Odiapua.com

କଟକ ମହାନଗର ଶାନ୍ତି କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକର ପ୍ରସ୍ତାବ : ଅକ୍ଟୋବର ୪ରୁ ଦୁର୍ଗାପୂଜା ଆରମ୍ଭ ୯ରେ ଭସାଣୀ ଉତ୍ସବ

କଟକ ୩୦/୭ (ଓଡ଼ିଆ ପୁଅ) – ଚଳିତ ବର୍ଷ ଅକ୍ଟୋବର ୪ ତାରିଖ ମହାଷଷ୍ଠୀରୁ ଦୁର୍ଗାପୂଜା ଆରମ୍ଭ ହୋଇ ୯ ତାରିଖରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କଟକ ମହାନଗର ଶାନ୍ତି କମିଟିର ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକରେ ପ୍ରସ୍ତବ ଗ୍ରହଣ କରାଯାଇଛି। ଗତକାଲି ଦରଘାବଜାର ସ୍ଥିତ କମିଟିର ସ୍ଥାୟୀ କାର୍ଯ୍ୟାଳୟଠାରେ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କମିଟିର ସଭାପତି ଶ୍ରୀ ଦେବେନ୍ଦ୍ରନାଥ ସାହୁ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଶାନ୍ତି କମିଟିର ପୂର୍ବତନ ଉପସଭାପତି ତଥା–ଚୌଧୁରୀ ବଜାର ପୂଜା କିମିଟିର ପୂର୍ବତନ ସମ୍ପାଦକ ୰ ପୂର୍ଣ୍ଣଚନ୍ଦ୍ର ଦତଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। କମିଟିର ସାଧାରଣ ସମ୍ପାଦକ ଶ୍ରୀ ଭିକାରୀ ଦାସ ୨୦୧୮-୨୦୧୯ ମସିହାର ଆୟ-ବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ଏହା ବୈଠକରେ ସର୍ବସମ୍ମତ କ୍ରମେ ଅନୁମୋଦନ ଲାଭ କରିଥିଲା। ନୂତନ ଦୁର୍ଗାମଣ୍ଡପରେ ପ୍ରଥମ ଦୁର୍ଗାପୂଜା ଆୟୋଜନ କରୁଥିବା ଦରଖାପାଟଣା ପୂଜା କମିଟି ସମ୍ପାଦକ ଶ୍ରୀ ରଞ୍ଜନକୁମାର ବେଉରାଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତା ସେପ୍ଟେମ୍ବର ୧ ତାରିଖ ରବିବାର ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ଦୁର୍ଗାମଣ୍ଡପ ପରିସରରେ କଟକ ମହାନଗର ଶାନ୍ତି କମିଟିର ଦୁର୍ଗାପୂଜା ଓ ଭସାଣୀ ଉତ୍ସବ ପ୍ରସ୍ତୁତି ସଭା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା। ଏହି ସଭାରେ ସମସ୍ତ ନିର୍ବାଚିତ ଲୋକପ୍ରତିନିଧି, ରାଜନୈତିକ ଦଳର ନେତୃବୃନ୍ଦ, ଜିଲ୍ଲା ପ୍ରସାଶନ ଓ ପୋଲିସ୍ ପ୍ରସାଶନ ପଦାଧିକାରୀଙ୍କ ସମେତ ୧୬୫ଟି ମଣ୍ଡପର ସଭାପତି ଓ ସମ୍ପାଦକମାନଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ସ୍ଥିର କରାଗଲା। ମଣ୍ଡପମାନଙ୍କ ନିମନ୍ତେ ବାର୍ଷିକ ସଭ୍ୟ ଚାନ୍ଦା ୫୦୦ ଟଙ୍କା ଧାର୍ଯ୍ୟ କରାଗଲା। ଆସନ୍ତା ଡିସେମ୍ବର ମାସରେ ଆଗାମୀ ୫ ବର୍ଷ ନିମନ୍ତେ କଟକ ମହାନଗର ଶାନ୍ତି କମିଟିର ନୂତନ କର୍ମକର୍ତା ନିର୍ବାଚନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ଶେଷରେ କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗାନାରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କର୍ମକର୍ତା ସର୍ବଶ୍ରୀ ଆଇନଜୀବୀ ବିଜୟକୁମାର ଦାଶ, ପ୍ରଦୀପକୁମାର ସିହ୍ନା, ନୃସିଂହଚରଣ ଚୌଧୁରୀ, ମନୋରଞ୍ଜନ ସାହୁ, ଶିବେନ୍ଦ୍ର ହାତୀ, ଆଇନଜୀବୀ ତାପସକୁମାର ପ୍ରହରାଜ, ଧର୍ମେଶ ନାୟକ, ବାମନଚରଣ ଆଚାର୍ଯ୍ୟ, ରାଜକିଶୋର ନାୟକ, କେଦାରନାଥ ବେହେରା, ନରେଶଚନ୍ଦ୍ର ସାହୁ, ଡ଼.ଦ୍ୱିପାୟନ ପଟ୍ଟନାୟକ, ଦେବାଶିଷ ରାୟ, ବିଜୟକୁମାର ବେହେରା, ଦେବେନ୍ଦ୍ରନାଥ କାହାଳୀ, ମୀନକେତନ ଦାସ, ପ୍ରଦୀପକୁମାର ମହାରଣା, ରବୀନ୍ଦ୍ରକୁମାର ବେହେରା, ଆଇନଜୀବୀ ସର୍ବେଶ୍ୱର ବେହେରା, ପ୍ରଦୀପକୁମାର ସିଂହ, ଆଇନଜୀବୀ ନଳିନୀକାନ୍ତ ସେନାପତି, ଧୀରେନ୍ଦ୍ରକୁମାର ପ୍ରଧାନ, ହାବୁ ସିଂହ, ଭାନୁପ୍ରତାପ ସାହୁ ଓ କାର୍ଯ୍ୟାଳୟ ସଂପାଦକ କେଦାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।