Odiapua.com

କଡା ଆଇନ ସତ୍ତ୍ୱେ ଥମୁନି ଶିଶୁ ନିର୍ଯ୍ୟାତନା , ଅନୁସୂଚୀତ ଜନଜାତିର ନାବାଳିକା ଉଦ୍ଧାର ପରେ ପୁଲିସକୁ ହସ୍ତାନ୍ତର

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଥମୁନି ଶିଶୁ ନିର୍ଯ୍ୟାତନା । ନିଜର ସୁଖ ସ୍ୱାଛନ୍ଦ୍ୟ ପାଇଁ ନାବାଳକ ଓ ନାବଳିକାମାନଙ୍କୁ ଘରେ ରଖି ଖଟାଇବା ଯେମିତି ଏକ ଗତାନୁଗତିକ ପ୍ରଥା ପାଲଟିଗଲାଣି । ଗତ ୧ବର୍ଷ ମଧ୍ୟରେ ଚାଇଲ୍ଟଲାଇନ ଦ୍ୱାରା ଦୁଇ ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ଘରୁ ୨ଜଣ ଶିଶୁ ଉଦ୍ଧାର ହୋଇଥିବାବେଳେ, ଆଜି ଭଦ୍ରକ ସହରର ଏକ ପ୍ରମୁଖ ରାଜରାସ୍ତା ପାଶ୍ୱର୍ରେ ଜଣେ ଅସହାୟ ଅନୁସୂଚୀତ ଜନଜାତିର ନାବାଳିକା ଉଦ୍ଧାର ହେବା ଘଟଣା, ପ୍ରଚଳିତ ଶିଶୁ ସୁରକ୍ଷା ଆଇନର ବିଭିନ୍ନ ଦିଗ ଉପରେ ପ୍ରଶ୍ନଚିହ୍ନ ଲଗାଇଛି । ଏବେବି ଆଇନର ଗଳାବାଟ ଦେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସମ୍ବେଦନହୀନ ହୋଇ ଅସହାୟ ଶିଶୁମାନଙ୍କୁ ସେମାନଙ୍କର ଦାରିଦ୍ର‌୍ୟତାର ସୁଯୋଗରେ ନିଜ ଘର କାମରେ ନିୟୋଜିତ କରିବା ସହ ସେମାନଙ୍କୁ ଅକଥନୀୟ ନିର୍ଯ୍ୟାତନା ଦେଇ ଚାଲିଛନ୍ତି । ତେବେ ଆଜି ମହତାବ ଛକ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଜନୈକା ନାବାଳିକା କାନ୍ଦୁଥିବାବେଳେ, ଜଣେ ସମାଜସେବୀ ସ୍ୱାଧିନ ସୁନ୍ଦର ଦାସ ତାଙ୍କୁ ଉଦ୍ଧାର କରି ସହରାଞ୍ଚଳ ଥାନାର ମହିଳା ଓ ଶିଶୁ ଡେସ୍କ ଅଧିକାରିଣୀ ଦୀପ୍ତିରେଖା ସ୍ୱାଇଁଙ୍କ ଜିମା ଦେଇଛନ୍ତି । ଉକ୍ତ ସ୍ଥାନ ଗ୍ରାମାଞ୍ଚଳ ଥାନା ଅଧିନରେ ଯାଉଥିବାରୁ ଶ୍ରୀ ଦାସ ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଲିଖିତ ଭାବେ ଏ ବିଷୟ ଅବଗତ କରିଛନ୍ତି । ଶ୍ରୀ ଦାସଙ୍କ ଅଭିଯୋଗପତ୍ର ଅନୁଯାୟୀ, ମହତାବ ଛକ ନିକଟରେ ଜଣେ ନାବାଳିକା ରାସ୍ତା କଡ଼ରେ ବସି ଅତ୍ୟନ୍ତ ଅସହାୟ ଭାବେ କାନ୍ଦୁଥିବାର ଖବର ପାଇଥିଲେ । ସେ ଘଟଣାସ୍ଥଳରେ ପହଞ୍ଚି ୧୦ରୁ ୧୨ ବର୍ଷର ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ପଚରାଉଚୁରା କରିଥିଲେ । ସଂପୃକ୍ତ ନାବାଳିକାର ଘର କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳରେ ଓ ସେ ସ୍ଥାନୀୟ ଏସବିଡି ସ୍କୁଲ ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଘରୋଇ କାମ କରୁଥିଲେ ।

