Odiapua.com

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ, ବେଷ୍ଟ ଜିଲ୍ଲା ସହିତ ରାଜ୍ୟ ସ୍ତରରେ ଭଦ୍ରକକୁ ୪ଟି ପୁରସ୍କାର

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୯୯୯ ଅକ୍ଟୋବର ୨୯ରେ ଓଡ଼ିଶାରେ ଘଟିଯାଇଥିବା ଭୟଙ୍କର ମହାବାତ୍ୟା ର ସ୍ମୃତି ତଥା ପ୍ରାକୃତିକ ବିପର୍ଯ୍ୟୟ ନେଇ ସତର୍କତା ଓ ସଚେତନତା ଉଦ୍ଦେଶ୍ୟରେ ପାଳିତ ହୋଇ ଆସୁଥିବା ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ହ୍ରାସ ଦିବସକୁ ଭଦ୍ରକ ଜିଲ୍ଲା ସଦର ମହକୁମାରେ ପାଳନ କରାଯାଇଛି । ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂସ୍ଥାଙ୍କ ସହଯୋଗରେ ଭଦ୍ରକ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦଯାତ୍ରା, ସାଧାରଣ ସଭା, ପୁରସ୍କାର ବିତରଣ ଓ ମକ୍‌ଡ଼୍ରିଲ ଆୟୋଜନ କରାଯାଇଥିଲା ।

ଜିଲ୍ଲା ସଂସ୍କୃତି ଭବନରେ ଅନୁଷ୍ଠିତ ସାଧାରଣ ସଭା, ପୁରଷ୍କାର ବିତରଣ ଓ ମକଡ଼୍ରିଲ କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ମୁଖ୍ୟ ଅତିଥି ଏବଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ କୁମାର ରାୟ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଯୋଜକ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମନୋରମା ଜାଲି ଦିବସ ପାଳନର ଆଭିମୁଖ୍ୟ ସହିତ, ଜିଲ୍ଲାରେ ଅବସ୍ଥିତ ବାତ୍ୟାଶ୍ରୟ ବିପର୍ଯ୍ୟୟ ପରିଚାଳନାରେ ଭଦ୍ରକ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ସକ୍ରିୟତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ୧୯୯୯ ମହାବାତ୍ୟାର କରାଳ ଚିତ୍ର, ଉକ୍ତ ମହାବାତ୍ୟା ସମୟରେ ନିଜର ଅଭିଜ୍ଞତା, ବନ୍ୟା, ବାତ୍ୟା, ମୁକାବିଲା ଦିଗରେ ସରକାରଙ୍କ ଆଭିମୁଖ୍ୟ ‘ଶୂନ ମୁତ୍ୟୁ’ ର ସଫଳତା ପାଇଁ ଆମ ସମସ୍ତଙ୍କର କର୍ତ୍ତବ୍ୟ, ଦାୟିତ୍ୱ, ସହଯୋଗ, ସତର୍କତା, ସଚେତନତା ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଗ୍ନିଶମ ଅଧିକାରୀ ବାସ୍ତୁଦେବ ମହନ୍ତଙ୍କ ନେତୃତ୍ୱରେ ଆଗ୍ନିକମାନଙ୍କ ଦ୍ୱାରା ମକଡ଼୍ରିଲ ପ୍ରଦର୍ଶନ କରାଯାଇଥିଲା । ସାଧାରଣ ସଭା କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲାସ୍କୁଲ, ଭଦ୍ରକ ହାଇସ୍କୁଲ, ବାଗୁରାଇ ହାଇସ୍କୁଲ, ଏସ୍‌.ବି.ଡ଼ି ସ୍କୁଲର ପିଲା ମାନଙ୍କୁ ନେଇ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ସମ୍ବଳିତ ପ୍ଲାକାର୍ଡ଼ ପ୍ରଦର୍ଶନ ଓ ସ୍ଲୋଗାନ ସହିତ ଏକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ତ୍ରିବେଣୀ ଟ୍ରଷ୍ଟ ର ପରିଚାଳିକା ରଞ୍ଜୁଲତା ପୁହାଣ, ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ଥିଲେ । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମର ଭଦ୍ରକ ଜିଲ୍ଲା ସଂଯୋଜକ ଅମ୍ଳାନ ଅନୁପମ ସେନାପତି ଏହି କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆନୁସଙ୍ଗିକ ସହଯୋଗ କରିଥିଲେ । ସୂଚନାଯୋଗ୍ୟ କି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଭଦ୍ରକ ଜିଲ୍ଲାକୁ ବିଭିନ୍ନ ବିଭାଗରେ ରାଜ୍ୟସ୍ତରୀୟ ୪ଟି ପୁରସ୍କାର ମିଳିଛି ।

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଯୋଜନା ପାଇଁ ସର୍ବୋତ୍ତମ ଜିଲ୍ଲା ତାଲିକାରେ ସ୍ଥାନ ପାଇଥିବା ୩ଟି ଜିଲ୍ଲା ମଧ୍ୟରେ ଥିବା ଭଦ୍ରକ ଜିଲ୍ଲାପାଇଁ ଭୁବନେଶ୍ୱରରେ ରବିନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ଜ୍ଞାନ ଦାସଙ୍କ ଉପସ୍ଥିତିରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରସମନ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ସେହିପରି ବାସୁଦେବପୁରର ରାଧାକାନ୍ତ ପୁର ବାତ୍ୟାଶ୍ରୟକୁ ବେଷ୍ଟ ବାତ୍ୟାଶ୍ରୟ ପରିଚାଳନା ପୁରସ୍କାର, ବାସୁଦେବପୁରର କସିଆ ବହୁମୁଖୀ ବାତ୍ୟାଶ୍ରୟକୁ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟରେ ପ୍ରଥମ ପୁରସ୍କାର ଓ ଚାନ୍ଦବାଲିର ଓରାମାଳ ବହୁମୁଖୀ ବାତ୍ୟାଶ୍ରୟକୁ ପ୍ରାଥମିକ ଚିକିତ୍ସାରେ ୩ୟ ପୁରସ୍କାର ମିଳିଛି । ବେଷ୍ଟ ବାତ୍ୟାଶ୍ରୟ ପରିଚାଳନାରେ ରାଧାକାନ୍ତପୁ ପାଇଁ ବାସୁଦେବପୁର ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସ ଓ ବାତ୍ୟାଶ୍ରୟ ପରିଚାଳନା କମିଟିର ସଦସ୍ୟ, ଅନ୍ୟ ଦୁଇ ବାତ୍ୟାଶ୍ରୟ ପାଇଁ ସଂପୃକ୍ତ ସଦସ୍ୟମାନେ ଦଳଗତ ଭାବେ ରବିନ୍ଦ୍ର ମଣ୍ଡପରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ସୂଚନା ମିଳିଛି ।