Odiapua.com

କଟକ ଏସସିବି ମେଡ଼ିକାଲ କଲେଜର ପ୍ଲାଟିନମ ଜୁବଲି କନକ୍ଲେଭ୍‌ରେ ଦୀକ୍ଷାନ୍ତ ଅଭିଭାଷଣ

ନୂଆ ଦିଲ୍ଲୀ ୨୬ ନଭେମ୍ବର ୨୦୨୧
ପିକେ ମିଶ୍ର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପ୍ରଫେସର ଦତେଶ୍ୱର ହୋତା, ଅଧ୍ୟକ୍ଷ, ଏସସିବି ମେଡ଼ିକାଲ କଲେଜ; ପ୍ରଫେସର ବିଦ୍ୟୁତ ଦାସ, ବୈଜ୍ଞାନିକ ସମିତି ଅଧ୍ୟକ୍ଷ; ପ୍ରଫେସର ମହାପାତ୍ର, ସଂଯୋଜକ; ଅଧ୍ୟାପକ ଓ କର୍ମଚାରୀଗଣ, ସମ୍ମାନିତ ଅତିଥି ଓ ପୂର୍ବତନ ଛାତ୍ରଛାତ୍ରୀଗଣ, ଏବଂ ମୋର ପ୍ରିୟ ଛାତ୍ରଛାତ୍ରୀମାନେ;

ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କେବଳ ଓଡ଼ିଶା ପାଇଁ ନୁହେଁ ସାରା ଦେଶ ପାଇଁ ସଂସ୍କୃତି, ଐତିହ୍ୟ, ଶିକ୍ଷା ଏବଂ ମୂଲ୍ୟବୋଧର ଏକ ପ୍ରତୀକ। ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନର ପ୍ଲାଟିନମ ଜୁବଲି ସମାରୋହର ଅଂଶବିଶେଷ ସ୍ୱରୂପ ଆୟୋଜିତ ଗ୍ଲୋବାଲ କନକ୍ଲେଭରେ ଭର୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରି ମୁଁ ଆନନ୍ଦିତ।

ଏହି ଶିକ୍ଷାନୁଷ୍ଠାନର ଏକ ଲମ୍ବା ଇତିହାସ ରହିଛି। ମରାଠା ଶାସନ ସମୟରେ ଏହା ଏକ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଭାବେ କାମ କରୁଥିଲା। ବିଶେଷ କରି ରଥଯାତ୍ରା ସମୟରେ ପୁରୀକୁ ଯିବାଆସିବା କରୁଥିବା ଅସୁସ୍ଥ ତୀର୍ଥଯାତ୍ରୀମାନଙ୍କୁ ଏଠାରେ ପ୍ରାଥମିକ ଚିକିତ୍ସା କରାଯାଉଥିଲା। ପ୍ରାୟ ଦେଢ଼ ଶହ ବର୍ଷ ପୂର୍ବେ, ୧୮୫୭ ମସିହାରେ, ଓଡ଼ିଶା ମେଡ଼ିକାଲ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା, ଯାହାକି ପରବର୍ତ୍ତୀ ସମୟରେ ୧୯୪୪ରେ ଓଡ଼ିଶା ମେଡ଼ିକାଲ କଲେଜ ହୋଇଥିଲା। ମୟୁରଭଞ୍ଜର ତତ୍‌କାଳୀନ ମହାରାଜାଙ୍କ ସମ୍ମାନରେ ୧୯୫୧ ମସିହାରେ ଏହି ଶିକ୍ଷାନୁଷ୍ଠାନର ନାମକରଣ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କରାଯାଇଥିଲା।

ଏହି କଲେଜ ଆଜି ଦେଶରେ ଶିକ୍ଷାଦାନ, ଗବେଷଣା ଓ ସ୍ୱାସ୍ଥ୍ୟସେବାର ଅନ୍ୟତମ ପ୍ରମୁଖ ଅନୁଷ୍ଠାନ ହୋଇପାରିଛି। ତେଣୁ, ପ୍ରଭୁ ଜଗନ୍ନାଥଙ୍କ କୃପାରୁ, ଶ୍ରଦ୍ଧାଳୁମାନଙ୍କର ସେବା ଭାବନା ନେଇ ଆରମ୍ଭ କରାଯାଇଥିବା ଶିକ୍ଷାନୁଷ୍ଠାନ ଆଜି, ଭେଷଜ, ଶଲ୍ୟ ଚିକିତ୍ସା ପାଠ୍ୟକ୍ରମ ସହ ହୃଦରୋଗ, ସ୍ନାୟୁରୋଗ ଏବଂ ଆହୁରି ଅନେକ ବିଶେଷଜ୍ଞ ଚିକିତ୍ସା ବିଜ୍ଞାନ ଅଧ୍ୟୟନର କେନ୍ଦ୍ର ପାଲଟିଛି।

