Odiapua.com

କଟକ ଡିଜିଏଫ୍ଟି ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରସଙ୍ଗ : ସ୍ଥାନାନ୍ତରଣ ନିଷ୍ପତିର ପୁର୍ନବିଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

– କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର
– କେନ୍ଦ୍ର ସରକାରଙ୍କର ଏହି ଅଫିସ ଓଡିଶାର ରପ୍ତାନୀ ଓ ଆମଦାନୀକାରୀ ମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଉଛି
– ଆଂଟି ଡମ୍ପି ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ ଓଡିଶାର ରପ୍ତାନୀକାରୀ ମାନଙ୍କୁ ସାହାଯ୍ୟ ସହଯୋଗ କରୁଅଛି

ନୂଆଦିଲ୍ଲୀ/ ଭୁବନେଶ୍ୱର, ସେପ୍ଟେମ୍ବର ୨୫ (ଓଡ଼ିଆ ପୁଅ) – ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ(ଡିଜିଏଫ୍ଟି)ର କଟକ ସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କଲିକତା ସହ ମିଶାଇବା ପାଇଁ ସ୍ଥାନାନ୍ତର ନିଷ୍ପତିର ପର୍ନବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କର କଟକ ସ୍ଥିତ ଡିଜିଏଫଟି ଆଂଚଳିକ କାର୍ଯ୍ୟାଳୟ ଓଡିଶାର ରପ୍ତାନୀ ଓ ଆମଦାନୀକାରୀ ମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ସହାୟତା ଯୋଗାଇ ଦେଉଛି। ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ବିକାଶ, ବିଶ୍ୱ ବାଣିଜ୍ୟ ଚୁକ୍ତି (ଡବ୍ଲୁଟିଓ) ଅନୁସାରେ କିମ୍ବା ବିଭିନ୍ନ ନିୟମକାନୁନ ତଥା ଆଂଟି ଡମ୍ପି ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ ଓଡିଶାର ରପ୍ତାନୀକାରୀ ମାନଙ୍କୁ ସାହାଯ୍ୟ ସହଯୋଗ କରୁଅଛି।

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଉପକୂଳବର୍ତ୍ତୀ ରାଜ୍ୟ ଓଡିଶାରେ ପାରାଦୀପ ଭଳି ବନ୍ଦର ରହିଛି। ଦେଶରେ ଜାହାଜରେ ମାଲ୍ ରପ୍ତାନୀ କରିବା ଦିଗରେ ଏହି ବନ୍ଦର ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଜାପାନକୁ ସାମୁ୍ଦ୍ରିକ ଖାଦ୍ୟ ରପ୍ତାନୀ କରିବା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ବ୍ୟତିତ ରାଜ୍ୟର ଧାମରା ବନ୍ଦର ମଧ୍ୟ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସାୟ ତଥା ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆନରେ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଅଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରକୁ ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଓଡିଶା ସର୍ବାଧିକ ଖଣିଜ ଦ୍ରବ୍ୟ, ହସ୍ତତନ୍ତ, ବନଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଏବଂ କୃଷି ଜାତ ଦ୍ରବ୍ୟ ରପ୍ତାନୀ କରୁଅଛି।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକ ସ୍ଥିତ ଆଂଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଏହାକୁ କଲିକତାର ପୂର୍ବତଟ ଡିଜିଏଫ୍ଟି କାର୍ଯ୍ୟାଳୟ ସହ ମିଶାଇବାକୁ ନିଷ୍ପତି ନେଇଥିବା ବେଳେ ଓଡିଶାର ବିକାଶ ତଥା ରାଜ୍ୟର ଉତ୍ପାଦନକାରୀ ଓ ରପ୍ତାନୀର ଲାଭକୁ ଦୃଷ୍ଟିରେ ରଖି ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।