Odiapua.com

କଟକର ନିଶ୍ଚିନ୍ତକୋଇଲିରେ ଦଳୀୟ ପଦଯାତ୍ରାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

୨୦୨୩ରେ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ – ଧର୍ମେନ୍ଦ୍ର ପ୍ରଧାନ

– ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମରେ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିତକୋଇଲିର ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କଲେ
– ୨୨ ବର୍ଷର ଲମ୍ବା ଶାସନର ଗର୍ବ ଓ ଦମ୍ଭ ଭାଙ୍ଗିବାକୁ ହେବ
– ୨୦୨୩ ବର୍ଷତମାମ ରାଜ୍ୟ ସରକାର ବିରୁଦ୍ଧରେ ଜନଜାଗରଣ କରିବ ବିଜେପି
– ମୋଦିଙ୍କ କଲ୍ୟାଣକାରୀ ଯୋଜନାକୁ ପ୍ରତିହତ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି
– ମୋଦିଙ୍କ ଲୋକପ୍ରିୟତା ଇର୍ଷାରେ ଆୟୁଷ୍ମାନ ଭାରତ ଭଳି ଯୋଜନା ଲାଗୁ ହେଉନାହିଁ
– ରାଜ୍ୟରେ ଏକ ଦୃଢ଼ ରାଜନୈତିକ ସଂଗଠନ ସୃଷ୍ଟି କରିବା ଆମର ଲକ୍ଷ୍ୟ
– ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ
– ରାଜ୍ୟରେ ଲମ୍ବା ସମୟ ଧରି ଥିବା ଶାସନର ଅବ୍ୟବସ୍ଥାର ମୁଖର ପ୍ରବକ୍ତା ହେବା

ନିଶ୍ଚିତକୋଇଲି, ଜାନୁଆରୀ ୦୮ (ଓଡ଼ିଆ ପୁଅ) – ୨୦୨୩ରେ ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ନେଇ ବିଜେପି ଜନଜାଗରଣ ସୃଷ୍ଟି କରିବ ବୋଲି ରବିବାର କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ଠାରେ ଦଳ ପକ୍ଷରୁ ଆୟୋଜିତ ମଣ୍ଡଳ ବୈଠକ, ପଦଯାତ୍ରା ଓ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଠାରେ ଅସୁରେଶ୍ୱର ମଣ୍ଡଳ ଏବଂ ନିଶ୍ଚିନ୍ତକୋଇଲିର ମଣ୍ଡଳ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ନିଶ୍ଚିନ୍ତକୋଇଲିରେ ଆରମ୍ଭ ହୋଇଥିବା ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସ୍ଥାନୀୟ ସରକାର ଏକ ଅପାରଗ, ସ୍ଥାଣୁ ଓ ସମ୍ବେଦନହୀନ ସରକାର। ଦୁର୍ନୀତିରେ ଲିପ୍ତ ସରକାର। ମହିଳା ଅତ୍ୟାଚାରୀ ସରକାର। ଲମ୍ବା ସମୟ ଶାସନରେ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ମାତ୍ର ସେମାନଙ୍କର ଉତ୍ତମ ଚିକିତ୍ସା ପାଇଁ ମୋଦିଙ୍କ ଲୋକପ୍ରିୟତା ହେବା ଇର୍ଷାରେ ଆୟୁଷ୍ମାନ ଭାରତ ଭଳି ଯୋଜନା ରାଜ୍ୟରେ ଲାଗୁ କରାନଯିବା ଚିନ୍ତାଜନକ।

ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନାକୁ ପ୍ରତିହତ କରିବା ପାଇଁ ଷଡ଼ଯନ୍ତ୍ର ହେଉଛି। ଏହି ୨୨ ବର୍ଷର ଲମ୍ବା ଶାସନର ଗର୍ବ ଓ ଦମ୍ଭ ଉଭୟକୁ ଭାଙ୍ଗିବାକୁ ହେବ। ଏଥିପାଇଁ ଏକ ବଡ଼ ରାଜନୈତିକ ଆନ୍ଦୋଳନର ଆବଶ୍ୟକତା ରହିଛି। ଏକ ଦୃଢ଼ ରାଜନୈତିକ ସଂଗଠନ ସୃଷ୍ଟି କରିବା ଆମ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି। ଭାରତୀୟ ଜନତା ପାର୍ଟି ୨୦୨୩ ବର୍ଷ ତମାମ ସ୍ଥାନୀୟ ସରକାର ବିରୁଦ୍ଧରେ ଜନଜାଗରଣ କରିବ।

ଆବାସ ଯୋଜନାରେ ଘର ଆବଣ୍ଟନରେ ଦୁର୍ନୀତି କଥା ଉଠାଇବାରୁ ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେପି କାର୍ଯ୍ୟକର୍ତ୍ତା କୁଳମଣି ବରାଳଙ୍କର ହତ୍ୟା ଯୋଜନା ବଧିବଦ୍ଧ ଭାବେ ଶାସକ ଦଳର ବିଧାୟକ ପ୍ରତ୍ୟକ୍ଷ ଭାବରେ କରାଇଲେ। ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ତାଙ୍କର ବି ସନ୍ଦେହଜନକ ଭାବେ ହତ୍ୟା ହେଲା। କୁଳମଣି ବରାଳଙ୍କର ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ କାର୍ଯ୍ୟକର୍ତ୍ତା ମାନଙ୍କୁ ବୁଥ ସ୍ତରରେ ସଂଗଠନକୁ ସୁଦୃଢ଼ କରିବା ସହ ଓଡ଼ିଶାର ୧ କୋଟି ଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି। ସେ କହିଥିଲେ, ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଉଛି। ମୋଦିଙ୍କ ହାତମୁଠାକୁ ଟାଣ କରିବା ପାଇଁ ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପଡିବ। ରାଜ୍ୟରେ ଲମ୍ବା ସମୟ ଧରି ଥିବା ଶାସନର ଅବ୍ୟବସ୍ଥାର ମୁଖର ପ୍ରବକ୍ତା ହେବା ପାଇଁ ପଡିବ। ଏଥିପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ। ଗରିବ, ମହିଳା, ଚାଷୀ, ଜନଜାତି, ଯୁବକଙ୍କ ପ୍ରତିନିଧି ହୋଇ ସେମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବାକୁ ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କଟକ ଜିଲ୍ଲା ସାଲେପୁର ବ୍ଲକ ପାଗା ଛକ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସାଲେପୁର ସମେତ ବିଭିନ୍ନ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।