Odiapua.com

ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ବାର୍ଷିକ ଅଧିବେଶନ ଓ ଜିଲ୍ଳା କର୍ମକର୍ତ୍ତା ଚୟନ

ଭଦ୍ରକ, ୨୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ବାର୍ଷିକ ଅଧିବେଶନ ସ୍ଥାନୀୟ ବନ୍ତ ଛକ ଆଖଣ୍ଡଳେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଅଧିବେଶନର ସଭାକାର୍ଯ୍ୟରେ ଆଶାକର୍ମୀ ସଂଘର ଭଦ୍ରକ ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ରାଉତ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟ ବକ୍ତା ଭାବରେ ରାଜ୍ୟ ଆଶାକର୍ମୀ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ଶକୁନ୍ତଳା ଗୋଚ୍ଛାୟତ ଯୋଗ ଦେଇ ରାଜ୍ୟରେ କାର୍ଯ୍ୟରତ ଆଶାକର୍ମୀମାନଙ୍କ ବିଭିନ୍ନ ସମସ୍ୟା, ଅସୁବିଧା ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ଉପଦେଷ୍ଟା ବିଜୟ କୁମାର ମିଶ୍ର ଯୋଗ ଦେଇ ବିନା ଆନ୍ଦୋଳନରେ ସରକାର କେବେ କାହାରି ଦାବି ପୂରଣ କରି ନାହାନ୍ତି । ଏ ସରକାର ତେଲିଆ ମୁଣ୍ଡରେ ତେଲ ମାରିବାରେ ବ୍ୟସ୍ତ । ମାତ୍ର ଯିଏ ଭୋକିଲା ସେ ସବୁଦିନ କାନ୍ଦୁଛି ବୋଲି କହିଥିଲେ । ଏହି ଅଧିବେଶନରେ ସଂଘର ଆଗାମୀ ଯୋଜାନ ସମ୍ପର୍କରେ ଆଳୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ମଜଦୁର ସଂଘର ଜିଲ୍ଳା ସମ୍ପାଦକ ପରେଶ ନାଥ ଧଳ, ଅଙ୍ଗନୱାଡି ସଂଘର ଜିଲ୍ଳା ସଭାନେତ୍ର ଜୟନ୍ତୀ ଜେନା ଆଶାକର୍ମୀଙ୍କ ହିତ ଉଦ୍ଦେଶ୍ୟରେ ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଆଶାକର୍ମୀ ସଂଘର ଜିଲ୍ଳାସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାନେତ୍ରୀ ଭାବେ ତିଳୋତ୍ତମା ସାହୁ, ଉପସଭାନେତ୍ରୀ ମାନସୀ ଜେନା, ଉଷାରାଣୀ ମିଶ୍ର, ସମ୍ପାଦିକା ସଞ୍ଜୁଲତା ରାଉତ, ସହସମ୍ପାଦିକା ରଶ୍ମିତା ଦାସ, ଜୟନ୍ତୀ ପଣ୍ଡା, କୋଷାଧ୍ୟକ୍ଷା ଭାବେ ନିରୂପମା ପତ୍ରୀଙ୍କୁ ଚୟନ କରାଯାଇଥିଲା ।