Odiapua.com

କଂଗ୍ରେସ ଜିଲା ସଭାପତିଙ୍କୁ ବିହାରି ସମାଜ ପକ୍ଷରୁ ଓକିଲ ନୋଟିସ୍ : ଓକିଲ ନୋଟିସର ନଳନିୀଙ୍କ ପ୍ରତିକ୍ରିୟା

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସଂଗୀତା ମୋଟର୍ସ କର୍ମଚାରୀ ଇଂ ଚିତ୍ତରଂଜନ ଜେନା ଆତ୍ମହତ୍ୟା ମାମଲା ଭିନ୍ନମୋଡ ନେବାକୁ ଯାଉଛି । ଭଦ୍ରକ ଟାଉନ୍ ପୁଲିସ୍ ସଂଗୀତା ମୋଟର୍ସର ମାଲିକ ଚନ୍ଦନ ସାହାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖି ଗତକାଲି ତାର ପିତାଙ୍କୁ ଚାନ୍ଦବାଲିରୁ ଗିରଫ କରିଥିଲା । ଏମିତି ସମୟରେ ଜିଲା କଂଗ୍ରେସ ପକ୍ଷରୁ ଏହି ସ୍ପର୍ଶକାତର ବିଷୟରେ ବିହାରି ସମାଜକୁ ଭିନ୍ନ ରୂପରେ ସମାଲୋଚନାର ଅତିଷ୍ଠ ହୋଇ ଭଦ୍ରକ ବିହାରି ସମାଜ ପକ୍ଷରୁ ଏହାର ଦୃଢ ପ୍ରତିବାଦ କରାଯାଇ ଜିଲା ସଭାପତି ନଳିନୀ ମହାନ୍ତିଙ୍କ ବିରୁଦ୍ଧରେ ମାନହାନି ମୋକଦ୍ଦମା ଦାଖଲ କରିବାକୁ ସେମାନଙ୍କ ଓକିଲ ଦେବଦତ୍ତ ମହାନ୍ତିଙ୍କ ଦ୍ୱାରା ଗତକାଲି ଏକ ଓକିଲ ନୋଟିସ୍ ପଠାଇଛନ୍ତି । ବିହାରୀ ସମାଜ ଦର୍ଶାଇଛି ବିହାରୀମାନେ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ରହି ଓଡ଼ିଶାର ସଂସ୍କୃତି ପାଣି ପବନକୁ ଆପଣେଇ ନେଇଛନ୍ତି । ସ୍ୱର୍ଗତଃ ଚିତ୍ତରଂଜନ ଜେନା କମିଶନ ଆଧାରରେ ସଂଗୀତା ମୋଟର୍ସ ମାଲିକ ଚନ୍ଦନ ସାହାଙ୍କ ସହ ଆର୍ଥିକ କାରବାର ଓ ବ୍ୟବସାୟ କରୁଥିବାବେଳେ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି । ଏଥିପାଇଁ ଶ୍ରୀ ସାହା ତାଙ୍କର ଟ୍ରାକ୍ଟର ବେପାର ସେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ସ୍ୱର୍ଗତ ଜେନା ହଡପ କରିଥିବା ଟଙ୍କାକୁ ଫେରେଇବା ପାଇଁ କହିବାରୁ ସେ ଫେରେଇ ନଥିଲେ । ଫଳରେ ଶ୍ରୀ ସାହା ବାଧ୍ୟ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ କହିବାରୁ ସ୍ୱର୍ଗତଃ ଜେନା ଲିଖିତ ଆକାରରେ କିଛିଦିନ ସମୟ ନେଇଥିଲେ ଓ ପରିଶୋଧ ନକରି ଆତ୍ମହତ୍ୟା ପରି ଏକ ବିରଳ ପନ୍ଥା ଆପଣେଇ ନେଇଛନ୍ତି । ଏମିତି ଅବସ୍ଥା କ୍ରମେ ଜିଲା ସଭାପତି ନଳିନୀ ମହାନ୍ତିଙ୍କୁ ପ୍ରେସ୍ ବିବୃତ୍ତିରେଏହି ଘଟଣା ସହ ବିହାରୀ ଅପରାଧିଙ୍କ ସହ ଲିଙ୍କ ଥିବା ବିଷୟ ହାସ୍ୟାସ୍ପଦ । ଏହି ପ୍ରେସ୍ ବିବୃତ୍ତିର ପ୍ରମାଣ ମାଗିଛି ବିହାରୀ ସମାଜ ।

 

 

