Odiapua.com

କଂଚନବିଲିରେ ବାଲ୍ୟବିବାହ ମୁକ୍ତ ଗାଁ ଅଭିଯାନ

ନୟାଗଡ଼, ୨୪ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସରକାରଙ୍କ ପକ୍ଷରୁ ୨୦୩୦ ମସିହା ସୁଦ୍ଧା ଦେଶର ସମସ୍ତ ଗ୍ରାମକୁ ବାଲ୍ୟବିବାହା ମୁକ୍ତ କରାଯିବା ପାଇଁ ଆହ୍ୱାନ ଦିଆଯିବା ପରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଲାରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଅଭିଯାନକୁ ଜୋରଦାର କରାଯାଇଛି।ଏହି ପରିପ୍ରେକ୍ଷିରେ ନୟାଗଡ଼ ବ୍ଳକ ଅନ୍ତର୍ଗତ କଂଚନବିଲି ଗ୍ରାମରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପାଇଁ ଶପଥ ପାଠ କରାଯିବା ସହ ଲୋକମାନଙ୍କୁ ସଚେତନତା କରାଯାଇଥିଲା। ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ ତଥା ଅଙ୍ଗନୱାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏକ ସ୍ୱତନ୍ତ୍ର ଜନସଚେତନତା ବୈଠକରେ ମୁଖ୍ୟଅତିଥିଭାବେ ସମାଜସେବୀ ଦୁତିବାମନ ବେହେରା, ସମ୍ମାନୀତ ଅତିଥିଭାବେ ଆଡଭୋକେଟ ସଂସାରୀ ସାହୁ, ଆଶାକର୍ମୀ ଅନ୍ନପୂର୍ଣ୍ଣା ମହାପାତ୍ର, ୱାର୍ଡ଼ସଭ୍ୟ ରାଜକିଶୋର ନାୟକ, ଅଙ୍ଗନୱାଡ଼ୀ କେନ୍ଦ୍ର ସଭାପତି ଯୋଗେନ୍ଦ୍ର ମହାନ୍ତିଙ୍କ ସମେତ ବହୁ ସଂଖ୍ୟାରେ ଯୁବତୀ ଓ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ। ଅତିଥିମାନେ ବାଲ୍ୟବିବାହକୁ ଏକ କୁସଂସ୍କାର ଭାବେ ଅଭିହିତ କରିବା ସହିତ ନିଜେ ସଚେତନତା ହୋଇ ଅନ୍ୟକୁ ସଚେତନତା କରିବା, ବାଲ୍ୟବିବାହର ନିରାକରଣ ଓ ଏହାର ଅପକାରିତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଗାଁକୁ ବାଲ୍ୟବିବାହ ମୁକ୍ତ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ।