ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ସରସଦା ପଂଚାୟତ ଉତରାଗଡିଆ ଗ୍ରାମ କଟରାଗଡିଆ ସାହି(୧୩ନଂ) ୱାର୍ଡ ସଦସ୍ୟ ଜଗନ ସାହୁ(୪୦) ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି। ଜବରଦଖଲ ଉଚ୍ଛେଦକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟିଥିବା ବିଷୟ ପୁଲିସ୍ ତଦନ୍ତରେ ଜାଣିବାକୁ ପାଇଛି। ଏବଂ ହତ୍ୟାକାରୀର କ୍ରାଇମ୍ ସ୍କ୍ରିନ୍ ରିକ୍ରିଏସନ କରି ତାକୁ ଆଜି କୋର୍ଟ ଚାଲାଣ କରିଥିବାର ଜଣାପଡିଛି। ଏହି ଘଟଣାରେ ପୁଲିସ ମାମଲା ଋଜୁ କରିଛି। ମୃତକଙ୍କ ପତ୍ନୀ ସୁଭଦ୍ରା ସାହୁଙ୍କ ଅଭିଯୋଗ କ୍ରମେ ପୁଲିସ ୩୦୧/୨୬ନଂ ନରହତ୍ୟା ମାମଲା ଋଜୁ କରିବା ସହ ମୁଖ୍ୟ ଅଭିଯୁକ୍ତ ରତ୍ନାକର ସାହୁ, ପିତା ହରିହର ସାହୁ ଓ ଜଗଦାନନ୍ଦ ନାୟକ(ଶାଶିନୀ)ଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ଜଣାଯାଇଛି। ଅଭିଯୁକ୍ତମାନଙ୍କୁ ଅବିଳମ୍ବେ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ପ୍ରକାଶ। ରତ୍ନାକର ଠାରୁ ହତ୍ୟାରେ ବ୍ୟବହୃତ ରକ୍ତଲଗା ଭୁଜାଲିକୁ ପୁଲିସ ଜବତ କରିବାରେ ସକ୍ଷମ ହୋଇଛି। ଥାନାଧିକାରିଣୀ ରାଜଲକ୍ଷ୍ମୀ ନାୟକ ଓ ଉପଖଣ୍ଡ ପୁଲିସ ଅଧିକାରୀ ବିଷ୍ଣୁଚରଣ ବାରିକ ସଦଳବଳେ ଘଟଣାସ୍ଥଳକୁ ଅଭିଯୁକ୍ତମାନଙ୍କୁ ନେଇ ଗୁରୁବାର ଯାଇ କ୍ରାଇମ ସିନ ରିକ୍ରିଏସନ କରିବା ସହ ତଦନ୍ତ ଚଳାଇଥିବା ଜଣାଯାଇଛି। ଘଟଣାସ୍ଥଳରୁ ୨ଟି ବାଇକ, ୨ଟି ବାଡି, ୫/୬ ହଳ ଜୋତା ମଧ୍ୟ ଜବତ ହୋଇଛି। ଏଥିରୁ ହତ୍ୟା ଘଟଣାରେ ବହୁ ଲୋକ ସଂପୃକ୍ତ ଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। ଗୁରୁବାର ଦିନ ୧୦ଟା ବେଳେ କଟରାଗଡିଆର ବହୁସଂଖ୍ୟକ ମହିଳା ଓ ପୁରୁଷ ଥାନାରେ ପହଂଚି ଅଭିଯୁକ୍ତମାନଙ୍କୁ ଦଣ୍ଡ ଦେବା ପାଇଁ ସେମାନଙ୍କ ହାତରେ ଛାଡି ଦେବାକୁ ଦାବି କରିଥିଲେ। ଅପରାହ୍ନ ୨ଟା ବେଳେ ମୃତ ଜଗନଙ୍କ ମରଶରୀର ବ୍ୟବଚ୍ଛେଦ ପରେ ଗ୍ରାମରେ ପହଂଚି ଶୋକାକୂଳ ପରିବେଶରେ ସଂସ୍କାର କରାଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବ୍ୟାପକ ଉତେଜନା ପ୍ରକାଶ ପାଇଛି। ହତ୍ୟାକାରୀ ତାର ପିତା ହରିହର ମିଳିତ ଭାବେ ୨୦୨୩ ମସିହାରେ ଜଗନଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ସେହି ମାମଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଏବେ ବିଚାରାଧିନ ରହିଛି। ଅଭିଯୋଗ ଅନୁଯାୟୀ ଗ୍ରାମରାସ୍ତାର ଜବରଦଖଲ ଉଚ୍ଛେଦ ଅଭିଯାନର ନେତୃତ୍ୱ ୱାର୍ଡସଦସ୍ୟ ଜଗନ ହିଁ ନେଉଥିଲେ। ତହସିଲ ଅମିନ ମାପଚୁପରୁ ଚିହ୍ନଟ ହୋଇଥିବା ଜବରଦଖଲ ଉଚ୍ଛେଦ ପାଇଁ ବୁଧବାର ସନ୍ଧ୍ୟାରେ ଗ୍ରାମରେ ବୈଠକ ବସିଥିଲା। ଏହି ବୈଠକକୁ ହତ୍ୟାକାରୀ ପରିବାର ବର୍ଜ୍ଜନ କରିଥିଲେ। ଏଥିପାଇଁ ମୁଣ୍ଡ ଗଡିବ ବୋଲି ଖୋଲାଖୋଲି ଭାବେ ରତ୍ନାକର ପ୍ରକାଶ କରିଥିଲେ। ବୈଠକ ସରିବା ପରେ ଜଗନ ଓ ବଟକୃଷ୍ଣ ସାହୁ ବାଇକ ଯୋଗେ ଗ୍ରାମରୁ ବାହାରି ଯାଉଥିବା ବେଳେ ଗାଁ ମୁଣ୍ଡରେ ରତ୍ନାକର ଓ ଅନ୍ୟମାନେ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ଜଗନ ଓ ବଟକୃଷ୍ଣଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ରତ୍ନାକରକୁ କାବୁ କରିବା ସହ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଅଭିଯୁକ୍ତ ଜଗଦାନନ୍ଦ ମୁଖ୍ୟ ଅଭିଯୁକ୍ତକୁ ବାଇକ ଯୋଗେ ଫେରାର କରାଉଥିଲା ବୋଲି ଅଭିଯୋଗ ହୋଇଛି। ସେଠାରେ ଜଗନକୁ ଡାକ୍ତର ମୃତଘୋଷଣା କରିଥିଲେ। ଗୁରୁତର ଆହତ ବଟକୃଷ୍ଣଙ୍କୁ ଜିଲ୍ଲା ଡାକ୍ତରଖାନାକୁ ରେଫର କରି ଦିଆଯାଇଥିଲା। ବଟକୃଷ୍ଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାଯାଇଛି। ଗତ କିଛି ଦିନ ହେବ ସ୍ଥାନୀୟ ଅଂଚଳରେ ଘଟୁଥିବା ଘଟଣା ଯୋଗୁଁ ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତି ସହ ଭଣ୍ଡାରିପୋଖରୀ ଅଂଚଳ ଯୋଡି ହୋଇଯାଇଥିବା ପ୍ରତୀୟମାନ ହୋଇଛି।