ଉଲ୍ଲେଖନୀୟ ଉପଲବ୍ଧି ପାଇଁ, ଏହି କଲେଜ ବିଭିନ୍ନ ମହଲରୁ ସମ୍ମାନ ଓ ମାନ୍ୟତା ଲାଭ କରିବା ଆନନ୍ଦର ବିଷୟ। ଏହି ଶିକ୍ଷାନୁଷ୍ଠାନରୁ ବହୁ ସଂଖ୍ୟକ, ଡାକ୍ତର, ବିଶେଷଜ୍ଞ ଡାକ୍ତର, ଦନ୍ତ ଚିକିତ୍ସା ବିଶେଷଜ୍ଞ, ନର୍ସ ସୃଷ୍ଟି ହୋଇଛନ୍ତି ଯେଉଁମାନେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହି ମାନବ ଜାତିର ସେବା କରୁଛନ୍ତି ଏବଂ କଟକ ଏସସିବିକୁ ଏକ ବିଶ୍ୱସ୍ତରୀୟ ପରିଚୟ ଦେଇପାରିଛନ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନ ଶିକ୍ଷା ପଦ୍ଧତି ଓ ପାଠ୍ୟକ୍ରମ କ୍ଷେତ୍ରରେ ଏହି ଅନୁଷ୍ଠାନ ଅଗ୍ରଣୀ ହୋଇପାରିଛି। ଏହି ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରଛାତ୍ରୀମାନେ ବିଭିନ୍ନ ପେସା, ଶିକ୍ଷାନୁଷ୍ଠାନରେ ତଥା ଗବେଷଣା କ୍ଷେତ୍ରରେ ନେତୃସ୍ଥାନୀୟ ପଦପଦବୀରେ ଅବସ୍ଥାପିତ ରହିଛନ୍ତି। କେବଳ ଓଡ଼ିଶାରୁ ନୁହେଁ ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ରୋଗ ଓ ଅସୁସ୍ଥତାରୁ ମୁକ୍ତି ପାଇବା ଲାଗି ଏଠାକୁ ଆସୁଥିବା ବହୁସଂଖ୍ୟକ ଲୋକଙ୍କ ପାଇଁ ଏହି ମେଡ଼ିକାଲ କଲେଜ ହସ୍ପିଟାଲ ଏକ ଆଶାର ପ୍ରତୀକ ହୋଇରହିଛି। ଏଠାରେ ମାଗଣାରେ ଏବଂ ଉଚ୍ଚମାନର ଚିକିତ୍ସା ପାଉଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ।

ବନ୍ଧୁଗଣ, ଦେଶ ସ୍ୱାଧୀନତାର ୭୫ତମ ବର୍ଷରେ ଏବଂ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯାଉଥିବା ସମୟରେ ଏହି ପ୍ଲାଟିନମ ଜୁବଲି ସମାରୋହ ଆୟୋଜନ କରାଯାଉଛି। ଆସନ୍ତା ୨୫ ବର୍ଷର ସମୟ – ଏହି ଅମୃତ କାଳରେ ଦେଶକୁ ଆଗେଇ ନେବା ଲାଗି କଠିନ ପରିଶ୍ରମ କରିବା ଲାଗି ଆମ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି, ଯାହାଫଳରେ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ରରେ ପରିଣତ ହୋଇପାରିବ। ଏହି ପ୍ରୟାସରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆର୍ଥିକ ଅଭିବୃଦ୍ଧି ଓ ବିକାଶ କେବଳ ଭୌତିକ ପୁଞ୍ଜି ଉପରେ ନିର୍ଭର କରେ ନାହିଁ, ବରଂ ଏହା ମାନବ ପୁଞ୍ଜି ଉପରେ ଯଥେଷ୍ଟ ପରିମାଣରେ ନିର୍ଭରଶୀଳ। ପ୍ରାମାଣିକ ତଥ୍ୟକୁ ଆଧାର କରି ହୋଇଥିବା ବିକାଶ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଯେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ତଥା ମାନବ ସମ୍ବଳ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲେ, ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଭଳି ଦେଶଗୁଡ଼ିକ ୭୦, ୮୦ ଦଶକ ଏବଂ ପରବର୍ତ୍ତୀ କାଳରେ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହାସଲ କରିପାରିଥା’ନ୍ତେ। ଯଦିଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯଥେଷ୍ଟ କାର୍ଯ୍ୟ କରାଯାଇଛି, ତଥାପି ଦେଶରେ ଆସନ୍ତା କିଛି ବର୍ଷ ପର୍ଯ୍ୟନ୍ତ ଆମକୁ ଅଧିକ ସମ୍ବଳ ବିନିଯୋଗ କରିବା ଏବଂ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ବିକଶିତ କରିବାର ଆବଶ୍ୟକତା ରହିଛି। ଏହା ଫଳରେ ଆମେ ଆର୍ଥିକ ବିକାଶ ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରିପାରିବା।

