Odiapua.com

କଂଗ୍ରେସ ନେତା ହତ୍ୟାକାରୀ ଦୁଇ ପ୍ରମୁଖ ଅପରାଧୀ ପୋଲିସ ଏନକାଉଣ୍ଟରରେ ଧରାପଡିଲେ

ବ୍ରହ୍ମପୁର: ୧/୦୬ (ଓଡ଼ିଆ ପୁଅ/ଜ୍ୟୋତିରଞ୍ଜନ ଦାସ) ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗତ ୨୨ତାରିଖରେ ହୋଇଥିବା ଗୁଳି କାଣ୍ଡ ଓ ହତ୍ୟା ଘଟଣାର ଦୁଇ ପ୍ରମୁଖ ଅଭିଯୁକ୍ତଙ୍କୁ ଗତ ରାତିରେ ପୋଲିସ ଏନକାଉଣ୍ଟର କରିଛି। ଆସିକା ବିଧାନସଭା ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଥିବା ଶ୍ରୀ ମନୋଜ କୁମାର ଜେନାଙ୍କୁ ଏହି ଦୁଇ ଅପରାଧୀଙ୍କ ସମେତ ୮ ଜଣ ଯୋଜନାବଦ୍ଧ ଭାବେ ହତ୍ୟା କରିଥିଲେ। ଅପରାଧିମାନେ ଗତ ରାତିରେ ଆନ୍ଧ୍ର ପ୍ରଦେଶ ଦିଗକୁ ବାଇକରେ ଯାଉଥିବା ଖବର ପାଇ ପୁଲିସ ସେମାନଙ୍କୁ ଗୋଡ଼ାଇ ଘେରିଥିଲେ। ଗୁଳି ବିନିମୟ ବେଳେ ପୋଲିସ ଗୁଳିରେ ଦୁଇ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଏମ. କେ. ସି . ଜି .ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି। ବ୍ରହ୍ମପୁର ଏସ.ପି. ଶ୍ରୀ ପିନାକ ମିଶ୍ର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ହୋଇଥିବା ପ୍ରାଥମିକ ଅନୁଧ୍ୟାନରୁ ଜଣାପଡ଼ିଥିବା ସୂଚାଇ ଆଉ ଅନ୍ୟ ଅପରାଧୀମାନଙ୍କୁ ଗିରଫ କରିବାକୁ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିବା କହିଛନ୍ତି।

ଗତ ୨୨ ତାରିଖରେ କଂଗ୍ରେସ ନେତା ଭୁବନେଶ୍ୱରରୁ ଫେରିବା ବାଟରେ ରାସ୍ତା କଡେ ପରିଶ୍ରା କରିବାକୁ ଯାଇଥିବା ବେଳେ ଅପରାଧିମାନେ ଅଚାନକ ଆକ୍ରମଣ କରି ଗଳା କାଟିବା ସହ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ। ଅପରାଧିମାନେ ଏକାଧିକ ଅପରାଧ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ପୋଲିସ ସୁଚାଇଛନ୍ତି। ଏନକାଉଣ୍ଟରରେ ଆହତ ହୋଇ ଧରା ପଡିଥିବା ଅପରାଧୀ ଗଣେଶ ନାୟକ ଓ ହୃଷୀ ପାତ୍ର ଦୁଇ ଜଣ ଆସିକା ଅଞ୍ଚଳର ବୋଲି ପୋଲିସ କହିଛନ୍ତି।