ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ର ଭଦ୍ରକ ଜିଲ୍ଲା ଶାଖା ତରଫରୁ ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଏକାଠି ହୋଇ ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ସରକାରୀ ଚାକିରୀ କ୍ଷେତ୍ରରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବା, ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ଅବଧିକୁ ମୂଳ ଚାକିରୀରେ ଗଣନା କରିବା, ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମ ୨୦୧୩ ମୁତାବକ ସପ୍ତମ ବେତନ କମିଶନ ଅନୁଯାୟୀ ମୂଳ ଦରମା ପ୍ରଦାନ କରିବା, ପୂର୍ବରୁ ୫୦% ବର୍ଦ୍ଧିତ ଦରମା ୧-୧-୨୦୧୬ ଠାରୁ ଲାଗୁ କରିବା ଏବଂ ନିୟମିତ କର୍ମଚାରୀମାନଙ୍କ ପରି ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ଡ଼ି.ଏ. ଓ ଏଚ୍.ଆର୍.ଏ ପ୍ରଦାନ କରିବା ଆଦି ୫ ଦଫା ଦାବି ପୁରଣ ପାଇଁ ଏହି ଦରଖାସ୍ତରେ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି, ସଂଘର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଜେନାଙ୍କ ଉପସ୍ଥିତିରେ ସଂଘର ଅନ୍ୟ କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଚାକିରୀ କରିଥିବା କନିଷ୍ଠ ଶିକ୍ଷକ ଏବଂ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ସରକାରୀ ଚାକିରୀରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଓଡ଼ିଶା ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ୨୦୧୩କୁ ଓଡ଼ିଶାରୁ ସମ୍ପୁର୍ଣ୍ଣ ଉଚ୍ଛେଦ କରାଯିବା ସହ ଚୁକ୍ତି ଭିତ୍ତିକ ଚାକିରୀ ସମୟକୁ ନିୟମିତ ଚାକିରୀ ସମୟ ଭାବେ ସମସ୍ତ ଉଦ୍ଦେଶ୍ୟରେ ଗଣାଯିବା ପାଇଁ ଏହି ଦାବି ପତ୍ରରେ ପ୍ରାର୍ଥନା କାରାଯାଇଛି। ପଦୋନ୍ନତି, ଇନ୍କ୍ରିମେଣ୍ଟ, ବରିଷ୍ଠତା, ଏମ୍.ଏ.ସି.ପି., ଅବସରକାଳୀନ ପ୍ରାପ୍ୟ ଆଦି ସମସ୍ତ କ୍ଷେତ୍ରରେ ଉକ୍ତ ଚୁକ୍ତିଭିତ୍ତିକ ଚାକିରୀ ଅବଧିକୁ ନିୟମିତ ଚାକିରୀ କାଳ ସହ ସାମିଲ କରିବା ପାଇଁ ଦାବି କରାଯାଇଛି।