କୋଭିଡ-୧୯ ମହାମାରୀ ସାରା ବିଶ୍ୱକୁ କବଳିତ କରିଛି। ଏହାର ବ୍ୟାପକତା ଏବଂ ସଂକ୍ରମଣର ପ୍ରସାର ଅବିଶ୍ୱସନୀୟ। ଏହା ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥା, ନୀତି ଏବଂ ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଏହି ମହାମାରୀ ଏକ ଅପ୍ରତ୍ୟାଶିତ ଘଟଣା କି ନୁହେଁ ତାହା ଏକ ବିତର୍କର ବିଷୟ। କିନ୍ତୁ ବାସ୍ତବତା ହେଉଛି ମହାମାରୀର ପ୍ରଭାବ ଅତ୍ୟନ୍ତ ବ୍ୟାପକ ଏବଂ ଏ ସମ୍ପର୍କରେ ପୂର୍ବାନୁମାନ ଓ ପ୍ରାକ୍ ଆକଳନ କରିବା ପ୍ରାୟତଃ ଅସମ୍ଭବ ଥିଲା। ତେବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଗ ଧାଡ଼ିରେ ରହି ନୂଆ ବିପଦ, ଅଜଣା ଭୂତାଣୁ ସହ ମୁକାବିଲା କରିବା, ଅଗଣିତ ବଳିଦାନ ଦେବା ଏବଂ ଗୁରୁତ୍ୱପୂର୍ଣ୍ଣ ଜୀବନ ରକ୍ଷା କରିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ଭୂମିକା ପ୍ରଶଂସନୀୟ। ସମଗ୍ର ବିଶ୍ୱ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ଅଭୂତପୂର୍ବ ଥିଲା। ଏହା ସାରା ବିଶ୍ୱରେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନୀତି ପ୍ରଣୟନ ପ୍ରାଥମିକତାର କେନ୍ଦ୍ରସ୍ଥାନକୁ ଆଣିଥିଲା।

କୋଭିଡ-୧୯ ସମୟରେ ଆମ ଦୃଷ୍ଟିକୋଣର ପାଂଚଟି ପ୍ରମୁଖ ବୈଶିଷ୍ଟ୍ୟ ରହିଆସିଛି:

ଗବେଷଣା କ୍ଷମତା ସମେତ ଅନେକ ବିଷୟରେ ସେମାନଙ୍କର କ୍ଷମତାକୁ ପୁନଃଉପଯୋଗ କରିବା;

ନିଦାନ ଓ ଚିକିତ୍ସା ପରିଚାଳନା ସୁବିଧାକୁ ବଢ଼ାଇବା ଲାଗି ଏକ ସନ୍ଦର୍ଭ ଆଧାରିତ, କ୍ରମାଙ୍କନ ଦୃଷ୍ଟିକୋଣ;

ଏକ ସାମଗ୍ରିକ ସରକାରୀ ଦୃଷ୍ଟିକୋଣ;

ପ୍ରତ୍ୟେକ ନାଗରିକମାନଙ୍କର କ୍ଷମତା ଓ ପାରସ୍ପରିକ ସହଯୋଗକୁ ବିନିଯୋଗ କରି ଏକ ସାମଗ୍ରିକ ସାମାଜିକ ଦୃଷ୍ଟିକୋଣ

ପ୍ରଯୁକ୍ତିର ଉଚିତ୍ ପ୍ରୟୋଗ

ଭାରତ କିଭଳି ଭାବେ ନିଜ ଦେଶରେ ଅତି କମ ସମୟ ମଧ୍ୟରେ ମାସ୍କ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଭେଂଟିଲେଟର ଓ ଅନ୍ୟ ଚିକିତ୍ସା ଉପକରଣ ନିର୍ମାଣ କରିବାରେ ସଫଳ ହେଲା ଏବଂ ସ୍ୱଦେଶୀ ଟିକା ବିକଶିତ କରିବା ସହିତ ବିଦେଶରେ ବିକଶିତ ଟିକା ଉତ୍ପାଦନ କଲା ସେ ବିଷୟରେ ମୁଁ ବିସ୍ତୃତ ଭାବେ ଆଲୋଚନା କରିବାକୁ ଚାହୁଁନାହିଁ। ଆପଣମାନେ ଜାଣନ୍ତି ଯେ, ଏଥିମଧ୍ୟରୁ ଅଧିକାଂଶ ସାମଗ୍ରୀ ପୂର୍ବରୁ ବିଦେଶରୁ ଆମଦାନୀ କରାଯାଉଥିଲା। କୋଭିଡ-୧୯ ପରିସ୍ଥିତି ବିଶେଷ କରି ଦ୍ୱିତୀୟ ଲହରୀ ସମୟରେ ମେଡ଼ିକାଲ ଅକ୍ସିଜେନ ଆବଶ୍ୟକତା ବହୁଗୁଣ ବୃଦ୍ଧି ପାଇଥିଲା। ବର୍ତମାନ ଆମର ଡାକ୍ତରଖାନାଗୁଡ଼ିକରେ ଅକ୍ସିଜେନ ଉତ୍ପାଦନ କରୁଥିବା ୩ହଜାରରୁ ଅଧିକ ପିଏସଏ ପ୍ଲାଂଟ ରହିଛି। ଅକ୍ସିଜେନ ଯୋଗାଣ ବୃଦ୍ଧି ପାଇଁ ଆହୁରି ଅନ୍ୟ ଉତ୍ସ ମଧ୍ୟ ରହିଛି। ୮, ୫୦୦ରୁ ଅଧିକ ଜନୌଷଧି କେନ୍ଦ୍ର ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି।

