Odiapua.com

କନ୍ଧମାଳରେ କରୋନା ଭୟ: ସଭା, ପାର୍କ ବନ୍ଦ କଲା ପ୍ରଶାସନ

କନ୍ଧମାଳ, ୧୭/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କରୋନା ଭୟ ଏବେ ସବୁଠି ଘାରିଛି। କରୋନା ପାଇଁ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ଆସନ୍ତା ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲାପାଳମାନଙ୍କୁ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯିବା ପାଇଁ କୁହାଯାଇଛି। ଜିଲାପାଳ ଡା. ବୃନ୍ଦା ଡି ଏହାକୁ ଗୁରତ୍ୱର ସହ ନେଇଛନ୍ତି। ପ୍ରଥମ ପଦକ୍ଷେପ ସ୍ବରୁପ ଫୁଲବାଣୀ କରୋନେସନ ପଡିଆରେ ଜିଲା ଲେଖକ ସାମୁଖ୍ୟ ପକ୍ଷରୁ ୧୨ରୁ ଆରମ୍ଭ ହେବାକୁ ଥିବା ପୁସ୍ତକ ମେଳାକୁ ବାତିଲ କରିଛନ୍ତି। ସେହିପରି ସଭା ସମିତି କରି ଗହଳି ନ କରିବା, ଲଜ୍‌ଗୁଡିକ ଉପରେ ନଜର ରଖିବାକୁ ଜିଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁରେ ଜିଲାର ଅଧିକାଂଶ ଲୋକ କାମ କରୁଥିବାରୁ ସେମାନଙ୍କ ଯାତାୟତ ଉପରେ ନଜର ରଖାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ସେହିପରି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ ପାଇଁ ସଚେତନ ରଥ ବୁଲୁଥିବା ଏବଂ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ଜିଲାପାଳ ପ୍ରକାଶ କରିଛନ୍ତି।ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ଜିଲା ପଞ୍ଚାୟତ ଅଧିକାରୀ କିଶୋର ଚନ୍ଦ୍ର ପାଢ଼ୀ ଯାଇ କରୋନା ସମ୍ପର୍କରେ ସଚେତନ କରାଇଛନ୍ତି। ରାଜ୍ୟ ବାହାରେ କେରଳ, ତାମିଲନାଡୁ, କର୍ନାଟକରେ କାମ କରୁଥିବା ଲୋକେ ଗ୍ରାମକୁ ଫେରିଲେ ସେମାନଙ୍କୁ ତୁରନ୍ତ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ସ୍ବାସ୍ଥ୍ୟପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସନ୍ଦେହ ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପାଇଁ ଖୋଲାଯାଇଥିବା ସ୍ବତନ୍ତ୍ର ୱାର୍ଡ଼କୁ ନେବାକୁ ଲୋକମାନଙ୍କୁ କହିଛନ୍ତି। ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରବୀନ୍ଦ୍ରନାଥ ବେହେରା ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଲୋକନାଥ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ଦାରିଙ୍ଗବାଡ଼ିର ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ବନ୍ଦ କରି ଦିଆଯାଇଛି। ନେଚର ପାର୍କ, ହିଲ୍‌ଭିୟୁ ପାର୍କ, କଫି ବଗିଚା ଆଦିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ନେଚରପାର୍କ ଆସନ୍ତା ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ବାଲିଗୁଡ଼ା ଡିଏଫ୍‌ଓ ବିଶ୍ୱନାଥନ୍‌ନିଲନଭର କହିଛନ୍ତି। ହିଲ୍‌ଭିୟୁପାର୍କ ଦାୟିତ୍ୱରେ ରହିଥିବା ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ମଧ୍ୟ ପାର୍କ ବନ୍ଦ ଥିବା କହିଛନ୍ତି।