ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ଅଧୀନ ମଙ୍ଗରାଜପୁର-ଈଶ୍ୱରପୁର ରାସ୍ତାର କାଁପଡା ଛକରେ ବାଇକ୍ରୁ ଖସିପଡ଼ି ଜ୍ୟୋତ୍ସ୍ନାରାଣୀ ଭଞ୍ଜ (୪୫) ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମହିଳା ଜଣକ ତାଙ୍କ କକାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯିବାବେଳେ ଏହି ଅଘଟଣ ଘଟିଛି । ଘଟଣାରୁ ପ୍ରକାଶ ଯେ, ଧୂଷୁରୀ ଥାନା ନାନ୍ଦପୁର ପଞ୍ଚାୟତ ଅଧିନ ପାଲଟପୁର ଗ୍ରାମର ଜ୍ୟୋତ୍ସ୍ନାରାଣୀଙ୍କ କକା ତିହିଡ଼ି ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତର କୁଆଁର ଚତର ଗ୍ରାମର ମହେଶ୍ୱର ନାୟକଙ୍କର ମୃତ୍ୟୁ ଘଟିଥିଲା । କକାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଶୁକ୍ରବାର ମଧ୍ୟାହ୍ନରେ ଜ୍ୟୋତ୍ସ୍ନାରାଣୀ ଏକ ବାଇକରେ ବସି କୁଆଁରଚତର ଗ୍ରାମକୁ ଯାଉଥିଲେ । କାଁପଡା ଛକ ନିକଟରେ ଏକ ଷଣ୍ଢ ବାଇକ ସାମ୍ନାକୁ ହଠାତ ଆସିଯିବାରୁ ଦୁର୍ଘଟଣାରୁ ରକ୍ଷା ପାଇବାକୁ ଚାଳକ ବାଇକର ବ୍ରେକ ମାରିବାରୁ ପଛରେ ବସିଥିବା ଜ୍ୟୋତ୍ସ୍ନାରାଣୀ ବାଇକରୁ ଖସିପଡିଥିଲେ ଏବଂ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ତିହିଡ଼ି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତା ଜ୍ୟୋତ୍ସ୍ନାରାଣୀ ତିହିଡିର ସାମ୍ବାଦିକ ମାନସରଞ୍ଜନ ନାୟକଙ୍କ ବଡଭଉଣୀ ବୋଲି ଜଣାଯାଇଛି । ତାଙ୍କ ମୃତ୍ୟୁରେ ବାପଘର ଓ ଶାଶୂଘର ଗାଁରେ ଶୋକର ଛାୟା ଖେଳି ଯାଇଛି ।