ନୟାଗଡ଼, ୫ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପ୍ରଖ୍ୟାତ କଣ୍ଠଶିଳ୍ପୀ ତଥା ଅନ୍ୟତମ ସାଲବେଗ ଭିକାରି ମହମ୍ମଦଙ୍କ ପରଲୋକ ହୋଇଯାଇଛି। କଟକ ବଡ଼ମେଡ଼ିକାଲରେ କିଛିଦିନ ଧରି ସେ ଚିକିତ୍ସିତ ହେଉଥିଲାବେଳେ ତାଙ୍କର କରୋନା ସଂକ୍ରମଣରେ ଆକ୍ରାନ୍ତ ହେଉଥିଲେ। ଆଜି ଭୋରରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ସେ ଥିଲେ ସର୍ବଧର୍ମ ସମନ୍ୱୟର ପ୍ରତୀକ, ଖଣ୍ଡପଡ଼ା ସାମନ୍ତ ମାଟିର ଲୋକପ୍ରିୟ କଣ୍ଠଶିଳ୍ପୀ, ଭକ୍ତି ସଙ୍ଗୀତ ‘ମୁଁ ଅନ୍ଧ ଭିକାରୀ’ର ସ୍ରଷ୍ଟା, ଜଗନ୍ନାଥପ୍ରେମୀ ଜାତିରେ ଯବନ ହେଲେବି ଜଗନ୍ନାଥଙ୍କ ଭଜନକୁ ଜୀବନବ୍ୟାପୀ ଗଳାର ହାର କରିଥିବା ତଥା ଦ୍ୱିତୀୟ ସାଲବେଗ ଭାବେ ପରିଚିତ ଭିକାରୀ ମହମ୍ମଦଙ୍କ ଦେହାନ୍ତ ସଙ୍ଗୀତ ଓ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ହେଲା ବୋଲି ବହୁ ସଂଗୀତ ପ୍ରେମୀ ଶୋକ ପ୍ରକଟ କରି କହିଛନ୍ତି। ନୟାଗଡ଼ ଖଣ୍ଡପଡ଼ାର ବାସିନ୍ଦା ଭିକାରୀ ମହମ୍ମଦ ଭିନ୍ନ ଭିନ୍ନ ସମୟରେ ସେ ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ମୁକ୍ତି ମଣ୍ଡପରେ ବସି ଭଜନ କରୁଥିଲେ। ଧର୍ମ ଓ ମିଥ୍ୟା ଈଶ୍ୱରୀୟ ଅହମିକାରେ ଆକ୍ତାମାକ୍ତା ଆଜିର ପୃଥିବୀରେ ଭିକାରୀ ମହମ୍ମଦ ଥିଲେ ଭାଇଚାରା ଓ ସଦ୍ଭାବନାର ଏକ ବିରଳ ଉଦାହରଣ। କିଏ ତାଙ୍କୁ ଜଗନ୍ନାଥଙ୍କ ଯବନ ଭକ୍ତ କହୁଥିଲେତ ଆଉକିଏ ମୁକ୍ତିମଣ୍ଡପର ଭିକାରି କହୁଥିଲେ। ସେ କୌଣସି ଧର୍ମରେ ନଥାଇ ମାନବିକତା ଧର୍ମକୁ ଆଦରି ନେଇଥିଲେ। ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।