କିନ୍ତୁ ଘର ମାଲିକଙ୍କ ନିର୍ଯ୍ୟତନା ଅସହ୍ୟ ହେବାରୁ ଏହି ନାବାଳିକା ଲୁଚି କରି ଘରୁ ପଳାଇ ଆସିଥିଲେ । ପରେ ଶ୍ରୀ ଦାସ ସହରାଞ୍ଚଳ ଥାନାକୁ ଖବର ଦେଇ ବିଭାଗୀୟ ଅଧିକାରିଣୀଙ୍କ ଜିମା ଦେଇଥିଲେ । ତେଣୁ ଗ୍ରାମାଞ୍ଚଳ ଥାନାଧିକାରୀ ଉଦ୍ଧାର ହୋଇଥିବା ନାବାଳିକାକୁ ନିଜ ହେପାଜତକୁ ନେବା ସକ୍ତାକୁ ଘରେ ରଖି ଖଟାଇବା ସହ ନିର୍ଯ୍ୟାତନା ଦେଇଥିବା ଗୃହକର୍ତ୍ତାଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ତେବେ ଗ୍ରାମାଞ୍ଚଳ ପୁଲିସ ଏହି ନାବାଳିକାଙ୍କୁ ଶିଶୁ ମଙ୍ଗଳ କମିଟି ସମ୍ମୁଖରେ ହାଜର କରାଇଥିବାବେଳେ, କମିଟି ତାକୁ ବାଇପାସସ୍ଥିତ ଚାଇଲ୍ଟଲାଇନକୁ ସ୍ଥାନାନ୍ତର କରିଛନ୍ତି । ଏକ ବିଶେଷ ସ୍ରୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଏହି ନାବାଳିକାଙ୍କୁ ନିୟମିତ ଭାବେ ନିର୍ଯ୍ୟାତନା ଦିଆଯାଉଥିଲା । ଆଜି ପୁଲିସ ଘଟଣାସ୍ଥଳକୁ ନେଇ ଗୃହକର୍ତ୍ତାଙ୍କ ଘର ଚିହ୍ନଟ କରିଥିବାର ଜଣାପଡ଼ିଛି । ତେବେ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଇନରେ ବ୍ୟାପକତା ରହିଛି । କିନ୍ତୁ ଶିଶୁ ମଙ୍ଗଳ କମିଟି, ଜି୍ଲା ଶ୍ରମ ବିଭାଗ ଓ ପୁଲିସର ଉଦାସୀନତା ହେତୁ ଏହି ଆଇନକୁ କଡକାକଡି ପାଳନ କରାଯାଉ ନାହିଁ । ଯାହାର ପ୍ରତିଫଳନ ନିମୟିତ ଭାବରେ ଜିଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ ପ୍ରାୟ ବର୍ଷକ ପୂର୍ବେ ଜଣେ ଅବସରପ୍ରାପ୍ତ ଅତିରିକ୍ତ ଏସପି ଅନୁସୂଚିତ ଜନଜାତିର ଜଣେ ନାବାଳିକାକୁ ଘରୋଇ କାର୍ଯ୍ୟରେ ନିୟୋଜିତ କରିଥିବା ସମୟରେ, ଚାଇଲ୍ଟଲାଇନ ତାକୁ ଉଦ୍ଧାର କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ସେହିପରି ବନ୍ତ ଅଞ୍ଚଳରେ ଅକଥନୀୟ ନିର୍ଯ୍ୟାତନା ସହି ନପାରି ଜଣେ ଅନୁସୂଚୀତ ଜନଜାତିର ନାବାଳକ ବିଷ ପିଇ କଟକରୁ ସୁସ୍ଥ ହୋଇ ଫେରିଥିଲେ । ତାଙ୍କ ବିରୁଦ୍ଧରେ ମଧ୍ୟ ସେପରି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ଶ୍ରମ ବିଭାଗ ।