ଆଜି ଆମେ ୧୨୦ କୋଟି ଡୋଜ୍ ଟିକାକରଣ ଉପଲବ୍ଧି ହାସଲ କରିସାରିଛୁ। ୮୩% ପ୍ରତିଶତ ଯୋଗ୍ୟ ହିତାଧିକାରୀଙ୍କୁ ଗୋଟିଏ ଡୋଜ ଏବଂ ୪୫% ପ୍ରତିଶତ ଯୋଗ୍ୟ ହିତାଧିକାରୀ ଦୁଇଟି ଲେଖାଏଁ ଡୋଜ୍ ଟିକା ନେଇଛନ୍ତି, ବିଶ୍ୱସ୍ତରରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି। କୋ-ୱିନ ପ୍ଲାଟଫର୍ମର ବିକାଶ ଏବଂ ବ୍ୟବହାର ବ୍ୟାପକ ପ୍ରଯୁକ୍ତି ଉପଯୋଗର ଏକ ପ୍ରମାଣ। ନୂଆ ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଏବଂ ବିଗତ କିଛି ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ତେବେ ଆତ୍ମସନ୍ତୋଷ ଲାଭ କରିବାର ସମୟ ଏବେ ଆସିନାହିଁ। ବିଶେଷ କରି ୟୁରୋପ ଏବଂ କେତେକ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଆମକୁ କୋଭିଡ-ଉପଯୁକ୍ତ ବ୍ୟବହାର ପାଳନ କରିବାକୁ ହେବ।

କୋଭିଡ-ପରବର୍ତ୍ତୀ ବିଶ୍ୱରେ ଆମ ନୀତି, ପ୍ରାଥମିକତା ଓ ପ୍ରଯୁକ୍ତିର ଉପଯୋଗ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି। ଏବେ ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରତି ପୂର୍ବାପେକ୍ଷା ଅଧିକ ଧ୍ୟାନ ଏବଂ ଗୁରୁତ୍ୱ ଦେବାର ସମୟ ଆସିଛି। ନିଃସନ୍ଦେହରେ ଅଧିକ ନିବେଶ କରିବାର ଆବଶ୍ୟକତା ରହିଛି। ଆହୁରି ଯେଉଁମାନେ ସୁଲଭ ଓ ଉନ୍ନତମାନର ସ୍ୱାସ୍ଥ୍ୟସେବାରୁ ବଂଚିତ ରହିଛନ୍ତି ସେମାନଙ୍କୁ ଏହା ଯୋଗାଇ ଦେବା କ୍ଷେତ୍ରରେ ସମାବେଶୀ ଆଭିମୁଖ୍ୟ ପୋଷଣ କରିବା ଜରୁରି ହୋଇପଡ଼ିଛି।

ବିଗତ ସାତ ବର୍ଷ ମଧ୍ୟରେ ଭାରତ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଁ ୪ଟି ବୃହତ ପଦକ୍ଷେପ ବିଷୟରେ ଉଲ୍ଲେଖ କରିବାକୁ ଚାହୁଁଛି।

ପ୍ରଥମତଃ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ ୱେଲନେସ କେନ୍ଦ୍ର ନିର୍ମାଣ ଯୋଜନା ୨୦୧୮ରେ ଆରମ୍ଭ କରାଯାଇଥିଲା। ଏହାର ଲକ୍ଷ୍ୟ ହେଉଛି ଦେଶରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପରିଦୃଶ୍ୟରେ ପରିବର୍ତ୍ତନ ଆଣିବା। ୨୦୨୨ ସୁଦ୍ଧା ଦେଢ଼ ଲକ୍ଷ୍ୟ ସ୍ୱାସ୍ଥ୍ୟ ଓ ୱେଲନେସ କେନ୍ଦ୍ର କାର୍ଯ୍ୟକ୍ଷମ ହେବ; ବର୍ତମାନସୁଦ୍ଧା ଏଥିମଧ୍ୟରୁ ୮୦, ୦୦୦ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଲାଣି। କେବଳ ଚିକିତ୍ସା ପ୍ରତି ପ୍ରାଥମିକତା ଦିଆଯାଉନାହିଁ, ବରଂ ଜୀବନଶୈଳୀ ରୋଗ ସମେତ ସମ୍ପୂର୍ଣ୍ଣ ରୋଗ ନିରାକରଣ, ଟେଲିମେଡ଼ିସିନ ଏବଂ ଯୋଗର ସମ୍ମିଶ୍ରଣ ପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ଜଣେ ମଧ୍ୟମ ସ୍ତରର ସେବା ପ୍ରଦାନକାରୀ ୧୨ଟି ପ୍ୟାକେଜରେ ଚିକିତ୍ସା, ଔଷଧ ପ୍ରଦାନ ଏବଂ ଜରୁରି ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ପ୍ରଦାନ କରିବେ।

