Odiapua.com

କଂଗ୍ରେସ ମନ୍ଥନ, ବାହାରିବ ବିଷ !

ଭୁବନେଶ୍ୱର ୨୭-୩ (ଓଡିଆ ପୁଅ- ପ୍ରିୟରଂଜନ ସାହୁ) ଓଡିଶାରେ ଶାସିତ ବିଜୁ ଜନତା ଦଳର ଏବେ କଂଗ୍ରେସ ମନ୍ଥନ ଚାଲିଛି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ବିଜେପୁର ଉପ ନିର୍ବାଚନ ପରେ ରାଜନୈତିକ ପାଣିପାଗ ଯାହା କହୁଛି, ବିଜେଡି ପ୍ରଣ୍ଟ ଫୁଟ୍ ରେ ଅଛି। ବିଜେପି ଏଥର କଡା ଟକ୍କର ଦେବ। କଂଗ୍ରେସ ଖାତା ଖୋଲିବା ନେଇ ପ୍ରଶ୍ନବାଚୀ। ତେଣୁ ମୁଖ୍ୟ ଲଢେଇ ବିଜେଡି ଓ ବିଜେପି ଭିତରେ ହେବ। ବିଜେପୁରରେ ବିଜେଡି କଂଗ୍ରେସକୁ ଅକ୍ତିଆର କରି ସଫଳତା ହାସଲ କରିଥିଲା। ସେହି ଫର୍ମୁଲାକୁ ଆସନ୍ତା ସାଧାରଣ ନିର୍ବାଚନରେ ଆପଣେଇବାକୁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ରାଜ୍ୟ କଂଗ୍ରେସର ଦୟନୀୟ ଅବସ୍ଥାରୁ ଫାଇଦା ଉଠାଇବା ପାଇଁ ଚେଷ୍ଟା ଆରମ୍ଭ କରିଛି ବିଜେଡି। ଏକଦା କଂଗ୍ରେସ ଦଳର ଆଗଧାଡିର କିଛି ତୁଙ୍ଗନେତା ଅବହେଳିତ ହୋଇ ପଡି ରହିଛନ୍ତି ଦଳରେ। ସେମାନଙ୍କୁ ଗୋଟାଇ ନିଜ ଦଳକୁ ଆଣିବା ପାଇଁ ଲାଗିଛି ବିଜେଡି। ଆଗରୁ ଏମିତି ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଛନ୍ତି। ଏମାନଙ୍କୁ ନେଇ ସେମିତି ଆଖିଦୃଶିଆ ସଫଳତା ପାଇ ନାହିଁ ବିଜେଡି। ପ୍ୟାରୀମୋହନ ମହାପାତ୍ରଙ୍କ ସମୟରେ ପିନାକୀ ମିଶ୍ର, ନୃସିଂହ ସାହୁ, ରୋହିତ ପୂଜାରୀଙ୍କ ପରି ଅନେକ କଂଗ୍ରେସ ନେତା ବିଜେଡିରେ ସାମିଲ ହୋଇଥିଲେ। ଏହି ଷ୍ଟ୍ରାଟେଜିରେ ସଫଳ ହୋଇଥିଲେ ପ୍ୟାରୀ ବାବୁ। ମାତ୍ର ୨୦୧୪ ମସିହାରେ ଦଳରେ ଯୋଗ ଦେଇଥିବା ଅନୁପ ସାଏ, ଭୁପିନ୍ଦର ସିଂଙ୍କ ପରି କଂଗ୍ରେସ ନେତା ଦଳ ପାଇଁ ସେପରି କିଛି ଆସେଟ୍ ହୋଇ ପାରିଲେ ନାହିଁ। ଏବେ ପୁଣି ବିଜେଡି ଏକଦା ଦକ୍ଷିଣର ତୁଙ୍ଗ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା, କେନ୍ଦ୍ରାପଡାର ଗଣେଶ୍ୱର ବେହେରାଙ୍କ ଉପରେ ପ୍ରାରମ୍ଭିକ ସ୍ତରରେ ଆଖି ପକାଇଛି। ଏମାନଙ୍କୁ ଆଣିଲେ ଦଳ ମଜବୁତ ହେବ ବୋଲି ବିଜେଡି ବଡ ପଣ୍ଡାମାନେ ଆକଳନ କରୁଛନ୍ତି। ମାତ୍ର ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏଥିରେ ଦଳ କ୍ଷତିରେ ପଡିବ। କାରଣ ଏହି କଂଗ୍ରେସ ନେତାମାନେ ନିଜ କର୍ମୀଙ୍କ ଦ୍ୱାରା ଅଲୋଡା। ନ ହେଲେ ଏମାନେ ବାରମ୍ବାର ନିର୍ବାଚନ ହାରୁ ନଥାନ୍ତେ। ଏମାନେ ଏପରି ରାଜ୍ୟସ୍ତରୀୟ ନେତା ମଧ୍ୟ ନୁହଁନ୍ତି। ଗାନ୍ଧୀ ପରିବାର ସହିତ ଘନିଷ୍ଠତା ହେତୁ ଚନ୍ଦ୍ରଶେଖର ସାହୁ ୟୁପିଏ ସରକାରରେ ମନ୍ତ୍ରୀ ହୋଇ ପାରିଥିଲେ। ବିକ୍ରମ ପଣ୍ଡା ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିଲେ। ଗଣେଶ୍ୱର ବେହେରା ଜାନକୀ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ଥିଲେ। ତେଣୁ ଏମାନେ ଆସିଲେ ତାଙ୍କ ସମର୍ଥକମାନେ ମଧ୍ୟ ବିଜେଡିକୁ ସମର୍ଥନ କରିବେ ସେ ଆଶା କ୍ଷୀଣ। କାରଣ ଆଜିକା ଦିନରେ ଏମାନଙ୍କ ନିଜସ୍ୱ ଭୋଟ ବ୍ୟାଙ୍କ ନାହିଁ। ସମୟ ଥିଲା ବିଜେଡି ଓ ଏହାର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ବଳରେ ଯିଏ ବି ବିଜେଡି ଟିକଟ ପାଉଥିଲା ଜିତୁଥିଲା। ଆଜି ସେ ଦିନ ନାହିଁ। ଭୋଟ ପାଇଁ ରୀତୀମତ କସରତ କରିବାକୁ ପଡୁଛି। ବିଜେପୁର ଉପନିର୍ବାଚନ ଏହାର ଜ୍ୱଳନ୍ତ ଉଦାହରଣ। କଳ, ବଳ, ଦଳ ମିଶି କରିଯାଇ ସଫଳତା ମିଳିଥିଲା। ମାତ୍ର ସାଧାରଣ ନିର୍ବାଚନରେ ଏହା ଅସମ୍ଭବ। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଏକକାଳୀନ ନିର୍ବାଚନ ହେବ। ବିଧାୟକ ପ୍ରାର୍ଥô ଓ ସାଂସଦ ପ୍ରାର୍ଥୀ ନିଜ ନିଜ ନିର୍ବାଚନମଣ୍ଡଳୀକୁ ସମ୍ଭାଳିବେ। ଯଦି ଏହି ଅବହେଳିତ କଂଗ୍ରେସ ନେତାଙ୍କୁ ଦଳକୁ ଆଣି ଟିକେଟ ବଣ୍ଟନ କରାଯାଏ ତେବେ ଏମାନେ ଗଡି ଯିବାର ଆଶଙ୍କା ବେଶୀ। ଏମାନଙ୍କ ବ୍ୟତୀତ ଆହୁରି ଅନେକ କଂଗ୍ରେସ ନେତା ଗୋଡ ଟେକି ବସିଛନ୍ତି ବିଜେଡିରେ ମିଶିବା ପାଇଁ। ମୁଲଚାଲ୍ ବି କରୁଛନ୍ତି। ବିଜେପୁରରେ ଭାରତୀୟ ଜନତା ପାର୍ଟୀ ୬୦ ହଜାର ଭୋଟ ପାଇବା ବିଜେଡିର ଆଭ୍ୟନ୍ତରୀଣ ନେତୃମଣ୍ଡଳୀକୁ ଚିନ୍ତାରେ ପକାଇଛି। ସେହି ଡର ସକାଶେ ଏବେ ଆସୁଥିବା ପୌର ନିର୍ବାଚନକୁ ଆଡେଇବା ପାଇଁ ବିଜେଡି ସରକାର ମନସ୍ଥ କରି ସାରିଲେଣି। ଯଦି ଏହି ବର୍ଷ ଶେଷ ଆଡକୁ କେନ୍ଦ୍ର ସରକାର ସାଧାରଣ ନିର୍ବାଚନ ଘୋଷଣା କରିଦିଏ ତେବେ ବିଜେଡି ପାଇଁ କଚ୍ଚେପୁଅ ବାର। ତେଣୁ କଂଗ୍ରେସ ଦଳକୁ ମନ୍ଥନ କରିବା ଅପେକ୍ଷା ନିଜ ଦଳରେ ଦୀର୍ଘ ଦିନ ଧରି ପଡି ରହିଥିବା ନେତାମାନଙ୍କୁ ସୁଯୋଗ ଦେଲେ ଆସନ୍ତା ନିର୍ବାଚନରେ ଦଳ ଭିତରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି ହୋଇ ପାରିବ। ନଚେତ ସମୁଦ୍ର ମନ୍ଥନ ପରେ ସେଥିରୁ ସୃଷ୍ଟି ବିଷକୁ ସିନା ମହାଦେବ ପାନ କରି ଦେଇଥିଲେ, କଂଗ୍ରେସ ମନ୍ଥନରୁ ଯେଉଁ ବିଷ ବାହାରିବ ତାକୁ ପାନ କରିବ କିଏ ?