Odiapua.com

କଚେରୀ ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ, ଜବରଦଖଲ ଉଚ୍ଛେଦ କରି ପ୍ରଶସ୍ତିକରଣ ରାସ୍ତା ନିର୍ମାଣ ଦାବି କଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଚେରୀ ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ । ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ଆବୁଡା ଖାବୁଡା ପାଣି କାଦୁଅରେ ହୀନସ୍ତା ହେଉଛନ୍ତି ୧୫ ଟି ୱାର୍ଡର ପ୍ରାୟ ୬୦ ହଜାର ଲୋକ । ପ୍ରତିଦିନ ମା’ଙ୍କ ପୀଠକୁ ଆସୁଥିବା ଶହ ଶହ ଲୋକ ଏହି ରାସ୍ତାରେ ଯାତାୟତ କରୁଥିବାବେଳେ ବାରମ୍ବାର ଦୁର୍ଘଟଣାରେ ସମ୍ମୁଖୀନ ହେଉଛନ୍ତି । ତାହା ସହ ଏହି ରାସ୍ତାରେ ଗୁଜିଦରଡା ପଂଚାୟତର ବସବାସ କରୁଥିବା ପ୍ରାୟ ୫ ହଜାର ଯିବାଆସିବା ପାଇଁ ନିର୍ଭର କରୁଥିବା ଲୋକଙ୍କ ଅବସ୍ଥା କହିଲେ ନସରେ । ସବୁଠାରୁ ବଡକଥା ହେଲା ଉକ୍ତ ରାସ୍ତାର ଶିଳାନ୍ୟାସ ପାଇଁ କଚେରୀ ଛକ ଠାରେ ଗଲାବର୍ଷ ସେପ୍ଟେମ୍ବର ୬ ତାରିଖରେ ଫଳକ ଲଗାଯାଇଥିଲା । ସୂଚନା ଅନୁସାରେ ୨୦୧୭ ରୁ ଲାଗି ରହିଛି ରାସ୍ତାର ସମସ୍ୟା, ଟେଣ୍ଡର ହେଉଛି ଅଥଚ କାମ ହେଉନି । ୫ କୋଟି ଟଙ୍କା ପୂର୍ତ୍ତ ବିଭାଗରେ ପଡିରହିଛି । ତେବେ ଟେଣ୍ଡର ହୋଇସାରିବା ପରେ କଣ ପାଇଁ ରାସ୍ତା କାମ ହେଉନାହିଁ ବୋଲି ଆଜି ପ୍ରଶ୍ନ ଉଠାଇଛି ନବନିର୍ମାଣ ଯୁବ ଛାତ୍ର ସଂଗଠନ । ଆଜି ଉକ୍ତ ରାସ୍ତା ନିର୍ମାଣ ପ୍ରସଙ୍ଗରେ ଭଦ୍ରକ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଜାହିର ଖାନ, ମହମ୍ମଦ ମୋଜାମିଲ ରହେମାନ, ଅଶରଫ ଅଲ୍ଲୀ ଖାନ, ମହମ୍ମଦ ସାହେବୁର ରହେମାନ, ଜାଫର ଖାନ୍‌, ପ୍ରକାଶ ସ୍ୱାଇଁ, ସନ୍ତୋଷ ମଲ୍ଲିକ ଓ ଆରବାଜ ଖାନ୍ ପ୍ରମୁଖ ଜିଲାପାଳ ଜ୍ଞାନ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ କରି ରାସ୍ତା ପ୍ରଶସ୍ତିକରଣ ନକଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଚେତାବନୀ ଦେଇଛନ୍ତି ।