ଦ୍ୱିତୀୟତଃ, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏମ-ଜେଏୱାଇ) ୨୦୧୮ରେ ଆରମ୍ଭ କରାଯାଇଥିଲା। ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ପ୍ରସାର କ୍ଷେତ୍ରରେ ଏହା ଭାରତର ଏକ ଦୂରଗାମୀ ପଦକ୍ଷେପ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ୫୦ କୋଟିରୁ ଅଧିକ ଦରିଦ୍ର ଓ ବଂଚିତ ଲୋକମାନଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦ୍ୱିତୀୟକ ଏବଂ ତୃତୀୟକ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦେବା। ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଥିବାରୁ ଓଡ଼ିଶା ସରକାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିବା ବିଷୟରେ ମୁଁ ଅବଗତ ଅଛି।

ତୃତୀୟତଃ, ଆୟୁଷ୍ମାନ ଭାରତ ଜାତୀୟ ଡିଜିଟାଲ ମିଶନ (ଏବି ଏନଡିଏମ) ୨୭ ସେପ୍ଟେମ୍ବର ୨୦୨୧ରେ ଆରମ୍ଭ କରାଯାଇଥିଲା। ସୁଲଭ, ଉନ୍ନତମାନର ଏବଂ ସମାନତା ପୂର୍ଣ୍ଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ସହିତ ନିରନ୍ତର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏକ ବାଧାମୁକ୍ତ ଅନଲାଇନ ପ୍ଲାଟଫର୍ମ ତିଆରି କରିବା ଏହି ମିଶନର ଲକ୍ଷ୍ୟ। ଏହାର କେତେଗୁଡ଼ିଏ ମହତ୍ୱପୂର୍ଣ୍ଣ ଉପାଦାନ ମଧ୍ୟରେ ପ୍ରତ୍ୟେକ ନାଗରିକମାନଙ୍କ ପାଇଁ ଏକକ ସ୍ୱାସ୍ଥ୍ୟ ପରିଚୟପତ୍ର, ସ୍ୱାସ୍ଥ୍ୟସେବା ପେସାଦାର ରେଜିଷ୍ଟ୍ରୀ (ଏଚପିଆର), ସ୍ୱାସ୍ଥ୍ୟସେବା ସୁବିଧା ରେଜିଷ୍ଟ୍ରୀ (ଏଚଏଫଆର) ଏବଂ ଟେଲିମେଡ଼ିସିନ ଆଦି ସାମିଲ ରହିଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ନାଗରିକମାନେ ଉଭୟ ଘରୋଇ ଏବଂ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାର ବିକଳ୍ପ ଚୟନ କରିବା ଲାଗି ସୁବିଧା ପାଇପାରିବେ। ଅର୍ଥ ପଇଠ କ୍ଷେତ୍ରରେ ୟୁନିଭର୍ସାଲ ପେମେଂଟ୍ସ ଇଂଟରଫେସ ବା ୟୁପିଆଇ ଯେଭଳି ଭୂମିକା ନିର୍ବାହ କରୁଛି, ସେହି ଅନୁରୂପ ଏହା ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଇଂଟରଅପରେବଲିଟି ବା ଆନ୍ତଃପରିଚାଳନା ସୁବିଧା ପ୍ରଦାନ କରିବ।

ଚତୁର୍ଥତଃ, ଅକ୍ଟୋବର ୨୦୨୧ରେ ଆରମ୍ଭ କରାଯାଇଥିବା ସଦ୍ୟତମ ଯୋଜନା ହେଉଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତିଭୂମି ମିଶନ (ଏବି ଏଚଆଇଏମ)। ଦେଶବ୍ୟାପୀ ସ୍ୱାସ୍ଥ୍ୟ ସେବା ଏବଂ ରୋଗ ନିରାକରଣ ପ୍ରୟାସରେ ସୁଧାର ଆଣିବା ଲାଗି ବହୁମୁଖି ହସ୍ତକ୍ଷେପ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଆସନ୍ତା ପାଂଚ ବର୍ଷ ମଧ୍ୟରେ ୬୪ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ସହିତ ଏହି ଯୋଜନାରେ ନିମ୍ନ ଲକ୍ଷ୍ୟ ହାସଲ ପାଇଁ ପରିକଳ୍ପନା କରାଯାଇଛି:

ଆଇସିୟୁ, ଭେଂଟିଲେଟର ଓ ଅକ୍ସିଜେନ ସୁବିଧା ଥିବା ୩୭ ହଜାର ଶଯ୍ୟା ସହିତ ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର ଗମ୍ଭୀର ଚିକିତ୍ସା ହସ୍ପିଟାଲ ବ୍ଲକ୍ ନିର୍ମାଣ କରାଯିବ୨୯, ୦୦୦ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରର ନେଟୱର୍କ ନିର୍ମାଣ କରାଯିବ।୪୦୦୦ରୁ ଅଧିକ ବ୍ଲକ ଏବଂ ଜିଲ୍ଲାସ୍ତରୀୟ ଜନ ସ୍ୱାସ୍ଥ୍ୟ ୟୁନିଟ୍ ଓ ପରୀକ୍ଷାଗାର ସ୍ଥାପନ।ସମସ୍ତ ଜିଲ୍ଲାରେ ବ୍ୟାପକ ନୈଦାନିକ ସେବା।ଆଇଟି ଆଧାରିତ ରୋଗ ନିରୀକ୍ଷଣ ବ୍ୟବସ୍ଥା।

