ରା ରୋପଣ କରାଯାଇଥିଲା ଏବଂ ଏ ବାବଦରେ ୩.୩୮ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ଟଙ୍କାରେ ଆମ୍ବ ବଗିଚା ଚାରିକଡ଼େ ତାରବାଡ଼ ବୁଲାଯିବା କଥା, ମାତ୍ର ଏମାନଙ୍କ ବଗିଚାରେ ତାରବାଡ଼ ବୁଲା ଯାଇନାହିଁ। ସେହିଭଳି ଆମ୍ବ ଚାରା ଲଗାଇବା ସହ ସାର, ଔଷଧ, ନିୟମିତ ପାଣି ସିଞ୍ଚନ, ଘାସ ବାଛିବା ଓ ଜଗାରଖା ପାଇଁ ମଧ୍ୟ ଏଥିରେ ବ୍ୟୟ ବରାଦ ହୋଇଥାଏ। ଏସବୁ ସତ୍ତ୍ବେ ଗାନ୍ଧୀରାମ ଓ ସୁରସେନଙ୍କ ବାଡ଼ିରେ ଗୋଟିଏ ବି ଆମ୍ବଚାରା ଜୀବିତ ରହିଲା ନାହିଁ। ଏହା ହିଁ ଦୁର୍ଭାଗ୍ୟଜନକ। ସେହିଭଳି ଆଉ ଏକ ଉଦାହରଣ ନିଆଯାଇ ପାରେ। ଫିରିଙ୍ଗିଆ ବ୍ଲକ୍ ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ତାମ୍ବିସୁଗା ଗ୍ରାମର ନନ୍ଦି ବିନ୍ଧାଣୀ, ଟେମ୍ପୁ ବିନ୍ଧାଣୀ, ପଲେ ବିନ୍ଧାଣୀ, ଜଗତ କହଁର, ଲସିଆ କହଁରଙ୍କ ବାଡ଼ିରେ ଏମ୍‌ଏନ୍‌ଆର୍‌ଇଜିଏସ ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ମୋଟ ୮୦୦ ଆମ୍ବ ଚାରା ରୋପଣ କରାଯାଇଥିଲା। ଏଥିପାଇଁ ମୋଟ ୭ ଲକ୍ଷ ଟଙ୍କା ଖର୍ଚ୍ଚ ‌ହୋଇଛି। ମାତ୍ର ଏଠାରେ ବି ଗୋଟିଏ ବି ଆମ୍ବ ଗଛ ଜୀବିତ ନାହିଁ। କେବଳ ଏହି ଦୁଇଟି ଘଟଣା ନୁହେଁ ବରଂ ଜିଲ୍ଲାର ଅଧିକାଂଶ ସ୍ଥାନରେ ଉଦ୍ୟାନ ବିଭାଗ ପକ୍ଷରୁ ଏମ୍‌ଏନ୍‌ଆର୍‌ଇଜିଏସ ଯୋଜନାରେ ଲଗାଯାଇଥିବା ଆମ୍ବ ଚାରା ବଞ୍ଚିନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଆମ୍ବ ଚାରା ଲଗାଯାଉଛି। ମାତ୍ର ଗୋଟିଏ ଗଛ ଜୀବିତ ରହୁନାହିଁ। ଏହା ହିଁ ବଡ଼ ପ୍ରଶ୍ନବାଚୀ ପାଲଟିଛି। ଉଦ୍ୟାନ ବିଭାଗ କେବଳ ଆମ୍ବ ଚାରା ଲଗେଇ ଦେଇ ନିଜର କର୍ତ୍ତବ୍ୟ ସାରି ଦେଉଛି। କ୍ଷେତ ଚାରି‌କଡେ ବାଡ଼ ଘେରା ଯାଉଛି କି ନାହିଁ, ଆମ୍ବ ଚାରାରେ ନିୟମିତ ପାଣି ଦିଆଯାଉଛି କି ନାହିଁ, ଗାଈଗୋରୁ, ଛେଳିଙ୍କୁ ଜଗିବାର ବ୍ୟବସ୍ଥା ହେଉଛି କି ନାହିଁ, ତାହା ତଦନ୍ତସାପେକ୍ଷ। ସବୁଠି ବିଭାଗ ପକ୍ଷରୁ ଲଗାଯାଇଥିବା ସୂଚନା ଫଳକ ରହିଛି। ମାତ୍ର ଗଛ ନାହିଁ। ଏ ନେଇ ଏକ ନିରପେକ୍ଷ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।