Odiapua.com

ଓଡ଼ିଶା ସିଭିଲ ସର୍ଭିସରେ ନିଯୁକ୍ତି ପାଇଲେ ୧୦୨ ଅଧିକାରୀ

– ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟା ସମାଧାନ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର ୨୧.୬ (ଓଡ଼ିଆ ପୁଅ) ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଅନୁଷ୍ଠିତ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ୨୦୧୭ର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଶାସନିକ ଅଧିକାରୀ ଭାବରେ ସେମାନଙ୍କୁ ଲୋକଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କରେ ରହିବାକୁ ହେବ। ଲୋକଙ୍କ କଲ୍ୟାଣ ପାଇଁ ନିଷ୍ପତ୍ତି ନେବାକୁ ହେବ। ତେଣୁ ଧୈର୍ଯ୍ୟ ଓ ସମ୍ବେଦନଶୀଳତା ସହିତ ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ କଲ୍ୟାଣ ତାଙ୍କର ସବୁ ବିକାଶ କାର୍ଯ୍ୟକ୍ରମର ମୁଖ୍ୟ ଫୋକସ୍। ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାରଙ୍କର 3-T ମନ୍ତ୍ର ସଂପର୍କରେ ନବନିଯୁକ୍ତ ଅଧିକାରୀ ମାନଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ Technology, Transparency ଏବଂ Teamwork ଉପରେ ରାଜ୍ୟ ସରକାର ଗୁରୁତ୍ବ ଆରୋପ କରିଛନ୍ତି। ବର୍ତ୍ତମାନ ଏହି ମନ୍ତ୍ରରେ ରାଜ୍ୟ ସରକାର ସମୟକୁ ସାମିଲ କରିଛନ୍ତି। ସମୟ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯାହକୁ କେହି ଅଣଦେଖା କରିପାରିବେ ନାହିଁ। ତେଣୁ ଆମର ପ୍ରଶାସନରେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ପାଇଁ ଆମେ 5-T (Technology, Transparency,Teamwork, Transformation and Time) ଉପରେ ଗୁରୁତ୍ବ ଦେଉଛୁ। ଏହି ୫ଟି ମନ୍ତ୍ରକୁ ଆଧାର କରି କାମ କଲେ, ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ସହିତ ସଫଳ ଭାବେ ନିଜ ଦାୟିତ୍ବ ନିର୍ବାହ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାଣ୍ଡୀ, ଶକ୍ତି, MSME ଓ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପାଢୀ, ଉନ୍ନୟନ କମିଶନର ଶ୍ରୀ ଅସିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ସଚିବ ଶ୍ରୀ ଏସ୍.ଏନ୍. ଗିରିଶ ସ୍ଵାଗତ ଭାଷଣ ଦେଇଥିଲେ। ସୂଚନାଯୋଗ୍ୟ ଯେ, ଓଡ଼ିଶା ଲୋକସେବା ଆୟୋଗ ଦ୍ଵାରା ଅନୁଷ୍ଠିତ ପରୀକ୍ଷାରେ ଓଡିଶା ସିଭିଲ ସର୍ଭିସ ପାଇଁ ୧୦୨ ଜଣ ମନୋନୀତ ହୋଇ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରେ ୪୨ ଜଣ ମହିଳା ଥିବାବେଳେ ୪ ଜଣ ଭିନ୍ନକ୍ଷମ ମନୋନୀତ ହୋଇଛନ୍ତି। ଏଥିରେ ୩୬ ଜଣ ଓ.ଏ.ଏରେ ଯୋଗ ଦେଇଥିବା ବେଳେ, ୯ ଜଣ ଓ.ପି.ଏରେ, ୨୪ ଜଣ ଓ.ଏଫ୍.ଏରେ, ୩ ଜଣ ସମବାୟ ସେବା, ୨୦ ଜଣ ରାଜସ୍ବ ସେବା ଓ ୧୪ ଜଣ ଟିକସ ଓ ଆକାଉଣ୍ଟସ ସେବାରେ ଯୋଗ ଦେଇଛନ୍ତି।