ଏଥିସହିତ, ଏକକ ସ୍ୱାସ୍ଥ୍ୟ ପାଇଁ ଜାତୀୟ ସଂସ୍ଥାନ ବିକାଶ, ୪ଟି ନୂଆ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି, ୧୫ଟି ବାୟୋସେଫଟି ଲେଭଲ-୩ ସ୍ତରର ପରୀକ୍ଷାଗାର, ୫ଟି ନୂଆ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ଭବିଷ୍ୟତର ସଂକ୍ରାମକ ରୋଗକୁ ପ୍ରତିହତ କରିବା ଲାଗି ଅନ୍ତର୍ଜାତୀୟ ପ୍ରବେଶ ପଥରେ ୫୦ଟି ନୂତନ ଜନସ୍ୱାସ୍ଥ୍ୟ ୟୁନିଟ୍ ପ୍ରତିଷ୍ଠା କରିବା ମାଧ୍ୟମରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ପାଇଁ ଏକ ସଂସ୍ଥାଗତ ଦୃଷ୍ଟିକୋଣ ବିକଶିତ କରିବା ଲାଗି ଏହି ମିଶନରେ ଲକ୍ଷ୍ୟ ରଖାଯାଇଛି।

ଗତ ୫ ବର୍ଷ ମଧ୍ୟରେ ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ଯୁଗାନ୍ତକାରୀ ଜାତୀୟ ଚିକିତ୍ସା ଆୟୋଗ ଆଇନ ୨୦୧୯ ପ୍ରଣୟନ କରାଯିବା ଡାକ୍ତରୀ ଶିକ୍ଷା ନିୟାମକ କ୍ଷେତ୍ରରେ ଅତ୍ୟାବଶ୍ୟକ ବୃତିଗତ ବ୍ୟବସ୍ଥା ଓ ବିଶ୍ୱସନୀୟତା ଆଣିଛି। ଆହୁରି, ସ୍ନାତୋକୋତର ଚିକିତ୍ସା ସିଟ୍ ୮୦ ପ୍ରତିଶତ ଏବଂ ସ୍ନାତକ ଏମବିବିଏସ ସିଟରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି। ଭାରତ ସରକାର ପ୍ରତ୍ୟେକ ଜିଲ୍ଲାରେ ମେଡ଼ିକାଲ କଲେଜ ଏବଂ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାର ଲକ୍ଷ୍ୟ ନେଇ ୧୫୭ଟି ନୂତନ ମେଡ଼ିକାଲ କଲେଜ ମଞ୍ଜୁର କରିଛନ୍ତି। ୨୦୨୨ ସୁଦ୍ଧା ସମସ୍ତ ମେଡ଼ିକାଲ କଲେଜରେ ଆପାତକାଳୀନ ଚିକିତ୍ସା ବିଭାଗ ଖୋଲିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ନାଗରିକମାନଙ୍କୁ ଅତି ଆବଶ୍ୟକ ଜରୁରି ଚିକିତ୍ସା ସେବାକୁ ସୁଦୃଢ଼ କରିବ।

କମ ମୂଲ୍ୟର ଜେନେରିକ ଔଷଧ ଏବଂ ଟିକା ଯୋଗାଣ କ୍ଷେତ୍ରରେ ଭାରତ ବିଶ୍ୱର ସର୍ବବୃହତ ରାଷ୍ଟ୍ର। ଭାରତୀୟ ଫାର୍ମା ଉଦ୍ୟୋଗ ବିଶ୍ୱରେ ତୃତୀୟ ସର୍ବବୃହତ କ୍ଷେତ୍ରର ମାନ୍ୟତା ଲାଭ କରିଛି। ସମସ୍ତେ ଜାଣନ୍ତି ଯେ, ବିଶ୍ୱର ୬୦% ଟିକା ଭାରତରେ ଉତ୍ପାଦିତ ହୋଇଥାଏ। ଆମେ କୋଭିଡ-୧୯ ସଙ୍କଟର ସମ୍ମୁଖିନ ହେବା କ୍ଷଣି, ଭାରତୀୟ ଫାର୍ମା ଉଦ୍ୟୋଗ ତୁରନ୍ତ ସକ୍ରିୟ ହେବା ସହିତ ଟିକା ବିକାଶ ଓ ଉତ୍ପାଦନ ଆରମ୍ଭ କରିଥିଲା। ଇନଆକ୍ଟିଭେଟେଡ୍ ଭାରିଅନ୍ ଭାକ୍ସିନ (କୋଭାକ୍ସିନ) ଏବଂ ଡିଏନଏ ଟିକା (ଜାଇକୋଭ-ଡି) ଆଦି ସ୍ୱଦେଶୀ ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିସାରିଛି। ବାୟୋ-ଇର ପ୍ରୋଟିନ ସବ-ୟୁନିଟ ଟିକା, ଜେନୋଭାର ଏମଆରଏନଏ ଟିକା ଏବଂ ବିବିଆଇଏଲର ଇଂଟ୍ରାନାସାଲ ଟିକା ଅନ୍ତିମ ପର୍ଯ୍ୟାୟ କ୍ଲିନିକାଲ ବିକାଶ ସ୍ତରରେ ରହିଛି। ବିଦେଶରେ ବିକଶିତ କୋଭିଶିଲ୍ଡ, ସ୍ପୁଟନିକ, କୋଭାଭାକ୍ସ ଏବଂ ଜନସନ ଆଣ୍ଡ ଜନସନ ଟିକା ଭାରତରେ ଉତ୍ପାଦନ କରାଯାଉଛି।

