Odiapua.com

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ) : କଂଗ୍ରେସକୁ ଝଟକା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପଠେଇଛନ୍ତି ଇସ୍ତଫାପତ୍ର। ଯଦିଓ ଏହା କାହାକୁ ଅଜଣା ନଥିଲା। ସେ ଦଳରୁ ଇସ୍ତଫା ଦେବେ ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା। ଅତି ଦୁଃଖ ଓ କଷ୍ଟର ସହ ନିଷ୍ପତ୍ତି ନେଇଥିବା ପ୍ରଦୀପ ଚିଠିରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। କଂଗ୍ରେସରୁ ଇସ୍ତଫା ଦେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ପ୍ରଦୀପ ମାଝୀଙ୍କ ପୂର୍ବରୁ କୋରାପୁଟର ଚନ୍ଦ୍ରଶେଖର ମାଝୀ ଓ କୈଳାସ କୁଲେସିକା ମଧ୍ୟ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଗତ ବୁଧବାର ଲକ୍ଷ୍ମୀପୁରର ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ବିଜେଡିରେ ଯୋଗ ଦେଇଥିଲେ।

ପ୍ରଦୀପ ମାଝି ଲେଖିଛନ୍ତିଯେ, ପୂର୍ବରୁ କ୍ରିୟାଶୀଳ ନେତୃତ୍ୱ ଯୋଗୁଁ ଦଳର ସଂଗଠନ ଭଲରେ ପରିଚାଳିତ ହେଉଥିଲା। କିନ୍ତୁ କିଛି ଜିଦ୍‌ କରି ଅସହଯୋଗ କରୁଥିବା ବ୍ୟକ୍ତି କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବା ଯୋଗୁ ଦଳ ନିମ୍ନଗାମୀ ହୋଇଛି। କଂଗ୍ରେସ ଦଳ ଏବେ ବିଶ୍ୱନୀୟତା ହରାଇଛି। ଦଳକୁ ପୁନରୁଦ୍ଧାର କରିବାକୁ ବହୁ ସମୟ ଲାଗିବ।

ପ୍ରଦୀପ ପ୍ରକାଶ କରିଛନ୍ତିଯେ, ମୁଁ ଅଭାବନୀୟ ଲୋକଙ୍କ ସେବା କରିବା ଉଦ୍ଦେଶ୍ୟରେ ଅତ୍ୟଧିକ ଉତ୍ସାହର ସହିତ ଭାରତୀୟ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଇଥିଲି, ସେହି ଅନୁଯାୟୀ ଦଳ ମଧ୍ୟ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥିଲା ଏବଂ ମୋ ପକ୍ଷର କୌଣସି ଦାବି ବିନା ମୋତେ ଅନ୍ୟମାନଙ୍କ ଶୀର୍ଷରେ ରଖିଥିଲା। ମୁଁ ସମ୍ପୃକ୍ତ ପଦବୀକୁ ଉପଭୋଗ କଲି ଏବଂ ସାଧାରଣ ଜନତାଙ୍କ ପ୍ରେମ ଏବଂ ଅନୁଗ୍ରହ ହାସଲ କଲି।