Odiapua.com

କଂଗ୍ରେସର ୬ ଘଂଟିଆ ଓଡିଶା ବନ୍ଦ ପ୍ରସଙ୍ଗ: ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଓଡିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ : ଲେଖାଶ୍ରୀ

ଭୁବନେଶ୍ୱର ୧୫/୦୨ (ଓଡ଼ିଆ ପୁଅ) : ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଭୋଟ୍ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ ବ୍ୟଥାର କାରଣ ହୋଇଛି। ଦଳର ଅସ୍ତିତ୍ୱକୁ ବଂଚାଇବା ପାଇଁ ଆଜି ଏ ବନ୍ଦ ଡାକରା ଦିଆଯାଇଛି। କଂଗ୍ରେସ ରାଜନୈତିକ ଦଳ ଭାବେ ନିନ୍ଦିତ ଅବସ୍ଥାରେ ରହିବା ଓ ଅଡୁଆରୁ ମୁକୁଳିବା ପାଇଁ ଜନ ସ୍ୱାର୍ଥର ମିଛ ଆନ୍ଦୋଳନର ଡାକରା ଦେଇଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ଡ.ସାମନ୍ତସିଂହାର କହିଛନ୍ତି ଯେ, ଅଶୋଧିତ ତୈଳର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ଯେତିକି କମିଲା ସେତିକି ମୂଲ୍ୟ ଖାଉଟି ମାନଙ୍କ ପାଇଁ କମ୍ କରିବାର ଦାବି ସମ୍ପୂର୍ଣ୍ଣ ଅମୂଳକ। ପେଟ୍ରୋଲ, ଡିଜେଲର ମୂଲ୍ୟ ନେଇ ତିନୋଟି କାରଣ ରହିଛି। ପ୍ରଥମଟି ହେଲା ଅଶୋଧିତ ତୈଳର ମୂଲ୍ୟ, ପରିବହନ ଓ ବିଶୋଧନ। ଯଦିଓ ଅଶୋଧିତ ତୈଳର ମୂଲ୍ୟ ଆନ୍ତର୍ଜାତିକ ବଜାରରେ କମିଛି ତେବେ ପରିବହନ ଓ ବିଶୋଧନ ମୂଲ୍ୟ ହ୍ରାସ ପାଇ ନାହିଁ। ତେଣୁ ଅଶୋଧିତ ତୈଳର ମୂଲ୍ୟ ଯେତିକି କମିଲା ସେତିକି ପେଟ୍ରୋଲ ଓ ଡିଜେଲର ମୂଲ୍ୟ କମିବା ତଥ୍ୟଭିତିକ ନୁହେଁ। ବଳୁଥିବା ଅର୍ଥ ସ୍ୱିସ ବ୍ୟାଙ୍କ ବା ପାନାମା ପେପରକୁ ଯାଉ ନାହିଁ, ସେଗୁଡିକ ଜନକଲ୍ୟାଣକାରୀ ଯୋଜନାରେ ଖର୍ଚ୍ଚ ହେଉଛି। ଦ୍ୱିତୀୟ କାରଣ ହେଉଛି- ମୋଦି ସରକାରଙ୍କ ପ୍ରାଥମିକତା ଦେଶର ସାଧାରଣ ଗରିବ ଲୋକ। ଖାଦ୍ୟ ସୁରକ୍ଷାରେ ଚାଉଳ, ମୁଦ୍ରା ଯୋଜନାରେ ଋଣ, ସ୍ୱଚ୍ଛ ଭାରତ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ସବୁ ଘରକୁ ବିଜୁଳି, ପାଣି, ପାଇଖାନା, ରାସ୍ତା, ଇତ୍ୟାଦିରେ କେନ୍ଦ୍ର ସରକାର ବିପୁଳ ଅର୍ଥ ଯୋଗାଇ ଦେଉଛନ୍ତି। ତୃତୀୟ କାରଣ ହେଲା ରାଜ୍ୟ ସରକାର କେନ୍ଦ୍ରୀୟ ଟିକସରୁ ୪୧ ପ୍ରତିଶତ ଅର୍ଥ ପାଉଥିବା ବେଳେ ପୂର୍ବରୁ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲରୁ ୨୬ ପ୍ରତିଶତ ଟିକସ ପାଉଥିଲେ ଏବଂ ଏବେ ଡିଜେଲରେ ୨୮ ପ୍ରତିଶତ ଏବଂ ପେଟ୍ରୋଲରେ ୩୨ ପ୍ରତିଶତ ଟିକସ ପାଉଛନ୍ତି। ଯଦି ଓଡିଶା ଲୋକଙ୍କ ପାଇଁ ସ୍ୱାର୍ଥର ଚିନ୍ତା ରାଜ୍ୟ ସରକାର କରୁଛନ୍ତି ତେବେ ପଡୋଶୀ ରାଜ୍ୟ ପରି ଓଡିଶାର ଟିକସ କମ କରନ୍ତୁ।

ମୋଦି ସରକାର କରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଓଡିଶାର ୪୫ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ୫୭୧.୭୨ କୋଟି ଖର୍ଚ୍ଚରେ ମାଗଣାରେ ଏଲପିଜି ଗ୍ୟାସ ସିଲିଣ୍ଡର ପ୍ରଦାନ କରିଛନ୍ତି। ମୋଦି ସରକାର ଏହିଭଳି ଟିକସ ଅର୍ଥକୁ ଜନକଲ୍ୟାଣକାରୀ କାର୍ଯ୍ୟରେ ଲଗାଉଛନ୍ତି। ବିକଶିତ ରାଷ୍ଟ୍ର ଗୁଡ଼ିକ ଯଥା ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ପେନ, ୟୁକେ ଠାରୁ ଭାରତରେ ପେଟ୍ରୋଲ ଏବଂ ଡ଼ିଜେଲ ଦର କମ ରହିଛି ବୋଲି ଡ.ସାମନ୍ତସିଂହାର କହିଛନ୍ତି।