Odiapua.com

କଂଗ୍ରେସ କର୍ମୀଙ୍କୁ ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ ନବଜ୍ୟୋତି

ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବିଧାନସଭା ଆସନରେ ନବଜ୍ୟୋତିଙ୍କ ବାପା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପୁନର୍ବାର ଏହି ଆସନରୁ ପ୍ରାର୍ଥୀ ହେବେ । କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ସଂକଳ୍ପ ନେଇ ଲଢେଇ ପାଇଁ ପ୍ରସ୍ତୁତ ହେବାକୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ରାଜୀବଭବନ ଠାରେ ଜିଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାନସଭା ସ୍ତରୀୟ ଛାମୁଆ କର୍ମୀ ଓ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବଜ୍ୟୋତିଙ୍କ ବାପା ତଥା ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକ ପୁନର୍ବାର ଏହି ଆସନରୁ ପ୍ରାର୍ଥୀ ହେବା ସହ ବିଜୟୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏଥିପାଇଁ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ପ୍ରସ୍ତୁତ ରହିବା ସହ ଜନସଂପର୍କକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ । ନବଜ୍ୟୋତି ନିଜେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ନହେଲେ ଭବିଷ୍ୟତରେ ଭଣ୍ଡାରିପୋଖରୀ ବାସୀଙ୍କ ସୁଖଦୁଖରେ ସାମିଲ ହେବେ ବୋଲି ଘୋଷଣା କରିଥିଲେ । ଆସନ୍ତା ସପ୍ତାହରୁ ନିରଞ୍ଜନ ପଟ୍ଟନାୟକ ଭଣ୍ଡାରିପୋଖରୀ ଆସି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ପ୍ରଦାନ କରାଯାଇଛି । ଏପରିକି ନବଜ୍ୟୋତି କଂଗ୍ରେସ ତ୍ୟାଗ କରିବା ନେଇ ବିରୋଧୀ କରୁଥିବା ପ୍ରଚାରକୁ ଖଣ୍ଡନ କରି ସେ କଂଗ୍ରେସ ଦଳ ତ୍ୟାଗ କରିବାର କୌଣସି ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏହି ବୈଠକରେ ଉଭୟ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକ୍‌ର ପ୍ରମୁଖ କଂଗ୍ରେସ ନେତୃବୃନ୍ଦ ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପିତାମ୍ବର ନାୟକ, ବ୍ଲକ୍ କଂଗ୍ରେସ ସଭାପତି ରଜନୀକାନ୍ତ ଚାନ୍ଦ, ଗୋଲକ ଚନ୍ଦ୍ର ବେହେରା, ବିଜୟ ଶଙ୍କର ମହାନ୍ତି, ପ୍ରଶାନ୍ତ କୁମାର ସାହୁ, ରମେଶ ଭାରତୀ, ରାଜକିଶୋର ସ୍ୱାଇଁ, ନିରଞ୍ଜନ ମଲ୍ଲିକ, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।