ଫାର୍ମା କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି, ଭାରତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଫାର୍ମାସ୍ୟୁଟିକାଲ୍ସ ପାଇଁ ଉତ୍ପାଦନ ଭିତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ଆରମ୍ଭ କରାଯାଇଛି। କ୍ରିଟିକାଲ କି ଷ୍ଟାର୍ଟିଙ୍ଗ ମ୍ୟାଟେରିଆଲ (କେଏସଏମ)/ଡ୍ରଗ ଇଂଟରମେଡିଏଟ୍ସ ଏବଂ ଆକ୍ଟିଭ ଫାର୍ମସ୍ୟୁଟିକାଲ ଇନଗ୍ରିଡିଏଂଟ୍ସ (ଏପିଆଇ)ର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ପାଇଁ ପିଏଲଆଇ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଚିକିତ୍ସା ଉପକରଣର ଘରୋଇ ଉତ୍ପାଦନ ପାଇଁ ପିଏଲଆଇ ଯୋଜନା ଏବଂ ବୃହତ ଔଷଧ ଉତ୍ପାଦନ ପାର୍କର ପ୍ରୋତ୍ସାହନ ଲାଗି ମଧ୍ୟ ଏକ ଯୋଜନା ଆରମ୍ଭ କରାଯାଇଛି।

ଜେନେରିକ ଔଷଧ ଉତ୍ପାଦନ କ୍ଷେତ୍ରରେ ଭାରତ ଉଲ୍ଲେଖନୀୟ କାର୍ଯ୍ୟ କରୁଛି। ଆମକୁ ଗବେଷଣା ଓ ନୂଆ ମୋଲିକ୍ୟୁଲ ବିକାଶ ତଥା ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତିକୁ ପ୍ରୋତ୍ସାହନ ଉପରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଉଚ୍ଚ ମୂଲ୍ୟ କ୍ଷେତ୍ରର ଅଭିବୃଦ୍ଧି ପାଇଁ, ବାୟୋସିମିଲାର୍ସ ଏବଂ ବୟସ୍କଙ୍କ ଟିକା କ୍ଷେତ୍ରରେ ରହିଥିବା ପ୍ରମୁଖ ସମ୍ଭାବନା କ୍ଷେତ୍ରରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ସେହିପରି ସର୍ବୋତମ ପଦ୍ଧତି ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଏବଂ ମେସିନ ଲର୍ଣ୍ଣିଂ ଭଳି ଆଧୁନିକ ପ୍ରଯୁକ୍ତି ଉପଯୋଗ କରିବା ମଧ୍ୟ ଜରୁରି।

ବିଗତ ବର୍ଷଗୁଡ଼ିକରେ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ଆରମ୍ଭ କରାଯାଇଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ବିଷୟରେ ମୁଁ ବର୍ଣ୍ଣନା କଲି। ଆମେ ବିକଶିତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛୁ। ଆହୁରି କୋଭିଡ-୧୯ ମହାମାରୀ କାରଣରୁ ଆମ ସମ୍ମୁଖରେ ଅନେକଗୁଡ଼ିଏ ଆହ୍ୱାନ ରହିଛି। ତେଣୁ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବ୍ୟାପକତା, ପ୍ରସାର ଏବଂ ଗୁଣବତା ଦୃଷ୍ଟିରୁ ଆହୁରି ଅଧିକ ବିକଶିତ କରିବା ଲାଗି ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ। ଭୌତିକ ଭିତିଭୂମି, ଉପକରଣ ଏବଂ ଔଷଧ ତୁଳନାରେ ଉନ୍ନତ ମାନର ମାନବ ସମ୍ବଳ ଅଧିକ ଗୁରୁତ୍ୱପୂର୍ଣ୍ଣ। ମୁଁ ନିଶ୍ଚିତ ଯେ, ଡାକ୍ତର ସମୁଦାୟ ଭାରତରେ ବିଶ୍ୱସ୍ତରୀୟ ଭିତିଭୂମି ବ୍ୟବସ୍ଥା ନିର୍ମାଣ କ୍ଷେତ୍ରରେ ଯୋଗଦାନ କରିବ ଏବଂ ସରକାରଙ୍କ ସମୟୋଚିତ ପ୍ରୟାସ ସହ ତାଳ ଦେଇ ଦେଶରେ କ୍ଷମତା ବିକାଶ ପାଇଁ ସୁବିଧା ଯୋଗାଇ ଦେବ।

