Odiapua.com

କଣ୍ଟିଘାଇ ସୁଅରେ ଭାସିଯାଇ ଛାତ୍ର ମୃତ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଣ୍ଟିଘାଇ ଜଳସ୍ରୋତରେ ଭାସିଯାଇ ଜଣେ ଛାତ୍ର ଶୁକ୍ରବାର ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତ ନୌରଙ୍ଗପୁର ଗ୍ରାମର ଅରୁଣ ରାଉତଙ୍କ ଏକମାତ୍ର ୧୭ ବର୍ଷିୟ ପୁତ୍ର ନିରୋଜ ଗୋଡ ଖସିଯିବାରୁ ପ୍ରଖର ଜଳସ୍ରୋତରେ ଭାସିଯାଇଥିଲା । କଲେଜ ଯିବା ବାଟରେ ଥିବା ଗ୍ରାମର କଣ୍ଟିଘାଇ ଜଳ ପ୍ରବାହିତ ହେଉଥିବା ସର୍ତ୍ତାନାଳ ଜୋର ପାଶ୍ୱର୍ ରାସ୍ତା ଅତିକ୍ରମ କରୁଥିବା ବେଳେ ନିରୋଜ ଭାରସାମ୍ୟ ହରାଇ ଜୋରକୁ ଖସିପଡିଥିଲା । ପ୍ରଖର ଜଳସ୍ରୋତରେ ଭାସିଯାଉଥିବା ବେଳେ ସାହସୀ ଗ୍ରାମବାସୀମାନେ ନିରୋଜକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ଯାଜପୁର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଡାକ୍ତର ନିରୋଜକୁ ମୃତ ଘୋଷଣା କରିଥିଲେ । ପୁଲିସ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ କରିଥିଲା । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲଙ୍କ ନେତୃତ୍ୱରେ ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ବ୍ଲକ ସଭାପତି ଲକ୍ଷ୍ମୀଧର ସାହୁ, ଯୁବ ବିଜେଡି ବ୍ଲକ ସଭାପତି ଲଳିତ ରାଉତ, ରାଜେନ୍ଦ୍ର ଖଣ୍ଡାଇ, ମୁକୁନ୍ଦ ମଲ୍ଲିକ, ହେମନ୍ତ ଜେନା, ରାଜେଶ ବାରିକ, ସଞ୍ଜିବ ରାଉତ, ତୁଷାର ମିଶ୍ର ପ୍ରମୁଖ ମେଡିକାଲରେ ଶବ ବ୍ୟବଚ୍ଛେଦରେ ସହାୟତା କରିବା ସହ ଶୋକସନ୍ତପ୍ତ ପରିବାରକୁ ଶାନ୍ୱନା ଦେଇଥିଲେ । ସନ୍ଧ୍ୟାରେ ଶବ ବାରୁଣୀପଡିଆ ଶ୍ମଶାନରେ ସତ୍କାର କରାଯାଇଥିଲା । ଏହି ଘଟଣା ଯୋଗୁଁ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ନିରୋଜ +୨ ଦ୍ୱିତୀୟ ବର୍ଷ ଛାତ୍ରଥିଲା । ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲା । ନିରୋଜଙ୍କ ମୃତ୍ୟୁ ପରିବାର ପାଇଁ ଦାରୁଣ ଆଘାତ ସୃଷ୍ଟି କରିଛି ।