Odiapua.com

ଓଡ଼ିଶା ସରକାର ଓ ରେଳ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା : ଭୁବନେଶ୍ୱର ରେଳ ଷ୍ଟେସନ ହେବ ବହୁମୁଖୀ ପରିବହନ କେନ୍ଦ୍ର

– ତିନି ବର୍ଷ ମଧ୍ୟରେ ବିକଶିତ ହେବ ପ୍ରକଳ୍ପ

ଭୁବନେଶ୍ୱର ୧୯-୯ (ଓଡ଼ିଆ ପୁଅ) ରେଳ ମନ୍ତ୍ରଣାଳୟ ତତ୍ୱାବଧାନରେ ପୂର୍ବତଟ ରେଳପଥ ଭୁବନେଶ୍ୱର ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବ। ଏଥିପାଇଁ ଓଡ଼ିଶା ସରକାରଙ୍କ ସହିତ ନୂଆଦିଲ୍ଲୀରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ରେଳ, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଏହି ବୁଝାମଣା ସ୍ୱାକ୍ଷର ସମାରୋହରେ ସାମିଲ ହୋଇଥିଲେ।

ବୁଝାମଣା ଅନ୍ତର୍ଗତ ରେଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଭୁବନେଶ୍ୱର ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବେ। ଏହି ବହୁମୁଖୀ କେନ୍ଦ୍ରର ବିକାଶ ତିନି ବର୍ଷ ମଧ୍ୟରେ ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥିରେ ରେଳ ଷ୍ଟେସନ ଲାଗି ନୂଆ ଟର୍ମିନାଲ ଭବନର ନିର୍ମାଣ କରାଯିବ। ଏଥରେ ସିଟି ବସ ଟର୍ମିନାଲ, ସାଧାରଣ କାର ପାର୍କିଂ ସ୍ଥାନ ଏବଂ ଅନ୍ୟ ଆନୁସଙ୍ଗିକ ସର୍ବସାଧାରଣ ସୁବିଧା ଉପଲବ୍ଧ ହେବ। ରେଳ ଷ୍ଟେସନର ଉଭୟ ପାଶ୍ୱର୍ରେ ଥିବା ଜମିର ମିଶ୍ରିତ ଉପଯୋଗ କରି ବିକଶିତ କରାଯିବ।

ଏହି ଅବସରରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ସାଧାରଣ ନାଗରିକ ଏହି ପ୍ରକଳ୍ପ ଦ୍ୱାରା ଅଧିକ ଲାଭବାନ ହେବେ ଏବଂ ଏହି କ୍ଷେତ୍ରରେ ଏହା ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ବିକାଶ ଲାଗି ରେଳ ମନ୍ତ୍ରଣାଳୟକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଏହା ଏକ ବିଶ୍ୱସ୍ତରୀୟ ବହୁମୁଖୀ ପରିବହନ କେନ୍ଦ୍ର ହେବ। ଏହା ମଧ୍ୟ ଦେଶରେ ଏହି ଧରଣର ପ୍ରଥମ କେନ୍ଦ୍ର ହେବ।

ଏହି ଅବସରରେ ଶ୍ରୀ ପୀୟୂଷ ଗୋଏଲ କହିଥିଲେ ଯେ ଭାରତୀୟ ରେଳପଥ ବିଶ୍ୱସ୍ତରୀୟ ମୌଳିକ ଭିତିଭୂମି ନିର୍ମାଣ କରିବା ଲାଗି ଲକ୍ଷ୍ୟ ରଖିଛି। ସେ କହିଥିଲେ ଯେ ଓଡ଼ିଶା ସରକାର ଭୁବନେଶ୍ୱର ରେଳ ଷ୍ଟେସନକୁ ବହୁମୁଖୀ ପରିବହନ କେନ୍ଦ୍ର ଭାବେ ବିକଶିତ କରିବା ଲାଗି ରେଳ ମନ୍ତ୍ରଣାଳୟ ସହିତ ସହଯୋଗ କରିବା ଲାଗି ଆଗେଇ ଆସିବା ଖୁସିର କଥା।