Odiapua.com

କଅଁଳ ମୁଣ୍ଡରେ ପରିବାର ବୋଝ; ଏମାନଙ୍କ କଥା ବୁଝିବ କିଏ!

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁନି କୁନି ପିଲା । ସଂସାର କ’ଣ ଜାଣିବା ପୂର୍ବରୁ ଭିନ୍ନ ଏକ ଜୀବନଶୈଳୀ ଆପଣେଇ ନେଇଥାନ୍ତି । ନିଜର କଅଁଳ ମୁଣ୍ଡରେ ପରିବାରର ବୋଝ ଉଠାଇବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା ଏମାନଙ୍କ ପାଇର୍ ତୁଚ୍ଛ ହୋଇଛି । ଭଦ୍ରକ ପୌରାଞ୍ଚଳ ଓ ନିକଟବର୍ତ୍ତୀ କେତେକ ପଂଚାୟତ ଏରିଆରେ ରହିଛି ୧୫ ରୁ ଉର୍ଦ୍ଧ୍ୱ ଆଦିବାସୀ ବସ୍ତି । ବିଶେଷକରି ଜିଲାପାଳଙ୍କ ଆବାସିକ ବାସଭବନ ଠାରୁ ଶହେ ମିଟର ଦୂରରେ ଅର୍ଥାତ୍ କୋଲକାତା-ଚେନ୍ନାଇ ରେଳପଥ କଡେ କଡେ ଏକ ନୂତନ ବସ୍ତି ଥିବା ବେଳେ ୫ ଶହ ମିଟର ଦୂରରେ ଗେଲଟୁଆ ପଂଚାୟତରେ ରହିଛି ଆଉ ଏକ ଆଦିବାସୀ ବସ୍ତି । ଏହି ଦୁଇ ବସ୍ତିରେ ୫୦ ରୁ ଉର୍ଦ୍ଧ୍ୱ ପରିବାର ଏବେ ବସବାସ କରୁଛନ୍ତି । କିନ୍ତୁ ଏହି ଦୁି ବସ୍ତିର କୁନି କୁନି ପିଲାମାନଙ୍କ ଜୀବନଶୈଳୀ ଭିନ୍ନ ପ୍ରକାରର ରହିଛି । ରାତି ପାହିବା ପୂର୍ବରୁ କିଛି କୁନି କୁନି ପିଲା ଅନ୍ଧାରରେ ଫୁଲ ତୋଳିବାକୁ ବାହାରି ଯାଆନ୍ତି । ନିଜ ଘରେ ଠାକୁର ପୂଜା ପାଇଁ ନୁହେଁ । ବରଂ ଫୁଲ ତୋଳି ସେମାନେ କିଛି ଲୋକଙ୍କ ଘରେ ପହଞ୍ଚାଇ ଦିଅନ୍ତି । ବଦଳରେ ମିଳେ ଚକୋଲେଟ୍ କିମ୍ବା ବିସ୍କୁଟ ଖାଇବାକୁ କିଛି ଅର୍ଥ । ସେହିପରି ଆଉ କିଛି ପିଲା ରାତି ପାହିଲେ ବୋତଲ ଖୁଣ୍ଟି କବାଡିଆକୁ ଅପେକ୍ଷା କରି ବସନ୍ତି । କିଛିଦିନ ପୂର୍ବେ ଗେଲଟୁଆକୁ ସଂଯୋଗ କରୁଥିବା ରାସ୍ତାରେ ବଗମରା ଶାସନକୁ ଯାଇଥିବା ଏକ କାଦୁଅ ରାସ୍ତାରେ କିଛି ପିଲା ମୋରମ୍ ଓ ମେଟାଲରେ ମରାମତି କରୁଥିବାର ଦୃଶ୍ୟ ଓ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହି ପ୍ରସଙ୍ଗରେ ବିଭାଗୀୟ ତଦନ୍ତ ହୋଇଥିଲା ଓ ଏହି ପିଲାମାନେ କିଛି ବିସ୍କୁଟ ଓ ପଇସା ଲୋଭରେ ଏପରି କରୁଥିବା ଜଣାପଡିଥିଲା । ସେହିପରି ଗତ ୧୫ ତାରିଖ କିଛି ଛୋଟ ପିଲା ମୁଣ୍ଡରେ ଜାଳ ବୋହି ଗବସାହି ଲେବୁଲ କ୍ରସିଂ ନିକଟରେ ଫାଟକ ପଡିଥିବାରୁ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ପଚାରିବାରୁ ସେମାନେ ପ୍ରଥମେ ନିରବ ରହିଥିଲେ । ଚକୋଲେଟ୍ ଲୋଭ ଦେଖାଇବାରୁ ସେମାନେ କହିଥିଲେ, ଘରେ ହାଣ୍ଡିଆ ରନ୍ଧା ହେବ । ଚୁଲି ଜାଳ ଆଣିବାକୁ ଯାଇଥିଲୁ । ଗେଲଟୁଆ ଆଦିବାସୀ ସାହି ଓ ଗବସାହିରେ ରହିଛି ଅଙ୍ଗନୱାଡି କେନ୍ଦ୍ର ଓ ଆଦିବାସୀ ବିଦ୍ୟାଳୟ । ଆବଶ୍ୟକତା ଠାରୁ ଅଧିକ ଶିକ୍ଷୟିତ୍ରୀ ଓ କର୍ମୀ ମଧ୍ୟ ସେଠାରେ ଅଛନ୍ତି । କିନ୍ତୁ ବସ୍ତିର ପିଲା ସଂଖ୍ୟା ଅନୁସାରେ ଏହି ଦୁଇ ଶିକ୍ଷାନୁଷ୍ଠାନରେ ପିଲା ନାମ ଲେଖାଇ ନଥାନ୍ତି । ଏହି କେନ୍ଦ୍ର ଓ ବିଦ୍ୟାଳୟକୁ କିପରି ସେମାନଙ୍କୁ ଆକୃଷ୍ଟ କରାଯିବ, ସେ ଦିଗରେ କେହି କେବେ ଚିନ୍ତା କରିନଥାନ୍ତି । ସେମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବାକୁ ନିର୍ଦ୍ଦର୍ଷ୍ଟ ଯୋଜନା ମଧ୍ୟ ଦେଖିବାକୁ ମିଳିନଥାଏ । ସେହିପରି ଶିଶୁମାନଙ୍କ ସୁରକ୍ଷା ଅଧିକାର ପାଇଁ ବହୁ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି । କୌଣସି ଗୋଟିଏ ଦିନ ପ୍ରଶାସନ ହେଉ କିମ୍ବା ସାମାଜିକ ଅନୁଷ୍ଠାନ ଏ ସମସ୍ତ ବସ୍ତିରେ ପହଞ୍ôଚ ନିରକ୍ଷର ଆଦିବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଦେଖିବାକୁ ମିଳେନାହିଁ । ତେଣୁ ଏମାନଙ୍କ ଭବିଷ୍ୟତ କଥା ବୁଝିବ କିଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଶିଶୁ ସୁରକ୍ଷା ୟୁନିଟ୍‌, ଶିଶୁ ମଙ୍ଗଳ କମିଯି, ଆଇସିଡିଏସ୍ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଏ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।