Odiapua.com

କଣ୍ଟେନମେଣ୍ଟ ଜୋନ୍ କାହା ସ୍ୱାର୍ଥରେ! ହେଉନି ସେନିଟାଇଜ ଓ କଣ୍ଟାକ୍ଟ ଟ୍ରେସିଂ

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ କେଉଁ ଉଦ୍ଦେଶ୍ୟରେ ନୂତନ ଭାବେ ସଂକ୍ରମିତ ହେଉଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଅବରୋଧ ଅଞ୍ଚଳ ଘୋଷଣା କରୁଛି ତାକୁ ନେଇ ଜିଲ୍ଲାବାସୀ ଅନ୍ଧାରରେ ଅବରୋଧ ଅଞ୍ଚଳ ଘୋଷଣା ପରେ ସେଠାରେ ଆବଶ୍ୟକ ସେନିଟାଇଜେସନ ବା ବିଶୋଧନ କାର୍ଯ୍ୟ କରାଯାଉ ନାହିଁ । ଏହାବ୍ୟତୀତ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷଙ୍କ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉ ନାହିଁ । ଏପରି ଅଭିଯୋଗ ବିଭିନ୍ନ କଣ୍ଟେନମେଣ୍ଟ ଜୋନରୁ ଆସିବାରେ ଲାଗିଛି । ଟିଏମସି ହେଉ କିମ୍ବା ସ୍ଥାନୀୟ ଅଞ୍ଚଳ, କୌଣସି ସ୍ଥାନରୁ କରୋନା ସଂକ୍ରମିତ ଚିହ୍ନଟ ହେଲେ ସଂପୃକ୍ତ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ତୁରନ୍ତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଥାଏ । କରୋନା ସଂକ୍ରମଣର ପ୍ରଥମାବସ୍ଥାରେ ପ୍ରଶାସନ ପକ୍ଷରୁ ଯେଉଁ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଉଥିଲା, ସେସମସ୍ତ ସ୍ଥାନରେ କଣ୍ଟେନମେଣ୍ଟ କଟକଣାକୁ କଡ଼ାକଡ଼ି ଲାଗୁ କରାଯାଉଥିଲା । ସଂପୃକ୍ତ ଅଞ୍ଚଳରେ ଲୋକଙ୍କ ପ୍ରବେଶ ଓ ପ୍ରସ୍ଥାନ ଉପରେ ବହୁ କଟକଣା ଜାରୀ ହେଉଥିଲା । ଏହା ବ୍ୟତୀତ ଅବରୋଧ ଅଞ୍ଚଳକୁ ବିଶୋଧନ କରାଯିବା ସହ ଆକ୍ରାନ୍ତ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହାର ତଥ୍ୟ ସଂଗ୍ରହ କରି ଆବଶ୍ୟକ ସ୍ୱାବ୍ ପରୀକ୍ଷା କରାଯାଉଥିଲା ।

 

 

କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ସ୍ଥାନରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ପ୍ରଶାସନ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳକୁ ବଫର ଜୋନ ଘୋଷଣା କରି ଚୁପ୍ ବସୁଛି । ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବାର ଆବଶ୍ୟକତା ଥିଲେ ମଧ୍ୟ ସେତକ କରାଯାଉ ନାର୍ହି । କଣ୍ଟାକ୍ଟ ଟ୍ରେସିଂ କଥା ପ୍ରଶାସନ ଏକପ୍ରକାର ଭୂଲିଯାଇଛି । ଯଦି ତାଙ୍କ ସହ ମିଶିଶିଥିବା ବ୍ୟକ୍ତିବିଶେଷଙ୍କ ଠାରେ କୌଣସି କରୋନା ଲକ୍ଷଣ ପ୍ରକାଶ ପାଏ ତେବେ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରିବାକୁ ସେମାନଙ୍କୁ କୁହାଯାଉଛି । ଇତିମଧ୍ୟରେ ଭଦ୍ରକ ପୌରପାଳିକାର ବହୁ ୱାର୍ଡ଼ ସମେତ ପ୍ରାଚୀନଗରରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁମାନେକି ସ୍ଥାନୀୟ ସଂକ୍ରମିତ । କେଉଁ ସୂତ୍ରରୁ ସେମାନେ ସଂକ୍ରମିତ ହେଲେ, ତାର କୌଣସି ଖୋଜଖବର ନେବାକୁ ଉଚିତ ମନେ କରିନି ଜିଲ୍ଲା ପ୍ରଶାସନ । ସେହିପରି ଏସମସ୍ତ ଅଞ୍ଚଳକୁ ବିଶୋଧନ କରାଯାଉ ନାହିଁ କିମ୍ବା କଣ୍ଟାକ୍ଟ ଟ୍ରେସିଂ ଠିକ ଭାବରେ କରାଯାଉନଥିବା ଅଭିଯୋଗ ହେଉଛି । ଏପରି ପ୍ରଶାସନିକ ଅବହେଳା ପାଇଁ ସଂକ୍ରମଣ ବଢ଼ିବା ସହିତ ଏହା ଗୋଷ୍ଠି ସଂକ୍ରମଣର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ କରୁଛନ୍ତି ସଂପୃକ୍ତ ଅଞ୍ଚଳବାସୀ । ତେଣୁ ଯେଉଁ ଅଞ୍ଚଳରୁ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ସେସମସ୍ତ ସ୍ଥାନରେ ବ୍ୟାପକ ବିଶୋଧନ କାର୍ଯ୍ୟ ସହିତ କଣ୍ଟାକ୍ଟ ଟ୍ରେସିଂକୁ ହାତକୁ ନେବାର ଆବଶ୍ୟକତା ରହିଛି ବୋଲି ସହରବାସୀଙ୍କ ପକ୍ଷରୁ ମତପ୍ରକାଶ ପାଇଛି ।