Odiapua.com

କଙ୍କିଆ ରାସ୍ତା ନଳାପୋଲ ଦବିଲା ରାସ୍ତା ଫାଟିଲା ନିମ୍ନ ମାନର କାମ ଅଭିଯୋଗ

ନୟାଗଡ଼ ୨୦/୦୮(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସରକାର ପଞ୍ଚାୟତ କୁ ପଞ୍ଚାୟତ ସଂଯୋଗୀକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ଓ ମୁଖ୍ୟମନ୍ତ୍ରୀ ଗ୍ରାମସଡକ ଯୋଜନା ଭଳି ଅନେକ ଯୋଜନା କରିଛନ୍ତି। ସେଥିପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ନିମ୍ନମାନର କାମ ଯୋଗୁଁ କାମ ସରୁସରୁ ପୋଲ ଦବି ଯାଉଛି ରାସ୍ତା ଫାଟିଯାଉଛି। ସେଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ କଙ୍କିଆ ଠାରୁ ସୁର୍କାବାଡି ରାସ୍ତାରେ। ଗତ ୨୦୨୦/୨୧ ମସିହାରେ ୩ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟବିନିମୟରେ କଙ୍କିଆ ଠାରୁ ସୁର୍କାବାଡି ୭ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲ। ଏହି ରାସ୍ତା ର ସାମନ୍ତରାପୁର ଠାରୁ ସୁର୍କାବାଡ଼ି ମଧ୍ୟରେ ଥିବା ଘାଟି ରାସ୍ତାରେ ଏକ ନଳାପୋଲ ଦବି ଯାଇଛି। ଯାହାଫଳରେ ପିଚୁ ରାସ୍ତା ଦୁଇଗଡ ହୋଇ ଫାଟି ଯାଇଛି।

କାମ ସରିବାର ୮ ମାସ ମଧ୍ୟରେ ନଳାପୋଲ ଦବିବା ଓ ପିଚୁରାସ୍ତା ଫାଟିବା କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏ ସର୍ମ୍ପକେ ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡୀୟ ଯନ୍ତ୍ରୀ ଅଶୋକ କୁମାର ରାଉତଙ୍କ ସହ ଯୋଗାଯୋଗ କରିବାରେ ନଳାପୋଲ ଦବିବା ଓ ପିଚୁରାସ୍ତା ଫାଟିବା ଘଟଣାକୁ ସ୍ୱୀକାର କରନ୍ତି। କୁହନ୍ତି ମୁଁ ୨୦୨୨ ଜାନୁୟାରୀ ମାସ ଶେଷରେ କାର୍ଯ୍ୟଭାର ଗ୍ରହଣ କଲି। ମୁଁ ଦାୟିତ୍ୱ ନେବା ପୁର୍ବରୁ ଏହିରାସ୍ତା କାମ ସରିଯାଇଥିଲା। କିନ୍ତୁ ଏବେ ବ୍ୟସ୍ତ ହେବାର ନାହିଁ ସେହି ନଳାପୋଲ କୁ ଖୁବଶୀଘ୍ର ପୁନଃନିର୍ମାଣ କରାଯିବ। ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ନଳାପୋଲ ପୁନଃନିର୍ମାଣ କାରିବା ପାଇଁ ଜନସାଧାରଣ ଦାବି କରିଛନ୍ତି। ନହେଲେ ଭାରି ଯାନ ଦୁର୍ଘଟଣା ଗ୍ରସ୍ତ ହୋଇ ଧନ ଜୀବନ ହାନୀ ଘଟିବା ସମ୍ଭାବନା।