Odiapua.com

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମୀକ୍ଷା: ୬ ଗୋଟି ସବ୍ କମିଟି ଗଠନ

ଭୁବନେଶ୍ୱର ୯.୬ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବିଧାୟକ ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗତକାଲି ୮.୬.୨୦୧୯ ବୈଠକରେ ଦଳର ପରାଜୟର ବିଭିନ୍ନ ଦିଗ ଉପରେ ମାନନୀୟ ସଦସ୍ୟ / ସଦସ୍ୟାଙ୍କ ବହୁମୂଲ୍ୟ ମତାମତକୁ ଆଧାରକରି ସର୍ବସମ୍ମତିକ୍ରମେ ପାରିତ ହୋଇଥିବା ନିଷ୍ପତି ଅନୁଯାୟୀ ଶ୍ରୀଯୁକ୍ତ ମିଶ୍ର ୬ ଗୋଟି ସବ୍ କମିଟି ଗଠନ କରିବାସହ ଦାୟିତ୍ୱ ବଣ୍ଟନ କରିଛନ୍ତି। ପ୍ରତ୍ୟେକ ସବ୍ କମିଟିରେ ଜଣେ ଆବାହକ ରହିଥିବା ବେଳେ ଦୁଇଜଣ ସଦସ୍ୟ ରହିଛନ୍ତି। ସବ୍ କମିଟି ନଂ -୧ ରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଜେନା ଆବାହକ ରହିଥିବା ବେଳେ ପିସିସି ଉପସଭାପତି ପ୍ରାକ୍ତନ ବିଧାୟକ ଯଜେ୍ଞଶ୍ୱର ବାବୁ ଓ ଅନ୍ୟତମ ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଦସ୍ୟ ରୁପେ ଯଥାକ୍ରମେ ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲା ଖୁବ୍ ଶୀଘ୍ର ଗସ୍ତକରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ, କର୍ମୀ, ଛାମୁଆ ସଂଗଠନର କର୍ମକର୍ତା, ବିଭାଗ ଓ ପ୍ରକୋଷ୍ଠର କର୍ମକର୍ତା ଓ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସହ ଆଲୋଚନା କରି ପରାଜୟର ବିଭିନ୍ନ କାରଣର ସବିଶେଷ ତଥ୍ୟ ସଂଗ୍ରହ କରି ଜୁନମାସ ୩୦ ତାରିଖ ପୂର୍ବରୁ ତଥ୍ୟ ଅନୁସନ୍ଧାନ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ରଙ୍କୁ ପ୍ରଦାନ କରିବେ। ସେହିପରି ସବ୍ କମିଟି ନଂ -୨ରେ କଟକ ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ ଆବାହକ ଥିବାବେଳେ ପ୍ରାକ୍ତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଓ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ା ଯଥାକ୍ରମେ ଗଞ୍ଜାମ, ପୁରୀ, କନ୍ଧମାଳ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି। ସବ୍ କମିଟି-ନଂ-୩ ରେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତୀ ଆବାହକ ଥିବାବେଳେ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଭୁଜବଳ ମାଝୀ ଓ ପିସିସି ଉପସଭାପତି ଶ୍ରୀଯୁକ୍ତ ଶିବାନନ୍ଦ ରାୟ ଯଥାକ୍ରମେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି। ସବ୍ କମିଟି ନଂ-୪ ରେ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଜର୍ଜ ତିର୍କୀ ଆବାହକ ଥିବାବେଳେ କଂଗ୍ରେସ ନେତା ଶ୍ରୀଯୁକ୍ତ ସତ୍ୟଶିବ ଦାସ ଓ ପିସିସି ସାଧାରଣ ସଂପାଦକ ଜ୍ଞାନଦେବ ବେହୁରା ଯଥାକ୍ରମେ ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଝାରସୁଗୁଡ଼ା ଜିଲ୍ଲା ଦାୟିତ୍ୱରେ ରହିଛନ୍ତି। ସବ୍ କମିଟି ନଂ-୫ ରେ କଣ୍ଟାବାଞ୍ଝି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ଆବାହକ ଥିବାବେଳେ ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନଳିନୀକାନ୍ତ ମହାନ୍ତି ଯଥାକ୍ରମେ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି। ସବ୍ କମିଟି ନଂ-୬ ରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଆବାହକ ଥିବାବେଳେ ପିସିସି ଉପସଭାପତି ସସ୍ମିତା ବେହେରା ଏବଂ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟପ୍ରକାଶ ନାୟକ ଯଥାକ୍ରମେ ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଢ଼େଙ୍କାନାଳ ଜିଲ୍ଲାରେ ଦଳର ପରାଜୟର ବିଭିନ୍ନ କାରଣ ଅନୁସନ୍ଧାନ ଓ ସବିଶେଷ ତଥ୍ୟ ସଂଗ୍ରହ ନିମନ୍ତେ ଖୁବ୍ ଶୀଘ୍ର ଉପରୋକ୍ତ ଜିଲ୍ଲା ଗସ୍ତକରି ଚଳିତମାସ ୩୦ ତାରିଖ ମଧ୍ୟରେ ପିସିସି ତଥ୍ୟ ଅନୁସନ୍ଧାନକାରୀ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କୁ ପ୍ରଦାନ କରିବା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀଯୁକ୍ତ ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।