ନୂତନ ଏମ୍ସ ସହିତ ନୂଆ ଓ ବର୍ତମାନର ମେଡ଼ିକାଲ କଲେଜରେ ପ୍ରାୟତଃ ଖାଲି ପଡ଼ୁଥିବା ଶିକ୍ଷାଦାନ ପଦପଦବୀରେ ଏବେ ବ୍ୟାପକ ସୁଯୋଗ ରହିଛି। ଘରୋଇ କ୍ଷେତ୍ରରେ, ସେମାନେ ଡିଏନବି ପାଠ୍ୟକ୍ରମରେ ଯୋଗଦାନ ଦେଇପାରିବେ। ପ୍ରଯୁକ୍ତି ବିକାଶ ସହିତ ଟେଲିମେଡ଼ିସିନ କ୍ଷେତ୍ରରେ ମଧ୍ୟ ଅପାର ସମ୍ଭାବନା ରହିଛି, ଏଠାରେ ସ୍ୱେଚ୍ଛାକୃତ ପ୍ରୟାସ ଜରିଆରେ ଔପଚାରିକ ପଦକ୍ଷେପରେ ଯୋଗଦାନ ଦିଆଯାଇ ପାରିବ।

ବଂଚିତ, ଅବହେଳିତ ଏବଂ ଶୋଷିତ ଲୋକମାନଙ୍କ ପ୍ରତି ଧ୍ୟାନ ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କେତେକ ସଂସ୍ଥା ବ୍ୟବସାୟିକ ଆଭିମୁଖ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ପେସାରେ ଉଚ୍ଚ ନୈତିକ ମାନଦଣ୍ଡ ସୁନିଶ୍ଚିତ କରିବା ସହିତ ସେବା ଭାବନା ନେଇ କିଭଳି କାର୍ଯ୍ୟ କରିବାକୁ ହେବ ସେ କ୍ଷେତ୍ରରେ ଚିକିତ୍ସା ପେସାଦାରମାନେ ପ୍ରୟାସ କରିବା ଉଚିତ୍। ଦେଶ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାକୁ ପ୍ରୟାସ କରୁଥିବାରୁ କେବଳ ଡାକ୍ତରୀ ପେସାଦାରମାନେ ନୁହନ୍ତି ଅନ୍ୟ ସମସ୍ତ ପେସାଦାରମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଏସସିବିର ଛାତ୍ରଛାତ୍ରୀ, କଲେଜର ପୂର୍ବତନ ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷାନୁଷ୍ଠାନ ସହିତ ଏକ ସକ୍ରିୟ ସମ୍ପର୍କ ବଜାୟ ରଖିଥିବା ଜାଣି ମୁଁ ଆନନ୍ଦିତ। ସାରା ଭାରତରେ ଏବଂ ଅନ୍ୟ ରାଷ୍ଟ୍ରରେ ସେମାନଙ୍କର ଉପଲବ୍ଧି ଯୁବ ପିଢ଼ି ପାଇଁ ଏକ ପ୍ରେରଣା। କଲେଜର ପ୍ରଗତି ପାଇଁ ପୂର୍ବତନ ଛାତ୍ରଛାତ୍ରୀମାନେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ।

ପ୍ଲାଟିନମ ଜୁବଲି ସମାରୋହ ଅବସରରେ ମୁଁ ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ଏସସିବି ମେଡ଼ିକାଲ କଲେଜ ସହ ଜଡ଼ିତ ଅନ୍ୟ ଅଂଶୀଦାରମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷଗୁଡ଼ିକରେ ଆମ ସମ୍ମୁଖରେ ବଡ଼ ଆହ୍ୱାନ ଏବଂ ଲକ୍ଷ୍ୟ ରହିଛି। ଏସସିବି ମେଡ଼ିକାଲ କଲେଜ ଏବଂ ଏହାସହ ଜଡ଼ିତ ସମସ୍ତ ଅଂଶୀଦାରମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଗକୁ ବଢ଼ିବା ଲାଗି ସ୍ୱାଧୀନତାର ୭୫ତମ ବର୍ଷ, ଆଜାଦୀ କା ଅମୃତ ମହୋତ୍ସବ ଏକ ଉପଯୁକ୍ତ ସମୟ। ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ସମଗ୍ର ଦେଶର ପରିବର୍ତ୍ତନ ପାଇଁ ଭବିଷ୍ୟତରେ ଅପାର ସମ୍ଭାବନା ଓ ସୁଯୋଗ ରହିଛି।

ଆପଣମାନଙ୍କୁ ସମସ୍ତଙ୍କୁ ମୋର ଶୁଭକାମନା।