Odiapua.com

କଟକଣାକୁ ବେଖାତିର : ଖୁନ୍ଦାଖୁନ୍ଦି ହୋଇ ଡଙ୍ଗାରେ ନଦୀ ପାର

ଭଦ୍ରକ, ୨୬ା୬ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ମହାମାରୀ କରୋନା କବଳରୁ ରକ୍ଷା ପାଇବା ଲାଗି ସରକାର ସହର ଠାରୁ ଆରମ୍ଭ କରି ଗାଁ ଯାଏ ବିଭିନ୍ନ କଟକଣା ଜାରି କରିଛନ୍ତି । ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁରେ ମାସ୍କ ବାନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସଂକ୍ରମଣ ରୋକିବା ଲାଗି ମାସମାସ ଧରି ଲୋକେ ଗୃହବନ୍ଦୀ ରହିଛନ୍ତି । ହେଲେ ସରକାରଙ୍କ ଏହି କଟକଣାକୁ ଖାତିର କରୁନାହାଁନ୍ତି ଲୋକେ । ସହରାଞ୍ଚଳରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯାଉଥିଲେ ମଧ୍ୟ ଗାଁ ଗଣ୍ଡାରେ ଲୋକଙ୍କ ମଧ୍ୟରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳୁନାହିଁ । ସାମାଜିକ ଦୂରତ୍ୱ ରକ୍ଷା କରାଯିବା ଦୂରକୁ ଥାଉ, ଲୋକେ ପାଦକୁ ବାହାରିବା ବେଳେ ମୁହଁରେ ମାସ୍କ ମଧ୍ୟ ବାନ୍ଧୁନାହାଁନ୍ତି । ଏହି ଧରଣର କିଛି ଘଟଣା ବାସୁଦେବପୁର ବ୍ଲକ୍ କରଞ୍ଜଆଡିଆ ପଂଚାୟତ ବାଲିଆପାଳ ନଦୀ ଘାଟରେ ଦେଖିବାକୁ ମିଳିଛି । କରୋନା କଟକଣା ସତ୍ୱେ ଲୋକେ ଖୁନ୍ଦାଖୁନ୍ଦି ହୋଇ ଡଙ୍ଗାରେ ନଦୀ ପାରି ହେଉଛନ୍ତି । ଘାଟପାରି ହେବା ବେଳେ ଲୋକଙ୍କ ମଧ୍ୟରେ ନା ଅଛି ସାମାଜିକ ଦୂରତ୍ୱ ନା କାହା ମୁହଁରେ ବନ୍ଧା ହୋଇଛି ମାସ୍କ । କାତମରା ଡଙ୍ଗାରେ ଖୁନ୍ଦାଖୁନ୍ଦି ହୋଇ ଅତି ବିପଦଜନକ ପରିସ୍ଥିତିରେ ଘାଟ ପାରି ହେଉଛନ୍ତି ଲୋକେ । ଗୋଟିଏ ପଟରେ ଭଦ୍ରକ ଜିଲା ସହିତ ସମଗ୍ର ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଥିବାବେଳେ କରୋନା ରେଡ୍ ଜୋନ୍‌ରେ ରହିଥିବା ଭଦ୍ରକ ଜିଲାବାସୀଙ୍କ ପକ୍ଷରୁ କରୋନା ମୁକାବିଲା କ୍ଷେତ୍ରରେ ଏହି ଧରଣର ବେଖାତିର ମନୋବୃତ୍ତି ଆଗକୁ ଜିଲାପାଇଁ ଏକ ବଡ ବିପତ୍ତି ଆଣିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଶହ ଟପି ଯାଇଥିବାବେଳେ ଜିଲାରେ କରୋନା ଧୀରେ ଧୀରେ ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରିବା ଆରମ୍ଭ କରିଛି ।