– ଯଥେଷ୍ଟ ପରିମାଣର ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଉତ୍ପାଦନ ଓ ଉପଲବ୍ଧତା ସୁନିଶ୍ଚିତ କରାଯାଉଛି
ନୂଆଦିଲ୍ଲୀ ୧୪-୪ (ଓଡ଼ିଆ ପୁଅ) ଉଭୟ ଘରୋଇ ଏବଂ ରପ୍ତାନି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଔଷଧ ଉଦ୍ୟୋଗ ଯଥେଷ୍ଟ ପରିମାଣର ଜରୁରି ଔଷଧ ବିଶେଷ କରି ହାଇଡ୍ରୋକ୍ସି କ୍ଲୋରୋକୁଇନ ଉତ୍ପାଦନ କରୁଛନ୍ତି। ଏସବୁର ଉତ୍ପାଦନ ଏବଂ ସାରା ଦେଶରେ ଏହାର ପରିବହନକୁ ସୁନିଶ୍ଚିତ କରିବା ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନ ସହିତ ମିଶି ଔଷଧ ବିଭାଗ ନିରନ୍ତର ପ୍ରୟାସ କରୁଛି। ଔଷଧ ବିଭାଗ ସଚିବ ଡ. ପି. ଡି ୱାଘେଲାଙ୍କ ସହିତ ଔଷଧ ଏବଂ ଚିକିତ୍ସା ସରଞ୍ଜାମ ଉଦ୍ୟୋଗର ପ୍ରତିନିଧିମାନଙ୍କ ସହିତ ଆଲୋଚନା ସମୟରେ ଏହା ଜଣାପଡ଼ିଛି। ଏହି ଭିଡିଓ କନଫରେନ୍ସରେ ବିଭାଗର ଯୁଗ୍ମ ସଚିବ ନବଦୀପ ରିନୱା ଏବଂ ବିଭିନ୍ନ ଔଷଧ ଓ ଡାକ୍ତରୀ ସରଞ୍ଜାମ ନିର୍ମାତା ସଂଘ ଯଥା ଆଇପିଏ, ଆଇଡିଏମ, ଓପ୍ପି, ବିଡିଏମଏ, ଏଆଇମେଡ, ଏମଟିଏଆଇ, ଫାର୍ମାଏକ୍ସିଲ, ସିଆଇଆଇ, ଫିକ୍କି ଓ ଅଲ ଇଣ୍ଡିଆ ଆସୋସିଏସନ ଅଫ କେମିଷ୍ଟ ଓ ଡ୍ରଗିଷ୍ଟର ପ୍ରତିନିଧିମାନେ ଯୋଗ ଦେଇଥିଲେ।
ଦେଶର ବିଭିନ୍ନ ସ୍ଥାନରେ ଔଷଧ ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ପ୍ରତିନିଧିମାନେ ସେମାନଙ୍କ ମତ ରଖିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ହସ୍ତକ୍ଷେପ ଫଳରେ ଅଧିକାଂଶ ସମସ୍ୟା ଦୂର ହୋଇଛି। ବିଶେଷ କରି ଉତର ପୂର୍ବାଂଚଳକୁ ଔଷଧ ଯୋଗାଣ ସମସ୍ୟାର ସମାଧାନ ହୋଇଛି। ବିଭିନ୍ନ ଯୋଗାଯୋଗ ମାଧ୍ୟମରେ ଉଦ୍ୟୋଗ ଜଗତ ଓ ରାଜ୍ୟଗୁଡ଼ିକ ସହିତ ବିଭାଗ ନିୟମିତ ସମ୍ପର୍କ ସ୍ଥାପନ କରୁଥିବା ସଚିବ ସୂଚନା ଦେଇଥିଲେ। ଯେକୌଣସି ସମସ୍ୟାର ସମାଧାନ ଯଥାଶୀଘ୍ର କରାଯିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଥିଲେ।
ଏହି ସଙ୍କଟମୟ ପରିସ୍ଥିତିରେ ଔଷଧ ଉଦ୍ୟୋଗ ଭୋଗୁଥିବା ସମସ୍ୟାର ସମାଧାନ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ସମ୍ପର୍କରେ ପ୍ରତିନିଧିମାନେ ସନ୍ତୋଷ ବ୍ୟକ୍ତ କରିଥିଲେ। ତେବେ ମଧୁମେହ, କର୍କଟ ଏବଂ ଅନ୍ୟ ଜରୁରି ରୋଗର ଔଷଧ ବିତରଣ ନିମନ୍ତେ କୋରିୟର ସେବାକୁ ଜରୁରି ସେବା ମଧ୍ୟରେ ସାମିଲ କରିବା ନିମନ୍ତେ ସେମାନେ ପରାମର୍ଶ ଦେଇଥିଲେ। ଏହାଛଡ଼ା ଔଷଧ କ୍ଷେତ୍ର ସହିତ ଜଡ଼ିତ ଆନୁସଙ୍ଗିକ ସେବା ଓ ଉତ୍ପାଦଗୁଡ଼ିକର ସୁଗମ ଯୋଗାଣ ଉପରେ ଗୁରୁତ୍ୱ ଦେବା ଏବଂ ବିଭିନ୍ନ ବନ୍ଦରରେ ସେମାନେ ଭୋଗୁଥିବା ସମସ୍ୟାର ସମ୍ପର୍କରେ ପ୍ରତିନିଧିମାନେ ଉଲ୍ଲେଖ କରିଥିଲେ। ଲକଡାଉନ ସମୟରେ ସରକାରଙ୍କୁ ସହଯୋଗ କରିବା ସହିତ ଜରୁରି ଔଷଧ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ବିଭାଗୀୟ ସଚିବ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।