Odiapua.com

କଙ୍ଗାରୁ କୋର୍ଟ ନିଷ୍ପତିରେ ଠାକୁର ବନ୍ଦୀ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୧/୦୭-ଅନେକ ଯାଗାରେ ଗ୍ରାମ ବୈଠକରେ ଗୋଟିଏ ପରିବାରକୁ ବୟକଟ୍ ରଖିବା ଘଟଣା ଦେଖିବାକୁ ମିଳିଥାଏ । କିନ୍ତୁ ଠାକୁରଙ୍କୁ ବୟକଟ୍ କରି ତାରବାଡ ଭିତରେ ବନ୍ଦ କରି ରଖିବା ଓ ନୀତିକାନ୍ତି ବନ୍ଦ କରିବା ଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ପାଟବେରଣା ଗ୍ରାମରେ । ପାଟବେରଣା ଗ୍ରାମର ବେଲେଶ୍ୱର ଦେବ ଓ ଗ୍ରାମଦେବୀ ମା ତାରିଣୀ ରଣପୁର ଦେବତ୍ତୋର ବିଭାଗ ଅଧିନରେ । ଏହି ଠାକୁରଙ୍କ ସମ୍ପତ୍ତିର ମାଲିକାନା ଦେବତ୍ତୋର ବିଭାଗ ମାର୍ଫତ୍ ରଣପୁର ତହସିଲ୍‌ଦାରଙ୍କ ନାମରେ ରହିଅଛି । କିନ୍ତୁ ସେବାପୂଜା ପାଇଁ ସେବାୟତ ଭାବରେ ଲେଖନପୁର ଗ୍ରାମର ମାଳି ମହାପାତ୍ରଙ୍କ ମାର୍ଫତ୍‌ରେ ରହିଅଛି । କିନ୍ତୁ ଲେଖନପୁର ଗ୍ରାମବାସୀ ବୈଠକ ବସି ପାଟବେରଣା ଗ୍ରାମବାସୀଙ୍କୁ କହିଲେ ଯେ ବେଲେଶ୍ୱର ଠାକୁର ଓ ଗ୍ରାମଦେବୀ ମା ତାରିଣୀଙ୍କ ଜମିପାଇଁ ୫ଲକ୍ଷ ଟଙ୍କା ଦିଅନ୍ତୁ ।

ପାଟବେରଣା ଗ୍ରାମବାସୀ ଏଥିରେ ରାଜି ନ ହେବାରୁ ଗତ ଜୁଲାଇ ୮ ତାରିଖ ଦିନ ଲେଖନପୁର ଗ୍ରାମବାସୀ ପାଟବେରଣା ବେଲେଶ୍ୱର ଓ ମା ତାରିଣୀ ମନ୍ଦିରକୁ ଆସି ମନ୍ଦିର ଚାରିପଟେ ତାରବାଡ ବୁଲାଇ ସର୍ବସାଧାରଣଙ୍କୁ ଅର୍ଥାତ୍ ପାଟବେରଣା ଗ୍ରାମବାସୀଙ୍କୁ ଯିବାପାଇଁ ବାରଣ କରିଛନ୍ତି ଏବଂ ସେହି ଦିନଠାରୁ ଉଭୟ ଠାକୁର ଓ ଠାକୁରାଣୀଙ୍କର ସେବାପୂଜା ନୀତିକାନ୍ତି ବନ୍ଦ ରହିଥିବା ଜଣା ପଡିଛି । ପାଟବେରଣା ଗ୍ରାମବାସୀ ରଣପୁର ଦେବତ୍ତୋର ଅଧିକାରୀ ତଥା ସ୍ଥାନୀୟ ତହସିଲ୍‌ଦାରଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ତହସିଲ୍‌ଦାର ସଂଜୟ କୁମାର ସାମନ୍ତରାୟଙ୍କୁ ଫୋନ୍ ଯୋଗେ ଯୋଗା ଯୋଗ କରିବା ପାଇଁ ବାରମ୍ବାର ଦେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ ଏବଂ ସ୍ଥାନୀୟ ରାଜସ୍ୱ ଅଧିକାରୀ ସୁଶାନ୍ତ ସେଠୀଙ୍କ ସହ ଯୋଗା ଯୋଗ କରିବା ପରେ କୁହନ୍ତି ତଦନ୍ତ ପାଇଁ ତହସିଲ୍‌ଦାର ମୋତେ ପଠାଇଥିଲେ । ମୁଁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବି କିନ୍ତୁ ତହସିଲ୍‌ଦାର ସଟ୍‌ଡାଉନ୍ ଥିବାରୁ ଜୁଲାଇ ୧୩ ତାରିଖ ସୋମବାର ଉଭୟ ଗ୍ରାମବାସୀଙ୍କ ତରଫରୁ ଘଟଣାର ସମାଧାନ ପାଇଁ ୫ଜଣ ଲେଖାଏଁ ଗ୍ରାମବାସୀଙ୍କୁ ଡକାଇଛନ୍ତି । ଠାକୁରଙ୍କୁ ତାରବାଡ ବୁଲାଇ ବନ୍ଦୀ କରିବା ଘଟଣା ରଣପୁର ଅଂଚଳରେ ଦୃଢ ନିନ୍ଦ କରାଯାଉଛି ।