Odiapua.com

କଂଗ୍ରେସ ହୋଇପାରେ ଗେମ ଚେଞ୍ଜର

ସାଧାରଣ ନିର୍ବାଚନକୁ ଆଉ ଦୁଇ ମାସ ରହିଲା। ଓଡ଼ିଶାର ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ। ପୂର୍ବ ନିର୍ବାଚନ ଅପେକ୍ଷା ରାଜ୍ୟ କଂଗ୍ରେସ ଏଥର ଭଲ କରିବ ବୋଲି ଦୃଢ ଆଶାବାଦୀ। ଅତୀତରେ ଅନ୍ୟ ଦଳକୁ ଡ଼ିଆଁ ମାରିଥିବା ନେତା ଏବେ ଦଳକୁ ଫେରୁଛନ୍ତି। ସୂତ୍ର ମୁତାବକ ପ୍ରଦୀପ ମାଝୀ ଏବେ ଦଳକୁ ଫେରିବେ ଓ ନବରଙ୍ଗପୁରରୁ କଂଗ୍ରେସ ଟିକଟରେ ସାଂସଦ ଲଢ଼ିବେ। ସେହିପରି ଶ୍ରୀକାନ୍ତ ଜେନା କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ। କେନ୍ଦ୍ରାପଡ଼ା କିମ୍ବା ବାଲେଶ୍ୱରରୁ ସାଂସଦ ଲଢ଼ିବେ। ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି ଯେ ବ୍ରହ୍ମଗିରି ଆସନକୁ ନେଇ ଯାହା କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା ତାହାର ମଧ୍ୟ ପରିସମାପ୍ତି ଘଟିଛି। ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର କଂଗ୍ରେସ ଟିକଟରୁ ନିର୍ବାଚନ ଲଢ଼ିବେ। ଏହି ସମୀକରଣରୁ ସ୍ପଷ୍ଟ ଜଣା ପଡୁଛି ଯେ ପୂର୍ଵ ଥର ପରି ଏଥର ଶଙ୍ଖ ଓ ପଦ୍ମ ଦଳକୁ ଯିବାକୁ ଆଉ କଂଗ୍ରେସ ନେତାଙ୍କର ଆଗ୍ରହ ନାହିଁ। ଓଡ଼ିଶାରେ ବିଜେଡ଼ି ଓ ବିଜେପିର ମଧୁଚନ୍ଦ୍ରିକା ଚାଲିଛି ବୋଲି ତଳସ୍ତରରେ ମଧ୍ୟ ଆଲୋଚନା ଆରମ୍ଭ ହେଇଗଲାଣି। ନିକଟରେ କଂଗ୍ରେସ ବିଭାଗର ଦୃଶ୍ୟ ଲୋକଲୋଚନକୁ ଆଣିଥିଲା। ଏହା ଗୋଟିଏ ରାଜନୈତିକ ଆଲୋଚନାର ବିଷୟବସ୍ତୁ ପାଲଟିଛି।

ନିର୍ବାଚନ ସମୟରେ ଦଳବଦଳ ଗୋଟିଏ ସାଧାରଣ ପ୍ରକ୍ରିୟା। ଯାହା ଆକଳନ କରାଯାଉଛି ଏଥର ବିଜେଡ଼ି ଓ ବିଜେପିରେ ଟିକଟ ଆଶାୟୀଙ୍କ ସଂଖ୍ୟା ଅଧିକ। ସମସ୍ତଙ୍କୁ ସନ୍ତୁଷ୍ଟ କରିବା ଅସମ୍ଭବ। ବିଜେଡ଼ି ଜିଲ୍ଲା ପରିଷଦ ସଭାପତି କହୁଛି ବିଧାୟକ ହେବି। ଜିଲ୍ଲା ପରିଷଦ ସଭ୍ୟ, ସମିତି ସଭ୍ୟ, ବ୍ଲକ ଅଧକ୍ଷ ଏପରିକି ସରପଞ୍ଚ ଜିତିଥିବା ପ୍ରାଥି ମଧ୍ୟ ବିଧାୟକ ଟିକଟ ଆଶାୟୀ। ନରେନ୍ଦ୍ର ମୋଦି ଓ ନବୀନ ପଟନାୟକଙ୍କ ଲୋକପ୍ରିୟତା ଓଡ଼ିଶାରେ ଅଛି। ସେହି ଅନୁସାରେ ଟିକଟ ଆଶାୟୀଙ୍କ ସଂଖ୍ୟା ବଢିବା ସ୍ୱାଭାବିକ। କଂଗ୍ରେସ କିନ୍ତୁ ସ୍ଥିର ଅବସ୍ଥାରେ ଅଛି। ଧୀର ପାଣି ପଥର କାଟେ ଢାଞ୍ଚାରେ ରଣନୀତି ପ୍ରସ୍ତୁତ କରୁଛି ଦଳ। ଆଗକୁ ବହୁତ ତୁଙ୍ଗ ନେତା ଯେଉଁମାନେ ଦଳ ଛାଡ଼ି ଯାଇଥିଲେ ସେମାନେ ଫେରିବେ ବୋଲି କଥା ବାର୍ତ୍ତା ଚୂଡାନ୍ତ ପର୍ଯ୍ୟାୟରେ। ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯୋଡ ଯାତ୍ରା ଖୁବ ଶୀଘ୍ର ଓଡ଼ିଶା ଦେଇ ଗତି କରିବ। ସେହି ସମୟରେ କଂଗ୍ରେସ ରଣନୀତିର ଗୋଟିଏ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ପ୍ରିୟ ରଞ୍ଜନ ସାହୁ