ଏପରି ହାଲୁକା ବିବୃତିକୁ ନିନ୍ଦା କରିବା ସହ ଲୋକମାନଙ୍କ ଦ୍ୱାରା କଂଗ୍ରେସ ପ୍ରତ୍ୟାକ୍ଷିତ ହେବା ପରେ ଏମିତି ମନ୍ତବ୍ୟରୁ କ୍ଷାନ୍ତ ହେବା ପାଇଁ ତାଗିଦ କରି ଓକିଲ ନୋଟିସ୍ ପଠାଇଛନ୍ତି ଓ ଏଥିରୁ କ୍ଷାନ୍ତ ହେବା ପାଇଁ ସତର୍କ କରିଦିଆଯାଇଛି । ତେବେ ଏହି ଓକିଲ ନୋଟିସ୍‌ର ପ୍ରତି ଉତ୍ତରରେ ଶ୍ରୀ ମହାନ୍ତିଙ୍କୁ ପଚାରିବାରୁ ସେ କହିଥିଲେ କି ସେ ଏଭଳି କୌଣସି ନୋଟିସ ପାଇ ନାହାନ୍ତି । ଏହା ଛଡା ସେ କୌଣସି ସଂପ୍ରଦାୟ ବିରୁଦ୍ଧରେ ବିବୃତି ଦେଇନାହାନ୍ତି । ବିହାରୀ ସମାଜ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ସାଧାରଣତ ଯିଏ ଯେଉଁ ପ୍ରଦେଶର ଲୋକ ସେହି ପ୍ରଦେଶକୁ ନେଇ ଲୋକଙ୍କୁ ଓଡ଼ିଶାର ଲୋକ ଓଡ଼ିଆ, ବିହାରର ଲୋକ ବିହାରୀ, ପଶ୍ଚିମବଙ୍ଗର ଲୋକ ବଙ୍ଗାଳୀ ବୋଲି କୁହାଯାଉଥିବାରୁ ଏହି ଘଟଣା ଏବଂ ଭଦ୍ରକରେ ଚାଲିଥିବା ଦେଶୀ ମଦ, ଡ୍ରଗ୍ସ ଓ ଅପରାଧିକ କାରବାର ଏପରିକି ଏଲ୍‌ଆଇସି ଗୁଳିକାଣ୍ଡ ଠାରୁ ଛପୋଲିଆ ଠାରେ ଧରାପଡିଥିବା ଡକାୟତମାନେ ବିହାରରେ ଜନ୍ମିତ ବ୍ୟକ୍ତି ବିଶେଷ ହୋଇଥିବାରୁ କେବଳ ମାତ୍ର କଥା ଛଳରେ ସେମାନଙ୍କୁ ବିହାରୀ ବୋଲି କୁହାଯାଇଥିଲେ ମଧ୍ୟ ବିହାରୀ ସମାଜ ପ୍ରତି କୌଣସି ଆକ୍ଷେପ କରାଯାଇ ନାହିଁ । ମୋର ଲଢେଇ ଜଣେ ଗରିବ ବାପା ମାଆ ପୁଅକୁ ହରାଇଥିବାରୁ ସେ କିଭଳି ନ୍ୟାୟ ପାଇବେ ଓ ଭଦ୍ରକରେ ଚାଲିଥିବା ନିଶାକାରବାର କିଭଳି ବନ୍ଦ ହେବ, ଭଦ୍ରକରେ କ୍ରିମିନାଲ ଆକ୍ଟିଭିଟିଜ୍‌ର ମୂଳପୋଛ ହେବ ସେଥି ନେଇ ଭଦ୍ରକ ମାଟିର ପୁଅ ହିସାବରେ ଆନ୍ଦୋଳନ କରୁଛି, ଆଗକୁ ମଧ୍ୟ କରିବି । ଏସବୁର ପଛରେ କେଉଁମାନେ ଅଛନ୍ତି ତାହାର କ୍ରାଇମ୍ ବ୍ରାଂଚର ତଦନ୍ତ ପାଇଁ ମଧ୍ୟ ଦାବି କରିଛି । ଭଦ୍ରକରେ ଚନ୍ଦନ ଶାହା ଓ ଶ୍ୟାମସୁନ୍ଦର ଗୁପ୍ତାଙ୍କର ବ୍ୟବସାୟର ଅର୍ଥନୈତିକ ଅବରୋଧ ଶାଖା ମାଧ୍ୟମରେ ଯାଞ୍ଚ କରାଯିବାକୁ ମୋର ଦାବି ରହିଛି ବୋଲି ପ୍ରତିକ୍ରିୟାରେ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।