Odiapua.com

କନିଆରୀ ମଞ୍ଜିଖାଇ ବଡବିଲ ଅଞ୍ଚଳର ଜଣେ ମୃତ

ବଡ଼ବିଲ, ତା ୨୧ ମେ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରାଞ୍ଚଳର ୮ ନମ୍ବର ୱାର୍ଡ ମାଗାଜିନ୍ ହଟିଂରେ କନିଆରୀ ମଞ୍ଜି ଖାଇ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ମୃତକ ଜଣକ ଅର୍ଜ୍ଜୁନ ହାଇବୁରୁ (୫୫) ବୋଲି ଜଣାପଡ଼ିଛି। ଆଜି ସକାଳୁ ଅର୍ଜ୍ଜୁନ ଅସୁସ୍ଥ ହୋଇ ଗୁରୁତର ହେବାରୁ ପରିବାର ଲୋକମାନେ ସଙ୍ଗେ ସଙ୍ଗେ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସ୍ଥାନାନ୍ତର ସମୟରେ ଅଧାରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି। ଖବର ପାଇ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ଏଥିସହ ଘଟଣାର ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି। ଅର୍ଜ୍ଜୁନ ପୂର୍ବରୁ ମୂର୍ଚ୍ଛା ରୋଗରେ ପୀଡ଼ିତ ଥିବା ପରିବାର ଲୋକମାନେ ସୂଚନା ଦେଇଛନ୍ତି। ହେଲେ ସେ କ’ଣ ପାଇଁ କନିଆରୀ ମଞ୍ଜି ଖାଇ ଜୀବନ ହାରିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।