Odiapua.com

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୧ ପାଳିତ

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭଦ୍ରକ ଓ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱର ଦ୍ୱାରା ଆଜି ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଓ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାଶ, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଏ.ସି.ଏଫ୍‌. ସାଧନା ବେହେରା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ ରଞ୍ଜନ କେରକେଟା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମନୋରମା ଜାଲି ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଙ୍କ ଦ୍ୱାରା ସ୍ୱାଗତ ସମ୍ଭାଷଣ ପରେ ଓସଡମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ବିଶ୍ୱନାଥ ନାୟକ ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଆଜିର ଦିବସ ପାଳନରେ ଚଳିତ ବର୍ଷ ପାଇଁ ପ୍ରସଙ୍ଗ ଥିଲା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପଞ୍ଚାୟତିରାଜ ଅନୁଷ୍ଠାନର କର୍ମୀ- ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ । ୧୯୯୯ ଅକ୍ଟୋବର ୨୯ରେ ଘଟିଥିବା ମହାବାତ୍ୟାର ବିଭିଷିକା ସହ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତି ସଚେତନତା ଓ ସତର୍କତା ଉପରେ ଅତିଥିମାନେ ଆଲୋକପାତ କରିଥିଲେ ।

ଜିଲ୍ଲାପାଳ ମଧ୍ୟ ମହାବାତ୍ୟା ସମୟରେ ନିଜର ଅନୁଭୂତି ପ୍ରକାଶ କରିବା ସହ ବିପର୍ଯ୍ୟୟ ବେଳେ ପ୍ରଶାସନିକ ଅଧିକାରୀ ମାନେ ନିଜ ପରିବାରର କଥାକୁ ପଛରେ ପକାଇ କିପରି ନିଜ ଦାୟୀତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବା ଉଚିତ୍ ବୋଲି ଏହି ଦିବସ ପାଳନରେ ଉପସ୍ଥିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଆହୁରି ମଧ୍ୟ କହିଥିଲେ ଯେ ବିପର୍ଯ୍ୟୟ ନେଇ ସୂଚନା ପାଇବା ପରେ, ବିପର୍ଯ୍ୟୟ ସମୟରେ, ବିପର୍ଯ୍ୟୟ ପରେ କଣ କରାଯିବା ଉଚିତ୍ ସେ ନେଇ ସଚେତନା ବୃଦ୍ଧି କରାଯିବା ଆବଶ୍ୟକ୍ । କାରଣ ସଚେତନତା ହିଁ ସୁରକ୍ଷା ବିଶେଷ କରି ବିପର୍ଯ୍ୟୟ ବେଳେ ସମନ୍ୱୟତା ଅବଲମ୍ବନ ପୂର୍ବକ ଆମେ ସମସ୍ତେ ଶତ ପ୍ରତିଶତ ଆମର ଦାୟିତ୍ୱ ନିଭାଇ ପାରିଲେ ଆମେ ବିପର୍ଯ୍ୟୟର ସଠିକ୍ ମୁକାବିଲା କରିପାରିବା । ଏହି ଦିବସ ଉପଲକ୍ଷେ ଜିଲ୍ଲାପାଳ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ଯେ, ଯେକୌଣସି ପ୍ରକାର ବିପର୍ଯ୍ୟୟରେ ଧନ ଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ମୁଁ ମୋର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିବି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ କାର୍ଯ୍ୟରତ କର୍ମଚାରୀ, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କ୍‌ୁ ସାହାଯ୍ୟ କରିବି । ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ବୃଦ୍ଧି କରିବାକୁ ଚେଷ୍ଟା କରିବି । ଶେଷରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।