ହାଟଡିହି-୧୫/୩ (ଓଡିଆପୁଅ / ବିକାଶ ବିଶ୍ୱାଳ) ଓଡ଼ିଶା ଶିଶୁ ସାହିତ୍ୟ ଲେଖକ ସମ୍ମେଳନର ବିଂଶତମ ବାର୍ଷିକ ଉତ୍ସବରେ ଶିଶୁ ସାହିତ୍ୟ ଲେଖକ ତଥା ସଂଗଠକ ରତ୍ନାକର ଦାସଙ୍କୁ ସମ୍ମାନିତ କରାଯାଇଛି । ତାଙ୍କ ଲିଖିତ ‘ଅଠର କଥା’ ଠାରୁ ‘ଆସ ବିଭେଦକୁ ଦଳିବା ଆମେ’ ଆଦି ୮ଖଣ୍ଡ ପୁସ୍ତକ ସମେତ ଓଡ଼ିଶା ସାହିତ୍ୟ ଏକାଡ଼େମୀ, କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରକାଶିତ ସ୍ୱତନ୍ତ୍ର ଶିଶୁ ସାହିତ୍ୟ ସଂକଳନ, ରାଜ୍ୟର ସମସ୍ତ ଖବର କାଗଜ ଓ ଶିଶୁ ସାହିତ୍ୟ ପତ୍ରିକାରେ ନିରବଚ୍ଛିନ୍ନ ପ୍ରକାଶିତ ଲେଖା ଆଦିକୁ ବିଚାରକୁ ନିଆଯାଇ ତାଙ୍କୁ ଏହି ସମ୍ମାନ ମିଳିଛି । କଟକର ତିନିକୋଣିଆ ବଗିଚାଠାରେ ଅନୁଷ୍ଠିତ ଏହି ଭବ୍ୟ ଉତ୍ସବରେ ଅନୁଷ୍ଠାନର ସଭାପତି ଡ. ମହେଶ୍ୱର ମହାନ୍ତି, ମୁଖ୍ୟ ଅତିଥି ପ୍ରାକ୍ତନ ସାଂସଦ ମହାମେଘବାହନ ଐରଖାରବେଳ ସ୍ୱାଇଁ, ମୁଖ୍ୟ ବକ୍ତା ଧନେଶ୍ୱର ସାହୁ ଓ ସଂପାଦକ ଡ. ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଉପସ୍ଥିତ ରହି ମାନପତ୍ର, ଫଳକ ଓ ଉତ୍ତରୀୟ ଅର୍ପଣ ପୂର୍ବକ ଏହି ସମ୍ମାନ ପ୍ରଦାନ କରିଛନ୍ତି ।ଶ୍ରୀ ଦାସଙ୍କର ଏହି ଉଲ୍ଲେଖନୀୟ ସଫଳତା ପାଇଁ ଆନନ୍ଦପୁର ଲେଖକ ସମବାୟ ସମିତି, ବଉଳା ସାହିତ୍ୟ ସଂସଦ, ସମ୍ବାଦ ସାହିତ୍ୟ ଘର-ହାଟଡ଼ିହୀ, ସାଇଚେତନା ସାହିତ୍ୟ ସଂସଦ-ସଢା, କୁଶଳେଶ୍ୱର ସାହିତ୍ୟ ସଂସଦ-ଦେଓଗାଁର କର୍ମକର୍ତ୍ତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।